ନୂଆଦିଲ୍ଲୀ ୧୩/୦୭: ଚୀନ୍‌ରେ ଜଣେ ବ୍ୟକ୍ତି ସହକର୍ମୀ(ତାଙ୍କର ବନ୍ଧୁ ମଧ୍ୟ)ଙ୍କ ବିଷୟରେ ସତ ଜାଣିବାକୁ ତାଙ୍କୁ ‘ଟ୍ରୁଥ୍‌ ସିରମ୍‌’ ପିଆଇଦେଲେ । କାରଣ ସେ ସହକର୍ମୀଙ୍କ କାମ ଯୋଜନା ବିଷୟରେ ଜାଣିବାକୁ ଚାହୁଁଥିଲେ, ଯେଉଁଥିପାଇଁ ସେ ସର୍ବଦା ଆଗରେ ରହୁଥିଲେ । ଏପରି କରିବା ଦ୍ୱାରା ସହକର୍ମୀଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଗଲା । ଶଂଘାଇର ଲି ନାମକ ଜଣେ ବ୍ୟକ୍ତି ବ୍ୟବସାୟିକ ଯାତ୍ରା ସମୟରେ ମାର୍ଗରେ ଜଣେ ବିକ୍ରେତାଙ୍କୁ ଦେଖିଲେ । ବିକ୍ରେତା ଜଣକ ତଥାକଥିତ ‘ଟ୍ରୁଥ୍‌ ସିରମ୍‌’ ବିକ୍ରି କରୁଥିଲେ । ସେ ଦାବି କଲେ, ଏହି ସିରମ୍‌ର ମାତ୍ର କିଛି ବୁନ୍ଦା ଲୋକଙ୍କୁ ସତ କହିବାକୁ ବାଧ୍ୟ କରିବ । ଏ କଥାରେ ଲି ପ୍ରଭାବିତ ହେଲେ ଏବଂ ସିରମ୍‌ର ପ୍ରଭାବକୁ ପରୀକ୍ଷା କରିବା ପାଇଁ ତାଙ୍କ ମନକୁ ଏକ ଉପାୟ ଆସିଲା । ୱାଙ୍ଗ୍‌ ନାମକ ସହକର୍ମୀଙ୍କ ଉପରେ ଏହାକୁ ପରୀକ୍ଷା କରିବାକୁ ସେ ସ୍ଥିର କଲେ । 

ସିରମ୍‌ ମାଧ୍ୟମରେ ୱାଙ୍ଗ୍‌ଙ୍କ କାମର ଯୋଜନା ବିଷୟରେ ଜାଣିବା ତାଙ୍କର ଉଦ୍ଦେଶ୍ୟ ଥିଲା । ୨୦୨୨, ଅଗଷ୍ଟ ୨୯ ତାରିଖରେ ରାତ୍ରିଭୋଜନ ସମୟରେ ଲି ଚୁପ୍‌ଚାପ ୱାଙ୍ଗ୍‌ଙ୍କ ପାନୀୟରେ ‘ଟ୍ରୁଥ୍‌ ସିରମ୍‌’ ମିଶାଇଦେଲେ । ଫଳରେ ୱାଙ୍ଗ୍‌ଙ୍କ ମୁଣ୍ଡ ବୁଲାଇଲା ଏବଂ ସେ ଅଚେତ୍‌ ହୋଇପଡ଼ିଲେ । ତା’ପରେ ଦୁଇଦିନ ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଲା । ୨୦୨୨, ଅକ୍ଟୋବର ୧୩ରେ ୟାଙ୍ଗପୁ ଜିଲ୍ଲାରେ ଏକ ରାତ୍ରିଭୋଜନ ସମୟରେ ଲି ସମାନ କାମ ଦୋହରାଇଲେ । ବିୟର୍‌ରେ ପୁଣି ‘ଟ୍ରୁଥ୍‌ ସିରମ୍‌’ ମିଶାଇଲେ, ଯାହାକୁ ପିଇବା ପରେ ୱାଙ୍ଗ୍‌ଙ୍କ ମୁଣ୍ଡ ବୁଲାଇ ବାନ୍ତି ହେଲା । ୩ୟ ତଥା ଶେଷ ଘଟଣା ୨୦୨୨, ନଭେମ୍ବର ୬ରେ ଘଟିଲା । ଲିଙ୍କ ସହ ରାତ୍ରିଭୋଜନ ସମୟରେ ୱାଙ୍ଗ୍‌ଙ୍କ ଅନ୍ୟମନସ୍କତାର ଲାଭ ଉଠାଇ ଲି ତାଙ୍କ ପାନୀୟରେ ‘ଟ୍ରୁଥ୍‌ ସିରମ୍‌’ ମିଶାଇଦେଲେ । ତାକୁ ପିଇବାକୁ ସେ ୱାଙ୍ଗ୍‌ଙ୍କୁ ବାଧ୍ୟ କଲେ । 

ପାନୀୟ ପିଇବା ପରେ ୱାଙ୍ଗ୍‌ଙ୍କ ମୁଣ୍ଡ ବୁଲାଇଲା ଏବଂ ସେ ଅଚେତ୍‌ ହୋଇପଡ଼ିଲେ । ଏଥିପାଇଁ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଲା । ୩ୟ ଥର ସମାନ ଘଟଣା ପରେ ୱାଙ୍ଗ୍‌ଙ୍କର ସନ୍ଦେହ ହେଲା । ମେଡିକାଲ ଟେଷ୍ଟ୍‌ ପରେ ୱାଙ୍ଗ୍‌ଙ୍କ ମୂତ୍ର ଓ କେଶ ନମୁନାରେ କ୍ଲୋନାଜେପମ୍‌ ଓ ଜାଇଲାଜିନ୍‌ ନାମକ ଦୁଇଟି ସାଇକୋଟ୍ରୋପିକ୍‌ ଡ୍ରଗ୍ସ ମିଳିଲା, ଯାହାର କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ଶୂନ୍ୟ କରିବାର ସାମର୍ଥ୍ୟ ରହିଛି । କ୍ଲୋନାଜେପମ୍‌କୁ ଦେଶରେ ୨ୟ ଶ୍ରେଣୀର ସାଇକୋଟ୍ରୋପିକ୍‌ ଡ୍ରଗ୍ସ ରୂପେ ବର୍ଗୀକୃତ କରାଯାଇଛି । ପରେ ଯାଞ୍ଚ୍‌ରୁ ଜଣାପଡ଼ିଲା, ଲି ୱାଙ୍ଗ୍‌ଙ୍କୁ ପିଆଇଥିବା ତଥାକଥିତ ‘ଟ୍ରୁଥ୍‌ ସିରମ୍‌’ରେ ଉଭୟ କ୍ଲୋନାଜେପମ୍‌ ଓ ଜାଇଲାଜିନ୍‌ ଡ୍ରଗ୍ସ ଥିଲା । ଏହା ପରେ ଲିଙ୍କ ବିରୋଧରେ ମକଦ୍ଦମା ଚାଲିଲା । ଲି ନିଜ ଅପରାଧ ସ୍ୱୀକାର କଲେ । ନିକଟରେ ଶଂଘାଇ ଜିଙ୍ଗାନ ଜିଲ୍ଲା ପିପୁଲ୍ସ କୋର୍ଟ ଲିଙ୍କୁ ଧୋକାରେ ନିଶା ଔଷଧ ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କଲେ । ୩ ବର୍ଷ ୩ ମାସ ଜେଲ ଦଣ୍ଡାଦେଶ ସହିତ ତାଙ୍କ ଉପରେ ୧,୪୦୦ ଆମେରିକୀୟ ଡଲାର ଜରିମାନା ଲାଗୁ ହୋଇଛି ।