ଜୟପୁର: ରାଜସ୍ଥାନର ଯୋଧପୁରରେ ରବିବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଯୋଧପୁର ଜିଲ୍ଲାର ଫାଲୋଡି ଉପଖଣ୍ଡର ମାଟୋଡା ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଇଥିଲା। ଯାତ୍ରୀମାନେ ବିକାନେର ଜିଲ୍ଲାର କୋଲାୟତ ଦର୍ଶନ କରି ଯୋଧପୁରର ସୁରସାଗର ଫେରୁଥିଲେ।
ଟ୍ରାଭେଲରଟି କୋଲାୟତରୁ ଫେରୁଥିଲା ଏବଂ ଯୋଧପୁର ଅଭିମୁଖେ ଯାଉଥିଲା। ମାଟୋଡା ନିକଟରେ ରାସ୍ତାକଡ଼ରେ ଛିଆ ହୋଇଥିବା ଏକ ଟ୍ରେଲରକୁ ଡ୍ରାଇଭର ଦେଖିପାରି ନଥିଲେ । ଦ୍ରୁତ ଗତିରେ ଟ୍ରେଲରକୁ ଧକ୍କା ଦେଇଥିଲା ଟ୍ରାଭେଲର । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରାଭେଲ୍ରଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଘଟଣାସ୍ଥଳରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ। ମିଳିଥିବା ସୂଚନା ଅନୁସାରେ, ୧୫ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏପରିକି ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।
ମାଟୋଡା ଥାନାର ପୁଲିସ ଅଧିକାରୀ ଅମାନାରମ୍ କହିଛନ୍ତି ଯେ, ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ତିନିରୁ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଯୋଧପୁରକୁ ରେଫର କରାଯାଇଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଯୋଧପୁର ଜିଲ୍ଲାର ସୁରସାଗର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି।
ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସୂଚନା ପାଇ ପୁଲିସ ଏବଂ ପ୍ରଶାସନିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜେସିବି ମେସିନ୍ ବ୍ୟବହାର କରି ଟ୍ରାଭେଲରରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ଆହତମାନଙ୍କୁ ଫାଲୋଡି ହସ୍ପିଟାଲକୁ ନିଆଯାଇଥିଲା ଏବଂ ଗୁରୁତରଙ୍କୁ ଯୋଧପୁରକୁ ସ୍ଥାନାନ୍ତର କରାଯାଇଛି ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଯୋଧପୁର ଜିଲ୍ଲା ପ୍ରଶାସନ, ପୋଲିସ ଅଧିକାରୀ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଟ୍ରେଲର ଡ୍ରାଇଭରଙ୍କୁ ପୁଲିସ ଖୋଜୁଛି ।