ମାଲକାନଗିରି, ୨୯/୧(ଆପ୍ର ): ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ମାଲ୍ୟବନ୍ତ ମହୋତ୍ସବ ପ୍ରମୋ ସଙ୍ଗୀତକୁ ଗୁରୁବାର ଉନ୍ମୋଚନ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସୋମେଶ କୁମାର ଉପାଧ୍ୟାୟ ଏହି ସଙ୍ଗୀତକୁ ଉନ୍ମୋଚନ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ଘେନୁ ମୁଦୁଲି, ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଓ ବିଧାୟକ ପ୍ରତିନିଧି ମାଣିକଲାଲ ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ।
ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ଫେବୃୟାରୀ ୧ ରୁ ୫ ମଧ୍ୟରେ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଆୟୋଜନ ହେଉଛି। ଏଥିରେ ରାଜ୍ୟର ସ୍ୱନାମଧନ୍ୟ କଳାକାର ଓ ବଲିଉଡ୍ ର କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି । ସେହିପରି ଆସନ୍ତା ୩୧ ରେ ସତିଗୁଡ଼ା ଜଳ ଭଣ୍ଡାର ଠାରେ ହେବାକୁ ଥିବା ନୌକା ଚାଳନା ପ୍ରତିଯୋଗୀତା ହେବ।
ଏହି କାର୍ଯ୍ୟକ୍ରମକୁ ବିନାଶ ମିଶ୍ର ପରିଚାଳନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଧନ୍ୟବାଦ୍ ଦେଇଥିଲେ। ଏହି ସଙ୍ଗୀତ ପ୍ରସ୍ତୁତିରେ ଭାଗ ନେଇଥିବା ସମସ୍ତ କଳାକାର ଓ ବୈଷୟିକ ଟିମ୍ ଏଥିରେ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।