ନୂଆଦିଲ୍ଲୀ ୦୨/୦୬: ପ୍ରେମରେ ପଡ଼ି ଜୀବନସାଥୀଙ୍କୁ ଅତ୍ୟଧିକ ଭରସା କରିବା ବେଳେବେଳେ ମଣିଷକୁ ରସାତଳକୁ ନେଇ ଯାଇଥାଏ । କାନାଡା ୱିନିପେଗ୍‌ର ଜଣେ ଯୁବକଙ୍କ କ୍ଷେତ୍ରରେ ଏହି କଥାଟି ସତ୍ୟରେ ପରିଣତ ହୋଇଛି । ଯୁବକଜଣକ ୩୦ କୋଟି ଟଙ୍କାର ଲଟେରୀ ଜିତିଥିଲେ । ସେହି ଅର୍ଥ ସେ ତାଙ୍କ ପ୍ରେମିକାଙ୍କୁ ଉପହାର ଦେଇଥିଲେ । ତାଙ୍କ ପ୍ରେମିକା କିନ୍ତୁ ବିଲ୍‌କୁଲ ସମୟ ନଷ୍ଟ ନ କରି ସବୁ ଟଙ୍କା ନେଇ ଦ୍ୱିତୀୟ ପ୍ରେମିକଙ୍କ ସହ ଫେରାର ହୋଇଗଲେ । ବର୍ତ୍ତମାନ ଯୁବକଜଣକ ପୂର୍ବତନ ଗାର୍ଲଫ୍ରେଣ୍ଡଙ୍କ ବିରୋଧରେ ଧୋକ୍କା ଦେବା ଅଭିଯୋଗରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । 

ପୀଡି଼ତ ଲରେନ୍ସ କ୍ୟାମ୍ପବେଲଙ୍କ ଅନୁସାରେ, ସେ ୨୦୨୪ରେ ପୁରସ୍କାର ଜିତିଥିବା ଲଟେରୀ ଟିକଟକୁ କିଣିଥିଲେ । କିନ୍ତୁ ତାଙ୍କ ନିକଟରେ ବୈଧ ପରିଚୟ ପତ୍ର ନଥିବାରୁ ସେ ପୁରସ୍କାର ରାଶି ଦାବି କରିପାରିଲେ ନାହିଁ । ଏଭଳିସ୍ଥିତିରେ ଲଟେରୀ ଅଧିକାରୀଙ୍କ ପରାମର୍ଶକ୍ରମେ ନିଜର ତତ୍କାଳୀନ ପ୍ରେମିକା କ୍ରିଷ୍ଟାଲ ଆନ୍‌ ମ୍ୟାକେଙ୍କୁ ତାଙ୍କ ତରଫରୁ ୱେଷ୍ଟର୍ଣ୍ଣ କାନାଡା ଲଟେରୀ କର୍ପୋରେସନ୍‌ରୁ ପୁରସ୍କାର ଗ୍ରହଣ କରିବାକୁ ସେ କହିଲେ । ସେତେବେଳକୁ ସେମାନେ ଦେଢ଼ ବର୍ଷ ଧରି ସାଙ୍ଗରେ ରହୁଥିଲେ । ତେଣୁ ତାଙ୍କର ପ୍ରେମିକାଙ୍କ ଉପରେ ପୂର୍ଣ୍ଣ ଭରସା ଥିଲା । ପରବର୍ତ୍ତୀ ସମୟରେ ସେହି ଅର୍ଥକୁ ସେ ପ୍ରେମିକାଙ୍କୁ ଜନ୍ମଦିନ ଉପହାର ଭାବେ ମଧ୍ୟ ଦେଇଥିଲେ ।

ଏହାପରେ କିଛି ଦିନ ଯାଏ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ଥିଲା । କିନ୍ତୁ ପରେ କ୍ରିଷ୍ଟାଲ୍‌ ଅଚାନକ ନିଖୋଜ ହୋଇଗଲେ । ସେ କ୍ୟାମ୍ପବେଲଙ୍କ ସହିତ ସଂପର୍କ ଛିନ୍ନ କରିଥିବାବେଳେ ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ତାଙ୍କୁ ବ୍ଲକ୍‌ କରିଦେଲେ । ଏହାପରେ କ୍ରିଷ୍ଟାଲ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ସଂପର୍କରେ ଥିବା କ୍ୟାମ୍ପବେଲ ଜାଣିବାକୁ ପାଇଲେ । ଏହାକୁ ନେଇ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେଥିରେ କ୍ରିଷ୍ଟାଲ, ୱେଷ୍ଟର୍ଣ୍ଣ କାନାଡା ଲଟେରୀ କର୍ପୋରେସନ୍‌, ମାନିଟୋବା ଲିକର ଆଣ୍ଡ ଲଟେରିଜ୍‌କୁ ପକ୍ଷଭୁକ୍ତ କରାଯାଇଛି ।