ଭୁବନେଶ୍ୱର,୧୯/୧୧: ରାଜ୍ୟର ୬  ପିଭିଟିଜି (ପର୍ଟିକୁଲାର୍ଲି ଭଲ୍‌ନେରବଲ୍‌ ଟ୍ରାଇବାଲ୍‌  ଗ୍ରୁପ୍‌ସ)ଙ୍କୁ ପାରମ୍ପରିକ ବସତି ଅଧିକାର ମିଳିଛି ।  ସେମାନଙ୍କୁ ରାଜ୍ୟର ମୋଟ ୧୪ ଲକ୍ଷ ୫୫ ହଜାର  ହେକ୍ଟର ଜଙ୍ଗଲ ଉପରେ ମିଳିଛି ମାଲିକାନା ସ୍ୱତ୍ୱ ।  

ରାଜ୍ୟର ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରୁଥିବା ଏହି  ଅନୁନ୍ନତ ଜନଜାତିଙ୍କୁ ମିଳିଥିବା ସେମାନଙ୍କର ଏହି  ଅଧିକାର କେବଳ ଅଧିକାର ନୁହେଁ ବରଂ ଏହା  ସେମାନଙ୍କର ପରିଚୟ । ସେମାନଙ୍କର ପୈତୃକ ଜମି  ଉପରେ ଦିଆଯାଇଥିବା ଏହି ଅଧିକାର ପରୋକ୍ଷରେ  ସେମାନଙ୍କର ସାଂସ୍କୃତିକ ଅଭ୍ୟାସ ଓ ଜୀବନ  ଜୀବିକାକୁ ସଂରକ୍ଷିତ କରିଛି । ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ କିଛି ଦିନ ତଳେ ୬ଟି ଜନଜାତିକୁ  ସେମାନଙ୍କର ବସତି ଉପରେ ଏହି ଅଧିକାର ପ୍ରଦାନ  କରିଛନ୍ତି । ଏଭଳି ଐତିହାସିକ ପଦକ୍ଷେପ ନେବାରେ  ଓଡିଶା ଦେଶରେ ଅଗ୍ରଣୀ ରାଜ୍ୟ ଭାବେ ଆଦିବାସୀଙ୍କ  ପ୍ରତି ନିଜର ଉତ୍ତର ଦାୟିତ୍ୱକୁ ପ୍ରମାଣିତ କରିଛି ।  

ରାଜ୍ୟର ସମୁଦାୟ ୪.୫ କୋଟି ଲୋକଙ୍କ  ମଧ୍ୟରୁ ୨୩ ପ୍ରତିଶତ ଅନୁସୂଚିତ ଜନଜାତି  ବର୍ଗର । ଓଡ଼ିଶାରେ ୧୩ ପ୍ରକାର ଏହି ଅନୁନ୍ନତ  ଜନଜାତି ରହୁଥିବା ବେଳେ ଏହି ସଂଖ୍ୟା ଦେଶରେ  ସର୍ବାଧିକ । ରାଜ୍ୟର ୧୪ଟି ଜିଲ୍ଲାର ୪୨ଟି ବ୍ଲକ୍‌ର  ୨୮୫ଟି ପଞ୍ଚାୟତର ୧୬୮୩ଟି ଗାଁରେ ୧ ଲକ୍ଷ  ୭୯ ହଜାର ୭୪୨ଟି ପରିବାରର ୭ ଲକ୍ଷ ୭୩  ହଜାର ୯୨ ଜଣ ଜନଜାତି ଲୋକ ରହୁଛନ୍ତି ।  ଏଭଳି ସି୍ôଥତିରେ ଓଡ଼ିଶାର ୬ଟି ଜନଜାତିର  ଲୋକଙ୍କୁ ସେମାନଙ୍କର ବସତି ଉପରେ ଅଧିକାର  ପ୍ରଦାନ କରାଯାଇଛି । ଦେବଗଡ଼ ଜିଲ୍ଲାର ପାଉଡ଼ି  ଭୂୟାଁ ଜନଜାତି ସମ୍ପ୍ରଦାୟଙ୍କୁ ପ୍ରଥମ କରି ବସତି  ଅଧିକାର ମିଳିଥିବା ବେଳେ ପରକୁ ପର  ଜୁଆଙ୍ଗ (କେନ୍ଦୁଝର ଓ ଯାଜପୁର), ଚୁକୁଟିଆ  ଭୁଞ୍ଜିଆ, ସଉରା, ମାଙ୍କିଡିଆ, ହିଲ ଖଡିଆ  ଓ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟଙ୍କୁ ସେମାନଙ୍କର  ବସତି ଉପରେ ଅଧିକାର ପ୍ରଦାନ କରାଯାଇଛି ।  

୩୬୨ ଗାଁରେ ରହୁଥିବା ଏହି ଜନଜାତିଙ୍କୁ  ସେମାନଙ୍କର ବସତି ଉପରେ ଅଧିକାର ମିଳିଛି ।  ନୂଆପଡା ଜିଲ୍ଲାର ୩୫ଟି ଚୁକୁଟିଆ ଭୁଞ୍ଜିଆ ଗାଁର  ୮୮ ହଜାର ୫୬୬ ହେକ୍ଟର ଜମି, ଯାଜପୁରର  ଜିଲ୍ଲାର ୧୨ ଜୁଆଙ୍ଗ ଗାଁର ୨୮ ହଜାର ୧୮୮ ହେକ୍ଟର  , କେନ୍ଦୁଝରର ୧୩୪ ଜୁଆଙ୍ଗ ଗାଁର ୨ ଲକ୍ଷ ୭  ହଜାର ୬୦୩ ହେକ୍ଟର, ମୟୂରଭଞ୍ଜ ଜିଲ୍ଲାର ୯ଟି  ମାଙ୍କିଡ଼ିଆ ଗାଁର ୮ ଲକ୍ଷ ୧୨ ହଜାର ୯୩୨ ହେକ୍ଟର,  ମୟୂରଭଞ୍ଜର ୩୭ଟି ହିଲ ଖଡ଼ିଆ ଗାଁର ୧ ଲକ୍ଷ ୩୧  ହଜାର ୧୬୬ ହେକ୍ଟର ଜଙ୍ଗଲ ଜମି, କନ୍ଧମାଳର  ୧୨୩ଟି କୁଟିଆ କନ୍ଧ ଗାଁର ୬୩ ହଜାର ୩୭୪  ହେକ୍ଟର ଜଙ୍ଗଲ ଜମି, ଗଜପତିର ୧୨ଟି ସଉରା ଗାଁର  ୧ ଲକ୍ଷ ୨୩ ହଜାର ୫୦୪ ହେକ୍ଟର ଜମି ଉପରେ  ସେମାନଙ୍କର ପାରମ୍ପରିକ ବସତି ଅଧିକାର ମିଳିଛି ।  

ଏ ସଂପର୍କରେ ସ୍ୱେଚ୍ଛାସେବୀ ସଙ୍ଗଠନ  ବସୁନ୍ଧରାର ଏଗ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ୱାଇ ଗରି  ରାଓ କହିଛନ୍ତି, ଜନଜାତିଙ୍କୁ ପ୍ରଦାନ କରାଯାଇଥିବା  ଏହି ବସତି ଅଧିକାର ପାଇଁ ଅନୁସୂଚିତ ଜାତି  ଓ ଜନଜାତି ଗବେଷଣା ପ୍ରତିଷ୍ଠାନ, ବସୁନ୍ଧରା  ସହାୟତାରେ ବାରମ୍ୱାର ବୈଠକ କଲା ପରେ  ପାରମ୍ପରିକ ନେତା ଓ ବୟୋଜ୍ୟେଷ୍ଠମାନଙ୍କୁ ନେଇ  ସେମାନଙ୍କର ଇତିହାସକୁ ଲିପିବଦ୍ଧ କରାଯିବା ପ୍ରକ୍ରିୟା  ଆରମ୍ଭ କରାଯାଇଥିଲା । ଜନଜାତି ସମ୍ପ୍ରଦାୟଙ୍କର  ସମସ୍ତ ପାରମ୍ପରିକ ଅଧିକାରର ତଥ୍ୟକୁ ଏକାଠି  କଲା ପରେ ଏହାକୁ ଗ୍ରାମସଭାରେ ଉପସ୍ଥାପନ  କରାଯାଇଥିଲା । ଗ୍ରାମସଭା ଏହାକୁ ମୋହର  ମାରିବା ପରେ ଏହା ପ୍ରଶାସନର ଉପଖଣ୍ଡସ୍ତରୀୟ  କମିଟି ଓ ପରେ ଜିଲ୍ଲାସ୍ତରୀୟ କମିଟିକୁ ଯାଇଥିଲା ।  ଶେଷରେ ଏହାକୁ ଜିଲ୍ଲାପାଳ ମୋହର ମାରିଥିଲେ ।  

ସୂଚନାଯୋଗ୍ୟ ଆଦିବାସୀ ସମ୍ପ୍ରଦାୟଗୁଡିକ  ଦୀର୍ଘ ବର୍ଷ ହେବ ସେମାନଙ୍କର ଅଧିକାରରୁ ବଞ୍ଚିତ  ହୋଇ ରହି ଆସୁଥିଲେ । ଏ ବାବଦରେ ମାଧବ  ଗାଡଗିଲ୍‌ ଓ ରାମଚନ୍ଦ୍ର ଗୁହାଙ୍କ ଦ୍ୱାରା କରାଯାଇଥିବା  ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ଉପନିବେଶ  ସମୟରୁ ଜଙ୍ଗଲ ଉପରେ ଇଂରେଜଙ୍କର ନିୟନ୍ତ୍ରଣ  ରହି ଆସିଥିଲା । ଜଙ୍ଗଲ ଉପରେ ବନବାସୀଙ୍କ  ଅଧିକାର ଫେରାଇ ଆଣିବା ପାଇଁ ଭାରତୀୟ ଜଙ୍ଗଲ  ଆଇନ ୧୮୬୫, ଭାରତୀୟ ଜଙ୍ଗଲ ଆଇନ ୧୮୭୮  ଓ ଭାରତୀୟ ଜଙ୍ଗଲ ଆଇନ ୧୯୨୭ ଆସିଥିଲା ।  

ତେବେ ଏସବୁ କେବଳ ବାଣିଜ୍ୟିକ ସ୍ୱାର୍ଥକୁ  ପ୍ରାଧାନ୍ୟ ଦେଇଥିଲା ଓ ଜଙ୍ଗଲ ଉପରେ ସ୍ଥାନୀୟ  ସମ୍ପ୍ରଦାୟର ଅଧିକାରକୁ ସୀମିତ କରିଥିଲା । ତେଣୁ  ଜଙ୍ଗଲ ଉପରେ ବନବାସୀଙ୍କ ଅଧିକାରକୁ ଫେରାଇ  ଆଣିବାକୁ ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତିରାଜ  ସମ୍ପ୍ରସାରଣ ଅଧିନିୟମ (ପେସା) ୧୯୯୬ ଏବଂ  ଜୈବ ବିବିଧତା ଅଧିନିୟମ ୨୦୦୨ ଆସିଲା ।  ଏହି ଆଇନ ସ୍ଥାନୀୟ ସମ୍ପ୍ରଦାୟକୁ ସେମାନଙ୍କର  ସମ୍ୱଳ ପରିଚାଳନା କରିବାର ଅଧିକାର ପ୍ରଦାନ  କରିବା ସହ ଏହାର ସୁରକ୍ଷା ଓ ସଂରକ୍ଷଣ  କରିବାର ଅଧିକାର ପ୍ରଦାନ କଲା । ହେଲେ ଏସବୁ  ବାସ୍ତବିକ ଭାବେ ଲାଗୁ କରିବା ଦିଗରେ ଅସୁବିଧା  ସୃଷ୍ଟି ହେବାରୁ ଶେଷରେ ଜଙ୍ଗଲ ଅଧିକାର  ଅଧିନିୟମ ୨୦୦୬ ଆସିଲା ଯାହାକି ୨୦୦୮ରେ  ସଂଶୋଧିତ ହେଲା । ଆଉ ଏବେ ଏହି ଆଇନ  ବଳରେ ହିଁ ଓଡ଼ିଶାରେ ଜନଜାତିଙ୍କୁ ସେମାନଙ୍କର  ବସତି ଉପରେ ଅଧିକାର ମିଳି ପାରିଛି ।