ଉତ୍ତରପ୍ରଦେଶ ୨୮/୦୭: ଉତ୍ତରପ୍ରଦେଶ ମୈନପୁରୀରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି । ନାଁରେ ତ୍ରୁଟି ଯୋଗୁ ରାଜବୀର ସିଂହ ଯାଦବ ନାମକ ଜଣେ ବ୍ୟକ୍ତି ୨୨ ଦିନ ଧରି ଜେଲ୍‌ରେ ରହିଥିଲେ । ଭୁଲ୍‌ରେ ଭାଇ ରାମବୀରଙ୍କ ବଦଳରେ ତାଙ୍କୁ ଉଠାଇ ନେଇଥିଲା ପୁଲିସ । କିଛି ସପ୍ତାହ ମଧ୍ୟରେ ପୁଲିସ କୋର୍ଟରେ ନିଜ ଦୋଷ ସ୍ୱୀକାର କରିଥିଲେ ବି ମାମଲାଟି ଦୀର୍ଘ ୧୭ ବର୍ଷ ଧରି ଗଡି଼ଥିଲା । ଏହା ରାଜବୀରଙ୍କ ଜୀବନକୁ ଘୋରା ପ୍ରଭାବିତ କରିଥିଲା । ଶନିବାର ମୈନପୁରୀର ଏକ କୋର୍ଟ ରାଜବୀରଙ୍କୁ ଦୋଷମୁକ୍ତ କରିଛନ୍ତି । ଏଥିସହ ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ।

ଘଟଣାଟି ୨୦୦୮ ଅଗଷ୍ଟ ୩୧ର । ସେଦିନ ମୈନପୁରୀ ପୁଲିସ ନିର୍ବାଚନ ସହ ଜଡ଼ିତ ଏକ ସଂଘର୍ଷ ଘଟଣାରେ ଆଇପିସିର ଧାରା ୩୦୭(ହତ୍ୟା ଉଦ୍ୟମ) ଓ ଏସ୍‌ସି/ଏସ୍‌ଟି ଆଇନର ଧାରା ଅନୁସାରେ ମନୋଜ ଯାଦବ, ପ୍ରବେଶ ଯାଦବ, ଭୋଳା ଯାଦବ ଓ ରାମବୀର ସିଂହ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । କିନ୍ତୁ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତି ସମୟରେ ମୈନପୁରୀ କୋତୱାଲିର ଏସ୍‌ଏଚ୍‌ଓ ଓମ୍‌ପ୍ରକାଶ ସାଂଘାତିକ ଭୁଲ୍‌ କରିଥିଲେ । ସେ ରାମବୀରଙ୍କ ବଦଳରେ ଭୁଲ୍‌ରେ ତାଙ୍କ ବଡ଼ ଭାଇ ରାଜବୀରଙ୍କ ନାମ ଲେଖି ଦେଇଥିଲେ । ମାମଲାର ତଦନ୍ତ ଭାର ସବ୍‌ ଇନ୍‌ସପେକ୍ଟର ଶିବସାଗର ଦୀକ୍ଷିତଙ୍କୁ ଦିଆଯାଇଥିଲା । 

ସେହିବର୍ଷ ଡିସେମ୍ବର ୧ରେ ରାଜବୀର ଗିରଫ ହୋଇଥିଲେ । ଜେଲ୍‌ରେ ଥାଇ ନାମରେ ଏହି ତ୍ରୁଟି ନେଇ ସେ ଆଗ୍ରାସ୍ଥିତ ସ୍ପେଶାଲ ଗ୍ୟାଙ୍ଗଷ୍ଟର ଆକ୍ଟ କୋର୍ଟରେ ଏକ ଆବେଦନ କରିଥିଲେ । ଡିସେମ୍ବର ୨୨ରେ ଏସ୍‌ଏଚ୍‌ଓ ଓମ୍‌ପ୍ରକାଶ ଭୁଲ୍‌ରେ ରାଜବୀରଙ୍କ ନାମ ଅଭିଯୁକ୍ତଙ୍କ ତାଲିକାରେ ଲେଖାଯାଇଥିବା କଥାକୁ ବିଚାରପତିଙ୍କ ଆଗରେ ମାନିଥିଲେ । ସେହିଦିନ ହିଁ କୋର୍ଟ ରାଜବୀରଙ୍କୁ ଖଲାସ କରିବାକୁ ରାୟ ଦେଇଥିଲେ । ଜଷ୍ଟିସ ମହମ୍ମଦ ଇକବାଲ ଦାୟୀ ପୁଲିସକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୈନପୁରୀ ଏସ୍‌ଏସ୍‌ପିଙ୍କୁ ଲେଖିଥିଲେ । କିନ୍ତୁ ନିର୍ଦ୍ଦେଶ ସତ୍ତେ୍ୱ ଏସ୍‌ଆଇ ଶିବସାଗର ଦୀକ୍ଷିତ ରାଜବୀରଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲେ । ଏଥିସହ ମାମଲା ଗଡ଼ି ଚାଲିଥିଲା । ଏବେ ନିର୍ଦ୍ଦୋଷରେ ଖଲାସ ହେବା ପରେ ରାଜବୀର ସତ୍ୟର ଜୟ ହୋଇଥିବା କହିଛନ୍ତି ।