କଟକ,୨୮/୦୧: ମଙ୍ଗଳାବାଗ ଥାନା ବଢ଼େଇସାହି ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ଚଗଲା ଓରଫ ଅକ୍ଷୟ ବେହେରାକୁ ସ୍ଥାନୀୟ ଥାନା ପୁଲିସ ଗିରଫ କରିଛି ।୨୦ ବର୍ଷ ପୁରୁଣା ଏକ  ହତ୍ୟା ଉଦ୍ୟମ ମାମଲାରେ ଚଗଲା ନାଁରେ କୋର୍ଟରୁ ୱାରେଣ୍ଟ ଜାରି ହୋଇଥିଲା । ଗତ ୨୦୦୪ ମସିହାରେ କଟକର ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ଚଗଲାର ସଂପୃକ୍ତି ଥିଲା । ଉକ୍ତ କେସ୍‌ରେ ଚଗଲା ଗିରଫ ହୋଇ ଜେଲ୍‌ରେ ରହିଥିଲା । ପରେ ଜାମିନରେ ଆସିଥିଲା । ମାତ୍ର କୋର୍ଟରେ ଆଉ  ହାଜିରା ଦେଇନଥିଲା । ଫଳରେ ସିଜେଏମ୍‌ କଟକଙ୍କ କୋର୍ଟରୁ ଜାମିନ ବୀହିନ ପରୱାନା  ଜାରି ହୋଇଥିଲା । ଏହି ୱାରେଣ୍ଟ ବଳରେ ଚଗଲାକୁ ଗିରଫ କରାଯାଇଛି । 

ଚଗଲା ହେଉଛି ଭୁବନେଶ୍ୱରର ଜୁଡୋ କୋଚ୍‌ ବିରଞ୍ଚି ଦାସ ହତ୍ୟା ଘଟଣାର ଆସାମୀ । ଏହି ଘଟଣାର ଅନ୍ୟତମ ଆସାମୀ ରାଜା ଆଚାର୍ଯ୍ୟର ପ୍ରମୁଖ ସହଯୋଗୀ ହେଉଛି ଚଗଲା । ୨୦୦୮ ଏପ୍ରିଲ୍‌ ୧୩ ତାରିଖରେ ବିରଞ୍ଚି ଦାସଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ପରେ ଏହି ଘଟଣାରେ ୨୦୧୦ ଡିସେମ୍ବର ୧୩ ତାରିଖରେ ଭୁବନେଶ୍ୱରର ଏକ ଫାଷ୍ଟଟ୍ରାକ୍‌ କୋର୍ଟ ଚଗଲା ଓ ରାଜାକୁ ଦୋଷୀ ସାବ୍ୟସ୍ତ କରିଥିଲେ । ପରେ ରାଜା  ସହିତ ଚଗଲା ଆଜୀବନ ସଜା କାଟିଥିଲା । ଗତ କିଛି ବର୍ଷ ହେବ ଚଗଲା ସଜାକାଟି  ଜେଲ୍‌ରୁ ଫେରିଥିଲା । ଏବେ ସେ ଏକ ଛୋଟମୋଟ କାମ କରି ଚଳୁଥିଲା । ତେବେ  କୋର୍ଟରୁ ୨୦୨୩ ମସିହାରେ ୱାରେଣ୍ଟ ଜାରି ହୋଇ ମଙ୍ଗଳାବାଗ ଥାନାକୁ ଆସିଥିଲା । ବର୍ଷେରୁ ଅଧିକ ସୟମ ହେବ ଏହି ୱାରେଣ୍ଟ ପଡ଼ିରହିଥିଲା । ଆଜି ଚଗଲାକୁ ତାର  ଘରୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି।