ବାସୁଦେବପୁର,୦୫/୧୧: ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆରୁହା ପଞ୍ଚାୟତ କୁଞ୍ଛାଗଡିଆ ଗାଁରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଏକତରଫା ପ୍ରେମକୁ ବିରୋଧ କରିବାରୁ ପ୍ରେମିକାର ବାପାଙ୍କ ବେକ କାଟିଦେଲା ପ୍ରେମିକ। ଗୁରୁତର ଅବସ୍ଥାରେ ରାଜେନ୍ଦ୍ର ରାଉତଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ରାଜେନ୍ଦ୍ରଙ୍କ ଝିଅକୁ ବରଣ୍ଡୁ ପଞ୍ଚାୟତ କେନାଲ ଆଡି ଗ୍ରାମର ଏକ ଯୁବକ ଏକତରଫା ଭଲ ପାଉଥିଲା। ଏପରି ଏକତରଫା ପ୍ରେମକୁ ଝିଅର ବାପା ରାଜେନ୍ଦ୍ର ବିରୋଧ କରୁଥିଲେ। ବୁଧବାର ରାଜେନ୍ଦ୍ରଙ୍କ ଝିଅ ତୁଳାମତୁଳା ବିଦ୍ୟାଳୟକୁ ଟିୟୁସନ ହେବାକୁ ଆସିଥିବା ବେଳେ ରାଜେନ୍ଦ୍ର ଝିଅ ନିକଟକୁ ଆସିଥିଲେ । ଟିୟୁସନ ନିକଟରେ ଝିଅର ପ୍ରେମିକ ଜଗି ବସିଥିବା ବେଳେ ରାଜେନ୍ଦ୍ର ପାଟି କରିଥିଲେ। ହେଲେ ପୂର୍ବରୁ ପ୍ରସ୍ତୁତ ହୋଇ ଆସିଥିବା ଯୁବକ ପକେଟରୁ ଏକ ଧାରୁଆସ୍ତ୍ର କାଢି ରାଜେନ୍ଦ୍ରଙ୍କ ବେକ କାଟିଦେଇଥିଲା। ପରେ ସ୍ଥାନୀୟ ଲୋକେ ପହଞ୍ଚିବାରୁ ଯୁବକ ଜଣକ ନିଜର ବାଇକ ଛାଡି ଚମ୍ପଟ ମାରିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବାଇକ୍‌କୁ ଜବ କରି ଥାନାକୁ ନେଇଆସିଥିଲା । ଅନ୍ୟପଟେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ରାଜେନ୍ଦ୍ରକୁ ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ । ସେଠାରେ ରାଜେନ୍ଦ୍ରଙ୍କ ଚିକିତ୍ସା ଚାଲିଛି ।