ଭୁବନେଶ୍ବର, ୧୩/୦୩: ସଂସଦରେ ଓଡ଼ିଶାର ସ୍ବାର୍ଥ ପ୍ରଥମ ପ୍ରାଥମିକତା । ପ୍ରତି ଅଧିବେଶନରେ ବିଜେଡି ରାଜ୍ୟର ସ୍ବାର୍ଥ ପାଇଁ ରାଜ୍ୟସଭାରେ ଲଢ଼େଇ କରିଆସୁଛି । ଏ ଲଢ଼େଇ ଆଗକୁ ମଧ୍ୟ ଜାରି ରହିବ । ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ସାଂସଦ ମାନସ ମଙ୍ଗରାଜ । ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଆଶୀର୍ବାଦ କାମନା କରିଛନ୍ତି । ସେହିପରି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ସଂସଦୀୟ ଦଳର ଉପନେତା ଏବଂ ସଚେତକ ଦାୟିତ୍ବ ମିଳିଛି ।
ସୂଚନା ଅନୁଯାୟୀ, ମାନସ ମଙ୍ଗରାଜ ଓ ସୁଲତା ଦେଓଙ୍କୁ ଗୁରୁଦାୟିତ୍ବ ମିଳିଛି । ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳନେତା ଭାବେ ସାଂସଦ ମାନସ ମଙ୍ଗରାଜ ଏବଂ ଉପନେତା ତଥା ସଚେତକ ଭାବେ ସୁଲତା ଦେଓଙ୍କୁ ଚୟନ କରିଛନ୍ତି । ନବୀନ ଉଭୟଙ୍କ ଚୟନକୁ ଅନୁମୋଦନ ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।