ନୂଆଦିଲ୍ଲୀ,୮।୬: ମଣିପୁରରେ ପୁଣିଥରେ ସ୍ଥିତି ଖରାପ ହେବାରେ ଲାଗିଛି। ଏପରିକି ବହୁ ଘାଟୀ ଅଞ୍ଚଳରେ ତାଜା ହିଂସା ପରେ ବିବାଦ ବଢିବାରେ ଲାଗିଛି, ଏହି କାରଣରୁ ଅନେକ ଅଞ୍ଚଳରେ କର୍ଫ୍ୟୁ ଲଗାଇ ଦିଆଯାଇଛି। ଏହା ସହ ଇଣ୍ଟରନେଟ୍ ସେବା ବି ବନ୍ଦ ରହିଛି। ପୂର୍ବୋତ୍ତର ରାଜ୍ୟରେ ଗତକାଲି ରାତିରେ ମୈତେଇ ସମ୍ପ୍ରଦାୟର ଅରବାଇ ଟେଙ୍ଗୋଲର ଜଣେ ନେତା ଓ କିଛି ଅନ୍ୟ ସଦସ୍ୟଙ୍କୁ ଗିରଫ କରାଯାଇଥିବା ଖବର ପରେ ଅଶାନ୍ତି ଲାଗି ରହିଛି। 

ପ୍ରଦର୍ଶନକାରୀମାନେ ହଙ୍ଗାମା କରିବା ଆରମ୍ଭ କରିଦେଇଛନ୍ତି। ଇମ୍ଫାଲର ଖୁରାଇ ଲାମଲଙ୍ଗ ଅଞ୍ଚଳରେ  ଲୋକମାନେ ରାସ୍ତା ମଝିରେ ଟାୟାର ଓ ପୁରୁଣା ଫର୍ଣ୍ଣିଚର ଜଳାଇବା ସହ ବସ୍‌ରେ ନିଆଁ ଲଗାଇଛନ୍ତି। ଏହା ସହ ଏୟାରପୋର୍ଟର ପ୍ରବେଶ ଦ୍ବାରାକୁ ମଧ୍ୟ ଘେରାଉ କରିଦେଇଛନ୍ତି। ନିଜ ନେତାଙ୍କ ମୁକ୍ତି ଦାବି କରି ସୁରକ୍ଷାକର୍ମୀଙ୍କ ସହ ହାତାହାତି ହୋଇଛନ୍ତି। କିଛି ଲୋକ ରାଜଧାନୀ ଇମ୍ଫାଲରେ ଆତ୍ମଦାହ କରିବାର ଚେଷ୍ଟା କରିଛନ୍ତି। ଏହି କାରଣରୁ ଆଜି ରବିବାର ମଧ୍ୟ ସ୍ଥିତି ଉତ୍ତେଜନାମୂଳକ ରହିଛି।  

ଉଲ୍ଳେଖନୀୟ ଯେ, ଶନିବାର ବିଳମ୍ବିତ ରାତିରେ ଇମ୍ପାଲ ପୂର୍ବ ଓ ପଶ୍ଚିମ ଜିଲ୍ଲାରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି। ଯେତେବେଳେ ଆରାମବାଇ ତେଗଗୋଲ ଗ୍ରୁପ୍‌ର ସଦସ୍ୟଙ୍କୁ ଗିରଫ କରାଯାଇଛି।  ଏହାପରେ ପ୍ରଦର୍ଶନକାରୀମାନେ ପୋଲିସ ସହ ରାଜଧାନୀ ଇମ୍ଫାଲର ବହୁ ଅଞ୍ଚଳରେ ସଂଘର୍ଷ ହୋଇଛି।   ରାଜଧାନୀରେ ହିଂସାକୁ ଦେଖି ପୋଲିସ ବଳ ପ୍ରୟୋଗ କରିଛି ଓ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି। ଏହି ସମୟରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି।  ହିଂସାକୁ ଦୃଷ୍ଟିରେ ରଖି ବିଷ୍ଣୁପୁର ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବରେ କର୍ଫୁ ଲଗାଇ ଦିଆଯାଇଛି। ସେଭଳି ଇମ୍ପାଲ ଇଷ୍ଟ, ଇମ୍ପାଲ ଓ୍ବେଷ୍ଟ, ଥୋବଲ  ଓ କାକଚିଙ୍ଗର ୫ଟିରୁ ଅଧିକ ସ୍ଥାନରେ ଲୋକଙ୍କ ଏକାଠି ହେବା ଉପରେ ରୋକ ଲଗାଇ ଦିଆଯାଇଛି।