ଚାନ୍ଦବାଲି,୧୯/୦୧: ବେକରେ ଗାମୁଛା । ଧଳା ସାର୍ଟକୁ ପାଣ୍ଟ । ମୁଣ୍ଡରେ ନାଲି ତିଳକ । ସୁଟ୍ବୁଟ୍ ପିନ୍ଧା ଯୁବକ ଏକଦମ ଭଦ୍ର ଲୋକ ପରି ମନେ ହେଉଛନ୍ତି । ହେଲେ ହାତରେ ଧରିଛନ୍ତି ବିରାଟ ଖଣ୍ଡା । ଦିନ ଦ୍ୱିପ୍ରହରରେ ରାଜରସ୍ତାରେ ଖଣ୍ଡା ବୁଲାଇଲେ । ଏଣେତେଣେ ଖଣ୍ଡା ଧରି ଦୌଡିଲେ । ଭାଦ୍ରକ ଜିଲ୍ଲା ଚାନ୍ଦବାଲି ଧାମରାରେ ଦେଖିବାକୁ ମିଳିଛି କିଛି ଏପରି ଦୃଶ୍ୟ । ଖଣ୍ଡା ଧରି ରାଜପଥରେ ଆତଙ୍କ ଖେଳାଇଛନ୍ତି ଜଣେ ଯୁବକ ।
ଭଦ୍ରକ ଜିଲ୍ଲା ଧାମରାରେ ଚାଲିଛି ମକର ମେଳା । ହଜାର ହଜାର ଲୋକଙ୍କ ଭିଡ଼ ଲାଗିଛି । ଏହି ସମୟରେ ଜଣେ ଯୁବକ ଖଣ୍ଡା ଧରି ରାଜପଥ ଉପରେ ଆତଙ୍କ ସୃଷ୍ଟି କରିଥିଲେ । ଯାହାଫଳରେ ଲୋକମାନେ ଦୌଡାଦୌଡି କରିଥିଲେ । ଧାମରା ମକର ମେଳାରୁ ଖଣ୍ଡା କିଣିଥିଲା ଯୁବକ । ଖଣ୍ଡାଧାରୀ ଯୁବକ ଜଣକ ହେଉଛନ୍ତି ଶଶିକାଦେଇପୁରର ମାନସ ବାରିକ । ବିଚ୍ ରାସ୍ତାରେ ଗାଡ଼ି ଅଟକାଇ ଖଣ୍ଡା ଚଳାଇଲେ ଯୁବକ ଜଣଙ୍କ । ଯୁବକ ଜଣକ ଟ୍ରକକୁ ଅଟକାଇ ଡ୍ରାଇଭରକୁ ଧମକାଇ ୫୦୦୦ ଟଙ୍କା ନେଇ ଯାଇଥିଲେ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏପିରିକି ଅନେକ କାର ଓ ବାଇକ ଚାଳକ ନିଜ ନିଜ ଗାଡ଼ି ଛାଡ଼ି ପଳାଇଥିଲେ । ଶେଷରେ କିଛି ସାହାସୀ ଯୁବକ ଏହି ଖଣ୍ଡାଧାରୀ ଯୁବକଙ୍କୁ ମାଡ଼ି ବସିଥିଲେ । ତୁରନ୍ତ ଧାମରା ଥାନାକୁ ଖବର ଦେଇଥିଲେ ।
ଯୁବକଙ୍କୁ ଖଣ୍ଡା ବୁଲାଇବା ମହଙ୍ଗା ପଡିଛି । ପୁଲିସ୍ ତାଙ୍କୁ ଗିରଫ କରିବା ସହ ଖଣ୍ଡା ଓ ୫ ହଜାର ଟଙ୍କାର ଜବତ କରିଛି । ଅନ୍ୟ ଦୁଇ ଯୁବକ ବାଇକ୍ ଧରି ଫେରାର ହୋଇଥିବା ଜଣାପଡିଛି । ଧାମରା ଥାନା କଇଥଖୋଲା ଅଞ୍ଚଳରେ ଘଟିଛି ଘଟଣା । ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।