ନୂଆଦିଲ୍ଲୀ,୧୪/୧୧: ଧୂମପାନ ଛାଡ଼ିବା ବହୁ ଲୋକଙ୍କ ଲାଗି ଏକ କଷ୍ଟକର କାମ । ଏହି ବଦଭ୍ୟାସର ଶିକାର ହୋଇପଡି଼ଥିବା ଲୋକେ ଏହାକୁ ସହଜରେ ଛାଡ଼ିପାରନ୍ତି ନାହିଁ । ଏପରିସ୍ଥଳେ ସୋସିଆଲ୍‌ ମିଡିଆରେ ଏକ ପ୍ରେରଣାପ୍ରଦ କାହାଣୀ ଭାଇରାଲ୍‌ ହେଉଛି । ତୁର୍କୀର ଜଣେ ବ୍ୟକ୍ତି ଇବ୍ରାହିମ ୟୁସେଲ ଧୂମପାନ ଛାଡି଼ବାକୁ ଏକ ନିଆରା ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି । ପ୍ରତିଦିନ ସକାଳୁ ୟୁସେଲ ଏକ ପିଞ୍ଜରାରେ ନିଜ ମୁଣ୍ଡକୁ ଆବଦ୍ଧ କରିନିଅନ୍ତି । ତାର ଚାବିକୁ ଘରଲୋକଙ୍କୁ ଦେଇଥାନ୍ତି । ଫଳରେ ସେ ସିଗାରେଟ୍‌ରୁ ଦୂରେଇ ରହିପାରିଛନ୍ତି । 

ଧୂମପାନ ଛାଡି଼ବାକୁ ୟୁସେଲଙ୍କର ଏହି ଯାତ୍ରା ଅତି କଠିନ ରହିଆସିଥିଲା । ଖୁବ୍‌ କମ୍‌ ବୟସରୁ ସିଗାରେଟ୍‌ ଟାଣିବା ଆରମ୍ଭ କରିଥିଲେ ସେ । ଦୀର୍ଘ ୨୬ ବର୍ଷ ହେଲା ଦିନକୁ ୨ ପ୍ୟାକେଟ୍‌ ସିଗାରେଟ୍‌ ଟାଣୁଥିଲେ । ଏହି ବଦଭ୍ୟାସକୁ ଛାଡି଼ବା ଲାଗି ସେ ଅନେକ ପ୍ରକାର ଉଦ୍ୟମ କରିଥିଲେ ବି କିଛି ଫଳବତୀ ହୋଇନଥିଲା । କିଛି ବର୍ଷ ତଳେ ବାପାଙ୍କର ଫୁସଫୁସ୍‌ କ୍ୟାନସରରେ ମୃତ୍ୟୁ ହେବା ପରେ ଧୂମପାନକୁ ଯେକୌଣସି ଉପାୟରେ ଛାଡି଼ବାକୁ ବଦ୍ଧପରିକର ହେଲେ ୟୁସେଲ । ଏଥିଲାଗି ଏକ ନିଆରା ପନ୍ଥା ଗ୍ରହଣ କଲେ । 

ମୋଟରସାଇକେଲର ହେଲ୍‌ମେଟ ଭଳି ନିଜ ମୁଣ୍ଡ ଲାଗି ଏକ ପିଞ୍ଜରା ତିଆରି କରାଇଲେ । ପିଞ୍ଜରାରେ ୪୦ ମିଟର ତମ୍ବା ତାର ବ୍ୟବହୃତ ହୋଇଛି । ତାରକୁ ଅତି ଜାକ ଜାକ କରି ପିଞ୍ଜରାରେ ବ୍ୟବହାର କରାଯାଇଛି ଯେପରିକି ସିଗାରେଟ୍‌ ବି ସେଥିରେ ଗଳିପାରିବ ନାହିଁ । ଏହି ପିଞ୍ଜରାକୁ ପିନ୍ଧି ସେ ପ୍ରଥମେ ଯେତେବେଳେ ଘରୁ ବାହାରିଲେ, ଲୋକେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ପତ୍ନୀ ପ୍ରାଥମିକ ଭାବେ ଏଥିଲାଗି ଲଜ୍ଜାବୋଧ କରୁଥିଲେ ବି ପରେ ତାଙ୍କର ପ୍ରତିବଦ୍ଧତା ଦେଖି ତାଙ୍କୁ ସମର୍ଥନ ଜଣାଇଲେ । ଏହି ପିଞ୍ଜରା ପିନ୍ଧିବା ଦ୍ୱାରା ୟୁସେଲଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡୁଥିଲେ ବି ସେ ଦୃଢ଼ପ୍ରତିଜ୍ଞ ରହିଛନ୍ତି । ଅବଶ୍ୟ ଖାଇବା ପିଇବା ସମୟରେ ପତ୍ନୀ ତାଙ୍କର ଚାବି ଖୋଲୁଛନ୍ତି ।