ମୁମ୍ୱାଇ,୨୯/୧୧:ରଣବୀର ସିଂହଙ୍କ ଅପ୍କମିଙ୍ଗ ଫିଲ୍ମ ‘ଧୁରନ୍ଧର୍’ ରିଲିଜ୍ ପୂର୍ବରୁ ବିବାଦକୁ ଆସିଛି । ଅଶୋକ ଚକ୍ର ଓ ସେନା ପଦକ ବିଜେତା ସହିଦ ମୋହିତ ଶର୍ମାଙ୍କ ଅଭିଭାବକ ଫିଲ୍ମର ରିଲିଜ୍ ଉପରେ ତତ୍କାଳ ରୋକ ଲାଗି ଦାବି କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ଆବେଦନରେ ସହିଦ ଶର୍ମାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଫିଲ୍ମରେ ଭାରତୀୟ ସେନା କିମ୍ବା ମେଜର ଶର୍ମାଙ୍କ ପରିଜନଙ୍କଠୁ ଅନୁମତି ବିନା ଜଣେ ସ୍ପେଶାଲ ଫୋର୍ସ ଅଫିସର୍ଙ୍କ ଜୀବନ, ଅପରେସନ୍ ଓ ପ୍ରାଣବଳିକୁ ସିଧାସଳଖ ଫିଲ୍ମରେ ପ୍ରଦର୍ଶନ କରାଯାଇଛି ।
ପରିବାରର ଯୁକ୍ତି ଅନୁସାରେ,ଗଣମାଧ୍ୟମର ରିପୋର୍ଟ ଓ ଅନ୍ଲାଇନ୍ ଚର୍ଚ୍ଚା ‘ଧୁରନ୍ଧର୍’କୁ ମେଜର ଶର୍ମାଙ୍କ କାହାଣୀ ସହ ଯୋଡ଼ିଛି । କିନ୍ତୁ ଫିଲ୍ମ ନିର୍ମାତା ଏହାକୁ ସ୍ୱୀକାର କରିନାହାନ୍ତି କିମ୍ବା କୌଣସି ବିନ୍ଦୁ ଉପରେ ପରିବାରଠୁ ପରାମର୍ଶ ନେଇନାହାନ୍ତି । ଆବେଦନରେ ସ୍ପଷ୍ଟ ହୋଇଛି, ସହିଦ କୌଣସି ବ୍ୟବସାୟିକ ବସ୍ତୁ ନୁହନ୍ତି । ନିଜର ଲାଭ ପାଇଁ ଅନୁମତି ବିନା ସୈନ୍ୟଙ୍କ ସତ୍ୟ, ମର୍ଯ୍ୟାଦା ଓ ଜୀବନକୁ ପରିବର୍ତ୍ତନ କରିବାର ଅଧିକାର କାହା ପାଖରେ ନାହିଁ । ପରିବାର ଆହୁରି ଅଭିଯୋଗ କରିଛି, ଅନଧିକୃତ ଚିତ୍ରଣ ସମ୍ବିଧାନର ଅନୁଚ୍ଛେଦ ୨୧ ଅନ୍ତର୍ଗତ ସହିଦଙ୍କ ମରଣୋତ୍ତର ବ୍ୟକ୍ତିତ୍ୱ ଅଧିକାରଗୁଡ଼ିକର ଉଲ୍ଲଂଘନ କରୁଛି ।ଏଥିସହ ପରିବାରର ଗୋପନୀୟତା ଓ ମର୍ଯ୍ୟାଦା ଅଧିକାରର ମଧ୍ୟ ଉଲ୍ଲଂଘନ ହୋଇଛି । ଆବେଦନରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ,ସେଣ୍ଟ୍ରାଲ ବୋର୍ଡ ଅଫ୍ ସାର୍ଟିଫିକେସନ୍, ଭାରତୀୟ ସେନା ଏବଂ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ପକ୍ଷଭୁକ୍ତ କରାଯାଇଛି । ଫିଲ୍ମର ରିଲିଜ୍କୁ ରୋକିବା ସହିତ କୌଣସି ସାର୍ବଜନୀନ ପ୍ରିମିୟର ପୂର୍ବରୁ ମେଜର ଶର୍ମାଙ୍କ ପରିବାର ପାଇଁ ବ୍ୟକ୍ତିଗତ ସ୍କ୍ରିନିଂକୁ ଅନିବାର୍ଯ୍ୟ କରିବାକୁ ଆବେଦନରେ କୋର୍ଟଙ୍କୁ ଅନୁରୋଧ କରାଯାଇଛି । ଆସନ୍ତା ଡିସେମ୍ବର ୫ରେ ‘ଧୁରନ୍ଧର୍’ମୁକ୍ତିଲାଭ କରିବ । ‘ଉରି’ ଫେମ୍ ଆଦିତ୍ୟ ଧର୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ରଣବୀରଙ୍କ ସମେତ ଅର୍ଜୁନ ରାମପାଲ, ସଞ୍ଜୟ ଦତ୍ତ,ଅକ୍ଷୟ ଖାନ୍ନା ଓ ଆର୍ ମାଧବନ ଏଥିରେ ଅଭିନୟ କରିଛନ୍ତି ।