ଭୁବନେଶ୍ୱର ୨୦/୧୨: ବେକ ମେରୁଦଣ୍ଡର ଏକ ଅତି ସମ୍ବେଦନଶୀଳ ଜାଗା । ଦୀର୍ଘଦିନ ଧରି ବେକକୁ ଆଗପଛ ବା ଦୁଇ ପାଶ୍ୱର୍କୁ  ଭାଙ୍ଗିବା ଓ ମୋଡ଼ିବାରେ ଅସୁବିଧା ହେବା,ବେକ ପାଖରେ ଥିବା ମେରୁଦଣ୍ଡ ହାଡ଼ର ଅବକ୍ଷୟ ଓ ମାଂଶପେଶୀ  ଦୁର୍ବଳ ହେଲେ ତାକୁ ସର୍ଭିକାଲ ସ୍ପଣ୍ଡିଲାଇଟିସ୍‌ କୁହାଯାଏ । ଏଥିରେ ବେକ, ପିଠିର ଉପରିଭାଗ, କାନ୍ଧ ଓ  ହାତରେ ଯନ୍ତ୍ରଣା ହୋଇଥାଏ । କିଛି ଲୋକଙ୍କ ଠାରେ ମୁଣ୍ଡ ବୁଲାଇବା ଏବଂ କାନରେ ଏକ ପ୍ରକାର ଘଣ୍ଟି  ବାଜିବା ଭଳି ଲକ୍ଷଣ ମଧ୍ୟ ଦେଖାଦେଇଥାଏ । ବର୍ତ୍ତମାନର ସମୟରେ ମୋବାଇଲ ଫୋନ୍‌ର ଅଧିକ ବ୍ୟବହାର  ତଥା ଦୀର୍ଘ ସମୟ ଧରି କମ୍ପ୍ୟୁଟର ଆଗରେ ବସି ରହୁଥିବା ଯୁବପିଢ଼ିଙ୍କଠାରେ ଏହି ସମସ୍ୟା ବହୁଳ ଭାବରେ ଦେଖାଦେଉଛି । ନିମ୍ନରେ ଦିଆଯାଇଥିବା କିଛି ପ୍ରଭାବୀ ଆସନକୁ ସ୍ଥିରଚିତ୍ତରେ ସକାରାତ୍ମକ ଭାବନାରେ  ନିୟମିତ ଅଭ୍ୟାସ କଲେ ଏହି ସମସ୍ୟାରେ ସୁଧାର ଆସିପାରିବ । ଗୁରୁତର ସର୍ଭିକାଲ ସ୍ପଣ୍ଡିଲାଇଟିସ୍‌ରେ  ପୀଡ଼ିତ ବ୍ୟକ୍ତିବିଶେଷ ଡାକ୍ତରଙ୍କ ପରାମର୍ଶ ନେଇ ଏହି ଯୋଗାଭ୍ୟାସ ଆରମ୍ଭ କରିବେ ।

ଗୋଡ଼ ଲମ୍ବାଇ ପେଟ ମାଡ଼ି ଶୋଇ ଯାଆନ୍ତୁ । ମୁଣ୍ଡ  ଏବଂ କାନ୍ଧକୁ ଉପରକୁ ଉଠାନ୍ତୁ । କହୁଣିକୁ ଭୂମିରେ  ରଖି, ଦୁଇ ହାତ ପାପୁଲିରେ ଚିବୁକକୁ (ଥୋମଣି)  ଧରି ରଖନ୍ତୁ । ମନେ ରଖିବେ ମକରାସନର ପ୍ରଭାବ  ମୁଖ୍ୟତଃ ବେକ ଓ ତଳ ପିଠି ଉପରେ ପଡ଼ିଥାଏ ।  ଯଦି କହୁଣିକୁ ବହୁତ ଆଗରେ ରଖିବେ, ବେକରେ  ଅଧିକ ଜୋର ପଡ଼ିବ । କହୁଣିକୁ ଯଦି ଛାତି ପାଖରେ  ଲଗାଇ ରଖିବେ, ତଳି ପିଠିରେ ଅଧିକ ଚାପ ପଡ଼ିବ ।  ଏଣୁ ଏହି ଆସନରେ କହୁଣିକୁ ଏହି ଦୁଇ ଜାଗାର  ମଝିରେ ରଖିବେ ଯେପରି ବେକ ଓ ପିଠିରେ ସମାନ  ଚାପ ପଡ଼ିବ । ଏହି ସ୍ଥିତିରେ ଯେତେ ସମୟ ପାରିବେ  ରହିବେ ଏବଂ ନିଃଶ୍ୱାସପ୍ରଶ୍ୱାସ ଉପରେ ଧ୍ୟାନ ଦେବେ ।  

ଏହି ଆସନ ସର୍ଭିଇକାଲ ସ୍ପଣ୍ଡିଲାଇଟିସ୍‌କୁ ଠିକ କରିବା ସହ ସ୍ଲିପ୍‌ ଡିସ୍କ, ସାଇଟିକା ଏବଂ ମେରୁଦଣ୍ଡ  ସମସ୍ୟା ଦୂର କରିବାରେ ସହାୟକ ହେବ । ଗୁରୁତର  ପିଠି ପୀଡ଼ା ଥିଲେ ଏହି ଆସନ କରିବେ ନାହିଁ । ଶଶାଙ୍କାସନ ଭୂଇଁରେ ଆଣ୍ଠୁ ମାଡ଼ି ବସନ୍ତୁ । ପାଦର ଦୁଇ ବୁଢ଼ା ଆଙ୍ଗୁଳି ଏକାଠି କରନ୍ତୁ । ଗୋଇଠି ଛଡ଼ାଇ ରଖନ୍ତୁ । ପାଦ ଭିତରେ  ନିତମ୍ବକୁ ରଖନ୍ତୁ ଯେପରି ଗୋଇଠି ଜଙ୍ଘକୁ ଛୁଉଁଥିବ  (ବଜ୍ରାସନ ଭଳି) । ପାପୁଲି ତଳମୁହାଁ କରି ଆଣ୍ଠୁ ଉପରେ  ରଖନ୍ତୁ । ମୁଣ୍ଡ ଓ ବେକ ସିଧା ରହିବ । ପ୍ରଶ୍ୱାସ ନେଇ ଦୁଇ  ହାତ ଉପରକୁ ଉଠାନ୍ତୁ ଏବଂ ନିଃଶ୍ୱାସ ଛାଡ଼ି ଅଣ୍ଟାକୁ ଭାଙ୍ଗି  ମୁଣ୍ଡ ଏବଂ ହାତକୁ ଭୂମିରେ ଲଗାଇବାକୁ ଚେଷ୍ଟା କରନ୍ତୁ । ଆସନର ଶେଷ ସ୍ଥିତିରେ ହାତ ଓ କପାଳ ଆଣ୍ଠୁ ସାମ୍ନାରେ  ଭୂଇଁ ଉପରେ ଲାଗି ରହିବ । କିଛି ସମୟ ଏହି ସ୍ଥିତିରେ ରହି  ପ୍ରଶ୍ୱାସ ନେଇ ହାତ ଏବଂ ଦେହକୁ ଉପରକୁ ଉଠାଇବେ ଏବଂ ନିଃଶ୍ୱାସ ଛାଡ଼ି ଧୀରେ ହାତ ତଳକୁ ଆଣି ଆଣ୍ଠୁ ଉପରେ ରଖିବେ । ଏହା ଗୋଟିଏ ଚକ୍ର, ଏହିଭଳି ୩ରୁ ୫ ଚକ୍ର  ଅଭ୍ୟାସ କରିବେ । ମୁଣ୍ଡବୁଲା, ସ୍ଲିପ୍‌ ଡିସ୍କ ଏବଂ ଗୁରୁତର  ଉଚ୍ଚ ରକ୍ତଚାପ ରୋଗୀ ଏହି ଆସନ କରିବା ବର୍ଜନୀୟ ।

ସୁନୀଲ କୁମାର ପ୍ରଧାନ (ଯୋଗ ପ୍ରଶିକ୍ଷକ)