ନୂଆଦିଲ୍ଲୀ,୨୯/୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ବିଦାୟ ଦିଆଯାଇଛି । ନୂଆଦିଲ୍ଲୀର ନିଗମବୋଧ ଘାଟରେ ଦିବଂଗତ ପ୍ରଧାନମନ୍ତ୍ରୀଙ୍କର ଅନ୍ତିମ ସଂସ୍କାର ଶନିବାର ସମ୍ପନ୍ନ ହୋଇଛି । ଏହି ସମୟରେ ଡ. ସିଂହଙ୍କ ପତ୍ନୀ ଗୁରଶରଣ କୌର ଓ ତାଙ୍କ ଝିଅମାନେ ଉପସ୍ଥିତ ଥିଲେ । ୨୦୧୯ରେ ଡ. ସିଂହଙ୍କ ଏସ୍ପିଜି ସିକ୍ୟୁରିଟିକୁ ପ୍ରତ୍ୟାହାର କରି ନିଆଯାଇଥିଲା । ଏସ୍ପିଜି ବଦଳରେ ତାଙ୍କୁ ‘ଜେଡ୍ ପ୍ଲସ୍’ ସୁରକ୍ଷା ମିଳିଥିଲା । ଏବେ ତାଙ୍କ ପତ୍ନୀ ଗୁରଶରଣ କୌରଙ୍କୁ ମଧ୍ୟ ସିଆରପିଏଫ୍ର ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯିବ । ଏହି ସୁରକ୍ଷା ଘେରରେ ତାଙ୍କ ପାଖରେ ବୁଲେଟ୍ ପ୍ରୁଫ୍ ଗାଡ଼ି ରହିବ । ତାଙ୍କ ବାସଭବନରେ ପ୍ରାୟ ୪ ଡଜନ ଯବାନ ମୁତୟନ ରହିବେ । ମନମୋହନଙ୍କ ଏସ୍ପିଜି ସୁରକ୍ଷା ହଟାଇ ଯେତେବେଳେ ଜେଡ୍ ପ୍ଲସ୍ ଦିଆଯାଇଥିଲା, ସେହି ସମୟରେ ତାଙ୍କୁ ଏସ୍ପିଜିର ଉଚ୍ଚ ଶ୍ରେଣୀୟ ବୁଲେଟ୍ ପ୍ରୁଫ୍ ବିଏମ୍ଡବ୍ଲ୍ୟୁ କାର୍ ଦିଆଯାଇଥିଲା । ତାଙ୍କ ପତ୍ନୀଙ୍କ ପାଖରେ ବର୍ତ୍ତମାନ ସେହି ଗାଡ଼ି ରହିବ ।
ତେବେ ଗୁରୁବାର ରାତି ୯ଟା ୫୧ରେ ଦିଲ୍ଲୀ ଏମ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ସିଂହଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ମୋତିଲାଲ ନେହରୁ ରୋଡ୍ ବଙ୍ଗଳା ନମ୍ବର ୩ରେ ମନମୋହନ ରହୁଥିଲେ । ୫ ବର୍ଷ ପୂର୍ବେ ଏସ୍ପିଜିକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବିତର୍କ ହୋଇଥିଲା । ତେବେ ଏସ୍ପିଜି ହଟାଯିବାକୁ ନେଇ ବିରୋଧୀମାନେ ଅଯଥା ସ୍ୱର ଉଠାଇ ନ ଥିଲେ । କିଛି ମାସ ପରେ ଗାନ୍ଧୀ ପରିବାରର ସଦସ୍ୟଙ୍କ ଏସ୍ପିଜି ସୁରକ୍ଷା ହଟାଯିବା ପରେ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ । ରାଜନୈତିକ କାରଣରୁ ଜାଣିଶୁଣି ଏସ୍ପିଜି ସୁରକ୍ଷା ହଟାଇ ଦିଆଯାଇଥିବା ବିରୋଧୀମାନେ ଅଭିଯୋଗ କରିଥିଲେ । କେନ୍ଦ୍ର ସରକାର କହିଥିଲେ କି ବିପଦ କମ୍ କିମ୍ବା ଅଧିକ ଥିଲେ, ତାହାକୁ ଦେଖି ସୁରକ୍ଷା ଶ୍ରେଣୀ ସ୍ଥିର ହୋଇଥାଏ । ବ୍ୟକ୍ତିବିଶେଷକୁ ଦେଖି ଏହା ନିର୍ଦ୍ଧାରଣ ହୋଇ ନ ଥାଏ । ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର, ଇନ୍ଦ୍ର କୁମାର ଗୁଜରାଲ, ପି ଭି ନରସିହ୍ମ ରାଓ ଏବଂ ଡ. ମନମୋହନ ସିଂହଙ୍କ ଏସ୍ପିଜି ପ୍ରତ୍ୟାହାର ହୋଇଥିଲା, ଏଥିରେ କେହି ଆପତ୍ତି ଉଠାଇ ନ ଥିଲେ । ସେମାନଙ୍କ ନିଜ ଦଳ ପକ୍ଷରୁ ବି ସ୍ୱର ଉଠାଯାଇ ନ ଥିଲା ।