ପ୍ରମୂଖ ଖବର
  • ଢେଙ୍କାନାଳ : ଧରାପଡ଼ିଲେ ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ; ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା
  • ||
  • କେନ୍ଦୁଝର : ଛତୁ ଗୋଟାଇବା ବେଳେ ଆକ୍ରମଣ କଲା ଦନ୍ତା, ୨ମହିଳା ଆହତ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ
  • ||
  • ଭଦ୍ରକ : ଲୁଟ୍‌ କରିବାକୁ ଆସିଥିଲେ, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ହରିୟାଣା ପରେ କେରଳ; ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଆଉ ଏକ ପରିବାର !
  • ||
  • କେନ୍ଦୁଝର : ବ୍ୟାଟେରୀ ଦୋକାନରେ ଅଗ୍ନିକାଣ୍ଡ, ୨୫ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
  • ||
  • ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର; ଚଳିତବର୍ଷ ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ରାଞ୍ଚ
  • ||
  • ମୟୂରଭଞ୍ଜ : ଟ୍ରକ୍‌ ଧକ୍କାରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରାକ୍ଟର; ୨ମୃତ, ୩ଗୁରୁତର
  • ||
  • ଭୁବନେଶ୍ଵର : ୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍‌ରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା
  • ||
  • କେନ୍ଦୁଝର : ୨ଟି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍, ତଦନ୍ତ କରୁଛି ପୋଲିସ
  • ||

ବର୍ଷାରେ ବି ବନ୍ଦ ହେବନି ମାଓ ଶିକାର; ଡ୍ରୋନ୍‌ ସହାୟତାରେ ଠାବ ହେବ ମାଓ କ୍ୟାମ୍ପ, ଅଚାନକ କରାଯିବ ହମ୍‌ଲା

Published By : Prameya | May 27, 2025 1:36 PM

ରାୟପୁର,୨୭/୦୫: ମାଓବାଦୀ ନିପାତ ପାଇଁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ (୨୦୨୬ ମାର୍ଚ୍ଚ  ୩୧) ପାଖ ହୋଇ ଆସୁଥିବାରୁ ଚଳିତ ବର୍ଷ ବର୍ଷା ଋତୁରେ ମଧ୍ୟ ଅପରେସନ ବନ୍ଦ ନ କରିବାକୁ ସୁରକ୍ଷା  ବାହିନୀକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରାଳୟର  ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସାଧାରଣତଃ  ବର୍ଷା ଦିନେ କେବେ ହେଲେ ସୁରକ୍ଷା ବାହିନୀ  ଅପରେସନ କରନ୍ତି ନାହିଁ କି ମାଓବାଦୀମାନେ ମଧ୍ୟ  କୌଣସି ପ୍ରକାର ହିଂସା ଭିଆଇବାକୁ ଆସନ୍ତି ନାହିଁ । 

ବର୍ଷା ଦିନରେ ବଣଜଙ୍ଗଲରେ ନଦୀ-ନାଳ  ବଢ଼ୁଥିବାରୁ ଏବଂ ରାସନ ସାମଗ୍ରୀ ମିଳିବା, ଯାତାୟାତ ସମସ୍ୟା ରହିଥାଏ । ତେଣୁ ମାଓବାଦୀମାନେ ଘଞ୍ଚ  ଜଙ୍ଗଲର କୌଣସି ଗୋଟିଏ ସ୍ଥାନ ପସନ୍ଦ କରି କ୍ୟାମ୍ପ  କରିବା ସହ କ୍ୟାଡରମାନଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି । ପରବର୍ତ୍ତୀ ଶୀତ ଓ ଗ୍ରୀଷ୍ମ ଋତୁରେ କିଭଳି କେଉଁଠାରେ  ହିଂସା ଘଟାଇବେ ତାର ବ୍ଲୁପ୍ରିଣ୍ଟ ମଧ୍ୟ ଏହି ସମୟରେ  ପ୍ରସ୍ତୁତ କରାଯାଇଥାଏ । ବର୍ଷା ଋତୁ ସରିବା ପରେ  ମାଓ ସଙ୍ଗଠନ ଆରମ୍ଭ କରିଥାଏ ଟିସିଓସି (ଟାକ୍ଟିକାଲ  କାଉଣ୍ଟର ଅଫେନ୍ସିଭ୍‌ ମିସନ) । ଚଳିତ ବର୍ଷ  ମାଓବାଦୀଙ୍କ ରଣନୀତିକୁ ବିଫଳ କରିବାକୁ ସୁରକ୍ଷା ବାହିନୀ ରଣନୀତି ପ୍ରସ୍ତୁତ କରିଛି । ଛତିଶଗଡ଼,  ମହାରାଷ୍ଟ୍ର, ତେଲଙ୍ଗାନା ଓ ଝାଡ଼ଖଣ୍ଡର ଅନେକ ଜଙ୍ଗଲ  ଭିତରେ ଯବାନମାନେ କ୍ୟାମ୍ପ ପ୍ରତିଷ୍ଠା କରିସାରିଛନ୍ତି । ବର୍ଷା ଋତୁରେ ମାଓବାଦୀଙ୍କ ସମ୍ଭାବ୍ୟ କ୍ୟାମ୍ପସ୍ଥଳ  ବାବଦରେ ଡ୍ରୋନ୍‌ ସହାୟତାରେ ଚିହ୍ନଟ କରି ଅଚାନକ ହମ୍‌ଲା କରିବାକୁ ମଧ୍ୟ ଯୋଜନା ହୋଇଛି । 

ଅପରପକ୍ଷେ, ସିପିଆଇ-ମାଓବାଦୀ ମହାସଚିବ  ନମ୍ବାଲା କେଶବରାଓ ଓରଫ ବାସବରାଜ ନିହତ  ହେବା ପରେ କ୍ୟାଡରମାନଙ୍କ ମନୋବଳ ଭାଙ୍ଗିଯାଇଥିବା ଜଣାପଡ଼ିଛି । ଖୋଦ୍‌ ସଙ୍ଗଠନ  ପକ୍ଷରୁ ଦିନେ ତଳେ ଏକ ପ୍ରେସ୍‌ ବିବୃତି ଜାରି  କରି ଏହା ସ୍ୱୀକାର କରାଯାଇଛି । ସଙ୍ଗଠନର ମୁଖପାତ୍ର ବିକଳ୍ପ ଏହା ଜାରି କରିଛନ୍ତି । ସେଥିରେ  କୁହାଯାଇଛି, ଗତ ୨୧ ତାରିଖରେ ୨୭ ନୁହେଁ ୨୮  ଜଣ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । କମାଣ୍ଡର  ନିଲେଶଙ୍କ ମୃତଦେହ ପିଏଲଜିଏ କ୍ୟାଡରମାନଙ୍କ  ନିକଟରେ ରହିଛି । ବାସବରାଜ ଓରଫ ବି.ଆର  ଦାଦାଙ୍କ ସହ ୩୪ ଜଣ କ୍ୟାଡର ଥିଲେ । ୭ ଜଣ ଖସିଯିବାରେ ସକ୍ଷମ ହୋଇଥିଲେ । କ୍ୟାଡରମାନେ  ଘେରାବନ୍ଦୀ କରି ବାସବରାଜଙ୍କୁ ଖସାଇଦେବାକୁ  ଉଦ୍ୟମ କରିଥିଲେ । କିନ୍ତୁ ତାଙ୍କର ଜିଦ୍‌ ଥିଲା  ଯୁବ କ୍ୟାଡରମାନେ ପ୍ରଥମେ ଖସିଯାଆନ୍ତୁ । କିନ୍ତୁ  ଯବାନଙ୍କ ଘେରାବନ୍ଦୀ କାଟି ଅଧିକ କ୍ୟାଡର ଖସିବାରେ  ବିଫଳ ହେଲେ । ଏନକାଉଣ୍ଟରରେ ନାଗେଶ୍ୱର ରାଓ  ଓରଫ ଜଙ୍ଗ ନବୀନ, ସଙ୍ଗୀତା, ଭୂମିକା, ବିବେକ,  କମଳା, ନାଗେଶ, ରାଜେଶ, ରବି, ସୁନିଏ ସରିତାଙ୍କ ସମେତ ଅନେକ ବରିଷ୍ଠ କ୍ୟାଡର ପ୍ରାଣ ହରାଇଛନ୍ତି ।  ଯବାନମାନେ ବାସବରାଜଙ୍କୁ ଧରିବା ପରେ ହତ୍ୟା  କରିଥିବା ବିବୃତିରେ ଅଭିଯୋଗ କରାଯାଇଛି ।  ବିଗତ ୪୦ ଦିନ ଧରି ସଙ୍ଗଠନ ପକ୍ଷରୁ ଏକତରଫା  ଅସ୍ତ୍ରବିରତି ଘୋଷଣା କରାଯାଇ କୌଣସି ହିଂସା  ହୋଇନଥିଲା । ଏହାରି ସୁଯୋଗରେ ଯବାନମାନେ  ଅପରେସନ କରିଥିବା ବିବୃତିରେ କୁହାଯାଇଛି ।  

ବାସବରାଜଙ୍କ ସୁରକ୍ଷା ପାଇଁ ସର୍ବଦା ୬୫  ଜଣ କ୍ୟାଡର ରହୁଥିଲେ । ତେବେ ଯବାନଙ୍କ  କ୍ରମାଗତ ଅପରେସନ ଯୋଗୁ ଏହି ସଂଖ୍ୟାକୁ  ହ୍ରାସ କରାଯାଇଥିଲା । ଏହାପରେ ଏହି କମିଟିର  ୭ ଜଣ କ୍ୟାଡର ନିକଟରେ ଆତ୍ମସମର୍ପଣ କରିବା  ସହ ବିଶ୍ୱାସଘାତକତା କରି ପୁଲିସକୁ ସଙ୍ଗଠନ  ବାବଦରେ ଅନେକ ଗୁପ୍ତ ତଥ୍ୟ ଦେଇଥିବାରୁ  ସଙ୍ଗଠନର ବଡ଼ କ୍ଷତି ହେଲା । ଏହାର  ପ୍ରତିଶୋଧ ନିଆଯିବ ବୋଲି ପ୍ରେସ ବିବୃତିରେ  ଶପଥ ନିଆଯାଇଛି । ଯୁବ କମାଣ୍ଡରମାନଙ୍କ ପାଇଁ  ବାସବରାଜ ଆଦର୍ଶ ଥିଲେ । ସେମାନେ ପ୍ରତିଶୋଧ  ନେବାକୁ ଶପଥ ଦେଇଥିବା ବିକଳ୍ପ କହିଛନ୍ତି । 

ଇତି ମଧ୍ୟରେ ବାସବରାଜ ଓ ଅନ୍ୟ ଜଣେ  କମାଣ୍ଡର ଭୂମିକାଙ୍କ ପରିବାର ମୃତଦେହ ପାଇବାକୁ  ତେଲଙ୍ଗାନା ହାଇକୋର୍ଟଙ୍କ ଶରଣ ନେଇଥିଲେ ।  ଛତିଶଗଡ଼ ଆସି ମୃତଦେହ ନେବାକୁ ସେମାନଙ୍କୁ  କୁହାଯାଇଥିଲା । କିନ୍ତୁ ସେମାନେ ଆସିନଥିଲେ । ତେଣୁ  ଆଜି ୧୯ ଜଣଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର  କରାଯାଇଥିବା ବେଳେ ବାସବରାଜଙ୍କ ସମେତ ୮  ଜଣଙ୍କ ଅନ୍ତ୍ୟେଷ୍ଟି ପୁଲିସ ପକ୍ଷରୁ କରାଯାଇଛି ।  ବାସବରାଜଙ୍କର ୪ ଭାଇଙ୍କ ମଧ୍ୟରେ ଇଞ୍ଜିନିୟର,  ଡାକ୍ତର ଏବଂ ଭିଜିଲାନ୍ସ ଅଫିସର ରହିଛନ୍ତି ।  

ମାଓବାଦୀଙ୍କ ଠାରୁ ଜବତ ହୋଇଥିବା  ୩ଟି ଏକେ-୪୭, ୪ଟି ଏସ୍‌ଏଲ୍‌ଆର, ୬ଟି  ଇନ୍‌ସାସ୍‌, ୬ଟି ଥ୍ରୀ ନଟ୍‌ ଥ୍ରୀ, ଗୋଟିଏ କାର୍ବାଇନ,  ୩ଟି ୧୨ ବୋର୍‌ ଗନ୍‌, ଗୋଟିଏ ଦେଶୀ ପିସ୍ତଲ,  ଗୋଟିଏ ବିଜିଏଲ ଲଞ୍ଚର, ୨ଟି ରକେଟ ଲଞ୍ଚର୍‌,  ୨ଟି ଭରମାର୍‌ ଚିହ୍ନଟ କରାଯାଇଛି । ଏଗୁଡ଼ିକରୁ  ଅଧିକାଂଶ ୨୦୧୦ (ଦାନ୍ତେୱାଡ଼ାର ତାଡ଼ମେଟଲା  ଓ ନାରାୟଣପୁରର ଗୱାଡି) ଓ ୨୦୧୭ (ସୁକ୍‌ମା  ଜିଲ୍ଲାର ବୁର୍କାପାଲ) ମାଓବାଦୀ ହିଂସାକାଣ୍ଡ  ବେଳ ଯବାନଙ୍କ ଠାରୁ ଲୁଟ୍‌ ହୋଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.