ନୂଆଦିଲ୍ଲୀ/ରାୟପୁର,୨୨/୦୫: ଛତିଶଗଡ଼ର ବସ୍ତରରେ ମାଓବାଦୀମାନେ ଦେଶୀ ବନ୍ଧୁକ ବ୍ୟତୀତ ଏବେ ସ୍ନାଇପର ଗନ୍ ବି ତିଆରି କରିବା ଆରମ୍ଭ କରିଛନ୍ତି । ଗୋଟିଏ ସ୍ନାଇପର ଗନ୍ ତିଆରି କରିବାକୁ ପ୍ରାୟ ୨୦-୨୫ ହଜାର ଟଙ୍କା ଖର୍ଚ୍ଚ ହେଉଛି । ସେହି ଗନ୍ରେ ୪୦୦-୫୦୦ ମିଟର ଦୂରତା ଯାଏ ଲକ୍ଷ୍ୟଭେଦ କରିହେବ ।
କିଛି ବର୍ଷ ପୂର୍ବରୁ ଟେକଲଗୁଡେମ୍ରେ ଏହି ବନ୍ଧୁକ ଦ୍ୱାରା ମାଓବାଦୀମାନେ ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟରେ ୩ ଜଣ ଯବାନ ସହିଦ ହୋଇଥିଲେ । ନିକଟରେ ମେ ୧୪ ତାରିଖରେ ହୋଇଥିବା କରେଗୁଟ୍ଟା ଏନ୍କାଉଣ୍ଟର ପରେ ସୁରକ୍ଷାବଳ ପ୍ରଥମ ଥର ପାଇଁ ମାଓବାଦୀଙ୍କ କାରଖାନାରେ ପ୍ରସ୍ତୁତ ହୋଇଥିବା ସ୍ନାଇପର ଗନ୍ ଓ ଫୁଲ ବିଜିଏଲ୍ (ବ୍ୟାରେଲ ଗ୍ରେନେଡ୍ ଲଞ୍ଚର) ଉଦ୍ଧାର କରିଥିଲେ । ଏହାପରେ ଯବାନମାନେ କରେଗୁଟ୍ଟା ପାହାଡ଼ରେ ୪ଟି କାରଖାନାକୁ ନଷ୍ଟ କରିଥିଲେ ।
ଦେଶୀ ସ୍ନାଇପର ବନାଇବା ଲାଗି ପାଇପ୍, କାଠ ସମେତ ଅନ୍ୟ ସାମଗ୍ରୀ ଆବଶ୍ୟକ ହୋଇଥାଏ । ଲେଦ ମେସିନ୍ରେ ପାଇପ୍କୁ ସାଇଜ୍ ହିସାବରେ କଟାଯାଇଥାଏ । ବଟ୍ ଲାଗି କାଠ ବ୍ୟବହୃତ ହୁଏ । ଏସବୁ ବଜାରରେ ସହଜରେ ମିଳିଯାଏ । ଗୋଟିଏ ସ୍ନାଇପର ବନାଇବା ଲାଗି ସବୁ ଖର୍ଚ୍ଚକୁ ମିଶାଇ ୨୦-୨୫ ହଜାର ଟଙ୍କା ଲାଗେ । ମାଓବାଦୀଙ୍କ ନିକଟରେ ସ୍ନାଇପର ଗନ୍ ବନାଇବାର ପୂରା ବହି ବି ରହିଛି । ତାକୁ ଏନ୍କାଉଣ୍ଟର ପରେ ପୁଲିସ ଉଦ୍ଧାର କରିଥିଲା । ସ୍ନାଇପର ଗନ୍ ବ୍ୟତୀତ ନିଜ କାରଖାନାରେ ମାଓବାଦୀମାନେ ବନ୍ଧୁକର ଗୁଳି, ତୀର ବୋମା, ଦେଶୀ ବନ୍ଧୁକ, ବିଜିଏଲ୍ ସେଲ୍, ଆଇଇଡି ବି ତିଆରି କରୁଛନ୍ତି ।