ଭୁବନେଶ୍ୱର,୧୯/୧୧: ରାଜ୍ୟର ୬ ପିଭିଟିଜି (ପର୍ଟିକୁଲାର୍ଲି ଭଲ୍ନେରବଲ୍ ଟ୍ରାଇବାଲ୍ ଗ୍ରୁପ୍ସ)ଙ୍କୁ ପାରମ୍ପରିକ ବସତି ଅଧିକାର ମିଳିଛି । ସେମାନଙ୍କୁ ରାଜ୍ୟର ମୋଟ ୧୪ ଲକ୍ଷ ୫୫ ହଜାର ହେକ୍ଟର ଜଙ୍ଗଲ ଉପରେ ମିଳିଛି ମାଲିକାନା ସ୍ୱତ୍ୱ ।
ରାଜ୍ୟର ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରୁଥିବା ଏହି ଅନୁନ୍ନତ ଜନଜାତିଙ୍କୁ ମିଳିଥିବା ସେମାନଙ୍କର ଏହି ଅଧିକାର କେବଳ ଅଧିକାର ନୁହେଁ ବରଂ ଏହା ସେମାନଙ୍କର ପରିଚୟ । ସେମାନଙ୍କର ପୈତୃକ ଜମି ଉପରେ ଦିଆଯାଇଥିବା ଏହି ଅଧିକାର ପରୋକ୍ଷରେ ସେମାନଙ୍କର ସାଂସ୍କୃତିକ ଅଭ୍ୟାସ ଓ ଜୀବନ ଜୀବିକାକୁ ସଂରକ୍ଷିତ କରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଛି ଦିନ ତଳେ ୬ଟି ଜନଜାତିକୁ ସେମାନଙ୍କର ବସତି ଉପରେ ଏହି ଅଧିକାର ପ୍ରଦାନ କରିଛନ୍ତି । ଏଭଳି ଐତିହାସିକ ପଦକ୍ଷେପ ନେବାରେ ଓଡିଶା ଦେଶରେ ଅଗ୍ରଣୀ ରାଜ୍ୟ ଭାବେ ଆଦିବାସୀଙ୍କ ପ୍ରତି ନିଜର ଉତ୍ତର ଦାୟିତ୍ୱକୁ ପ୍ରମାଣିତ କରିଛି ।
ରାଜ୍ୟର ସମୁଦାୟ ୪.୫ କୋଟି ଲୋକଙ୍କ ମଧ୍ୟରୁ ୨୩ ପ୍ରତିଶତ ଅନୁସୂଚିତ ଜନଜାତି ବର୍ଗର । ଓଡ଼ିଶାରେ ୧୩ ପ୍ରକାର ଏହି ଅନୁନ୍ନତ ଜନଜାତି ରହୁଥିବା ବେଳେ ଏହି ସଂଖ୍ୟା ଦେଶରେ ସର୍ବାଧିକ । ରାଜ୍ୟର ୧୪ଟି ଜିଲ୍ଲାର ୪୨ଟି ବ୍ଲକ୍ର ୨୮୫ଟି ପଞ୍ଚାୟତର ୧୬୮୩ଟି ଗାଁରେ ୧ ଲକ୍ଷ ୭୯ ହଜାର ୭୪୨ଟି ପରିବାରର ୭ ଲକ୍ଷ ୭୩ ହଜାର ୯୨ ଜଣ ଜନଜାତି ଲୋକ ରହୁଛନ୍ତି । ଏଭଳି ସି୍ôଥତିରେ ଓଡ଼ିଶାର ୬ଟି ଜନଜାତିର ଲୋକଙ୍କୁ ସେମାନଙ୍କର ବସତି ଉପରେ ଅଧିକାର ପ୍ରଦାନ କରାଯାଇଛି । ଦେବଗଡ଼ ଜିଲ୍ଲାର ପାଉଡ଼ି ଭୂୟାଁ ଜନଜାତି ସମ୍ପ୍ରଦାୟଙ୍କୁ ପ୍ରଥମ କରି ବସତି ଅଧିକାର ମିଳିଥିବା ବେଳେ ପରକୁ ପର ଜୁଆଙ୍ଗ (କେନ୍ଦୁଝର ଓ ଯାଜପୁର), ଚୁକୁଟିଆ ଭୁଞ୍ଜିଆ, ସଉରା, ମାଙ୍କିଡିଆ, ହିଲ ଖଡିଆ ଓ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟଙ୍କୁ ସେମାନଙ୍କର ବସତି ଉପରେ ଅଧିକାର ପ୍ରଦାନ କରାଯାଇଛି ।
୩୬୨ ଗାଁରେ ରହୁଥିବା ଏହି ଜନଜାତିଙ୍କୁ ସେମାନଙ୍କର ବସତି ଉପରେ ଅଧିକାର ମିଳିଛି । ନୂଆପଡା ଜିଲ୍ଲାର ୩୫ଟି ଚୁକୁଟିଆ ଭୁଞ୍ଜିଆ ଗାଁର ୮୮ ହଜାର ୫୬୬ ହେକ୍ଟର ଜମି, ଯାଜପୁରର ଜିଲ୍ଲାର ୧୨ ଜୁଆଙ୍ଗ ଗାଁର ୨୮ ହଜାର ୧୮୮ ହେକ୍ଟର , କେନ୍ଦୁଝରର ୧୩୪ ଜୁଆଙ୍ଗ ଗାଁର ୨ ଲକ୍ଷ ୭ ହଜାର ୬୦୩ ହେକ୍ଟର, ମୟୂରଭଞ୍ଜ ଜିଲ୍ଲାର ୯ଟି ମାଙ୍କିଡ଼ିଆ ଗାଁର ୮ ଲକ୍ଷ ୧୨ ହଜାର ୯୩୨ ହେକ୍ଟର, ମୟୂରଭଞ୍ଜର ୩୭ଟି ହିଲ ଖଡ଼ିଆ ଗାଁର ୧ ଲକ୍ଷ ୩୧ ହଜାର ୧୬୬ ହେକ୍ଟର ଜଙ୍ଗଲ ଜମି, କନ୍ଧମାଳର ୧୨୩ଟି କୁଟିଆ କନ୍ଧ ଗାଁର ୬୩ ହଜାର ୩୭୪ ହେକ୍ଟର ଜଙ୍ଗଲ ଜମି, ଗଜପତିର ୧୨ଟି ସଉରା ଗାଁର ୧ ଲକ୍ଷ ୨୩ ହଜାର ୫୦୪ ହେକ୍ଟର ଜମି ଉପରେ ସେମାନଙ୍କର ପାରମ୍ପରିକ ବସତି ଅଧିକାର ମିଳିଛି ।
ଏ ସଂପର୍କରେ ସ୍ୱେଚ୍ଛାସେବୀ ସଙ୍ଗଠନ ବସୁନ୍ଧରାର ଏଗ୍ଜିକ୍ୟୁଟିଭ୍ ଡାଇରେକ୍ଟର ୱାଇ ଗରି ରାଓ କହିଛନ୍ତି, ଜନଜାତିଙ୍କୁ ପ୍ରଦାନ କରାଯାଇଥିବା ଏହି ବସତି ଅଧିକାର ପାଇଁ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନ, ବସୁନ୍ଧରା ସହାୟତାରେ ବାରମ୍ୱାର ବୈଠକ କଲା ପରେ ପାରମ୍ପରିକ ନେତା ଓ ବୟୋଜ୍ୟେଷ୍ଠମାନଙ୍କୁ ନେଇ ସେମାନଙ୍କର ଇତିହାସକୁ ଲିପିବଦ୍ଧ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଜନଜାତି ସମ୍ପ୍ରଦାୟଙ୍କର ସମସ୍ତ ପାରମ୍ପରିକ ଅଧିକାରର ତଥ୍ୟକୁ ଏକାଠି କଲା ପରେ ଏହାକୁ ଗ୍ରାମସଭାରେ ଉପସ୍ଥାପନ କରାଯାଇଥିଲା । ଗ୍ରାମସଭା ଏହାକୁ ମୋହର ମାରିବା ପରେ ଏହା ପ୍ରଶାସନର ଉପଖଣ୍ଡସ୍ତରୀୟ କମିଟି ଓ ପରେ ଜିଲ୍ଲାସ୍ତରୀୟ କମିଟିକୁ ଯାଇଥିଲା । ଶେଷରେ ଏହାକୁ ଜିଲ୍ଲାପାଳ ମୋହର ମାରିଥିଲେ ।
ସୂଚନାଯୋଗ୍ୟ ଆଦିବାସୀ ସମ୍ପ୍ରଦାୟଗୁଡିକ ଦୀର୍ଘ ବର୍ଷ ହେବ ସେମାନଙ୍କର ଅଧିକାରରୁ ବଞ୍ଚିତ ହୋଇ ରହି ଆସୁଥିଲେ । ଏ ବାବଦରେ ମାଧବ ଗାଡଗିଲ୍ ଓ ରାମଚନ୍ଦ୍ର ଗୁହାଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ଉପନିବେଶ ସମୟରୁ ଜଙ୍ଗଲ ଉପରେ ଇଂରେଜଙ୍କର ନିୟନ୍ତ୍ରଣ ରହି ଆସିଥିଲା । ଜଙ୍ଗଲ ଉପରେ ବନବାସୀଙ୍କ ଅଧିକାର ଫେରାଇ ଆଣିବା ପାଇଁ ଭାରତୀୟ ଜଙ୍ଗଲ ଆଇନ ୧୮୬୫, ଭାରତୀୟ ଜଙ୍ଗଲ ଆଇନ ୧୮୭୮ ଓ ଭାରତୀୟ ଜଙ୍ଗଲ ଆଇନ ୧୯୨୭ ଆସିଥିଲା ।
ତେବେ ଏସବୁ କେବଳ ବାଣିଜ୍ୟିକ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥିଲା ଓ ଜଙ୍ଗଲ ଉପରେ ସ୍ଥାନୀୟ ସମ୍ପ୍ରଦାୟର ଅଧିକାରକୁ ସୀମିତ କରିଥିଲା । ତେଣୁ ଜଙ୍ଗଲ ଉପରେ ବନବାସୀଙ୍କ ଅଧିକାରକୁ ଫେରାଇ ଆଣିବାକୁ ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତିରାଜ ସମ୍ପ୍ରସାରଣ ଅଧିନିୟମ (ପେସା) ୧୯୯୬ ଏବଂ ଜୈବ ବିବିଧତା ଅଧିନିୟମ ୨୦୦୨ ଆସିଲା । ଏହି ଆଇନ ସ୍ଥାନୀୟ ସମ୍ପ୍ରଦାୟକୁ ସେମାନଙ୍କର ସମ୍ୱଳ ପରିଚାଳନା କରିବାର ଅଧିକାର ପ୍ରଦାନ କରିବା ସହ ଏହାର ସୁରକ୍ଷା ଓ ସଂରକ୍ଷଣ କରିବାର ଅଧିକାର ପ୍ରଦାନ କଲା । ହେଲେ ଏସବୁ ବାସ୍ତବିକ ଭାବେ ଲାଗୁ କରିବା ଦିଗରେ ଅସୁବିଧା ସୃଷ୍ଟି ହେବାରୁ ଶେଷରେ ଜଙ୍ଗଲ ଅଧିକାର ଅଧିନିୟମ ୨୦୦୬ ଆସିଲା ଯାହାକି ୨୦୦୮ରେ ସଂଶୋଧିତ ହେଲା । ଆଉ ଏବେ ଏହି ଆଇନ ବଳରେ ହିଁ ଓଡ଼ିଶାରେ ଜନଜାତିଙ୍କୁ ସେମାନଙ୍କର ବସତି ଉପରେ ଅଧିକାର ମିଳି ପାରିଛି ।