ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୁରୁବାର କୋଲକାତା ହାଇକୋର୍ଟରେ ଓକିଲଙ୍କ ପୋଷାକରେ ଦେଖିବାକୁ ମିଳିଥିଲା। ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ଯୁକ୍ତି ଉପସ୍ଥାପନ କରିବାକୁ କୋଲକାତା ହାଇକୋର୍ଟରେ ପହଞ୍ଚିଥିଲେ ମମତା । ନିର୍ବାଚନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଶାନ୍ତି ଦେଖା ଦେଇଥିବା ଅଭିଯୋଗକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଏହି ମାମଲାରେ ମମତା ବାନାର୍ଜୀ ଯୁକ୍ତି ଉପସ୍ଥାପନା କରିବାକୁ କୋର୍ଟରେ ପହଞ୍ଚିଥିଲେ। ଏବେ ଏହାକୁ ନେଇ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ଗୁରୁବାର ପଶ୍ଚିମବଙ୍ଗର ବାର କାଉନସିଲ୍ ୪୮ ଘଣ୍ଟା ଭିତରେ ଏକ ବିସ୍ତୃତ ରିପୋର୍ଟ ପଠାଇବାକୁ କହିଛି। ଯେଉଁଥିରେ ମମତା ବାନାର୍ଜୀଙ୍କ ପଞ୍ଜିକରଣ ଓ ପେଶାଗତ ଓକିଲ ଭାବରେ ତାଙ୍କ ସ୍ଥିତି ସମ୍ପର୍କରେ ସୂଚନା ଦେବାକୁ କହିଛି।
ପ୍ରଚଳିତ ପ୍ରଥା ଅନୁସାରେ, କୌଣସି ବ୍ୟକ୍ତି ଯିଏ ସମ୍ବିଧାନିକ କିମ୍ବା ଲାଭକାରୀ ପଦରେ ଅଛନ୍ତି, ତାଙ୍କୁ ନିଜର ବାର ଲାଇସେନ୍ସ ସେବା ବେଳେ କ୍ୟାନସେଲ୍ କରିବାକୁ ପଡିଥାଏ। ପରେ ଓକିଲାତି କରିବା ପାଇଁ ଏହାକୁ ପୁଣିଥରେ ସକ୍ରିୟ କରିବାକୁ ହେବ। ଏକ ଚିଠିରେ ବିସିଆଇ ପଶ୍ଚିମବଙ୍ଗଳ ବାର କାଉନସିଲ୍ର ସଚିବଙ୍କୁ ମମତାଙ୍କ ଓକିଲ ରୂପରେ ପଞ୍ଜିକରଣ ସମ୍ପର୍କିତ ପୁରା ସିୂଚନା ଓ ୨୦୧୧ ରୁ ୨୦୨୬ ପର୍ଯ୍ୟନ୍ତ ତାଙ୍କ ମୁଖ୍ୟମନ୍ତ୍ରୀ ପଦରେ ରହିବା ବେଳେ ଓ ତାଙ୍କ ପରେ ଓକିଲାତି ସମ୍ପର୍କରେ ବିବରଣୀ ଦୁଇ ଦିନ ଭିତରେ ପଠାଇବାର ନିର୍ଦେଶ ଦେଇଛନ୍ତି।
ବିସିଆଇର ପ୍ରଧାନ ସଚିବ ଶ୍ରୀରାମନ୍ତୋ ସେନଙ୍କ ଦ୍ବାରା ଜାରି କରାଯାଇଥିବା ପତ୍ରରେ ଲେଖାଯାଇଛି, ବାର କାଉନସିଲ୍ ମିଡିଆରେ ଆସିଥିବା ଖବର ବିଷୟରେ ଜାଣିବାକୁ ଚେଷ୍ଟା କରୁ। ଯେଉଁଥିରେ ଦାବି କରାଯାଉଛି ମମତା ଓକିଲଙ୍କ ପୋଷାକ ପିନ୍ଧି ହାଇକୋର୍ଟରେ ଯୁକ୍ତି ରଖିବାକୁ ପହଁଞ୍ଚିଥିଲେ। ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ମମତା ୨୦୧୧ ରୁ ୨୦୨୬ ଯାଏଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ। ସେ ଅବଧି ସମୟରେ ତାଙ୍କର ସମ୍ବିଧାନିକ ପଦକୁ ଧ୍ୟାନରେ ରଖି ବିସିଆଇ ତାଙ୍କ ପଞ୍ଜିକରଣ, ଓକିଲାତି, ନିଲମ୍ବନ ଓ ପୁନଃ ଆରମ୍ଭ ବିଷୟରେ ତଥ୍ୟାତ୍ମକ ସ୍ଥିତି ରେକର୍ଡରୁ ଦେବାର ଆବଶ୍ୟକ ରହିଛି।’