ନୂଆଦିଲ୍ଲୀ/ରାୟପୁର,୨୨/୦୫: ଛତିଶଗଡ଼ର ବସ୍ତରରେ ମାଓବାଦୀମାନେ ଦେଶୀ ବନ୍ଧୁକ ବ୍ୟତୀତ ଏବେ ସ୍ନାଇପର ଗନ୍‌ ବି  ତିଆରି କରିବା ଆରମ୍ଭ କରିଛନ୍ତି । ଗୋଟିଏ ସ୍ନାଇପର ଗନ୍‌ ତିଆରି  କରିବାକୁ ପ୍ରାୟ ୨୦-୨୫ ହଜାର ଟଙ୍କା ଖର୍ଚ୍ଚ ହେଉଛି । ସେହି ଗନ୍‌ରେ  ୪୦୦-୫୦୦ ମିଟର ଦୂରତା ଯାଏ ଲକ୍ଷ୍ୟଭେଦ କରିହେବ । 

କିଛି  ବର୍ଷ ପୂର୍ବରୁ ଟେକଲଗୁଡେମ୍‌ରେ ଏହି ବନ୍ଧୁକ ଦ୍ୱାରା ମାଓବାଦୀମାନେ  ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଉଭୟ ପକ୍ଷ ମଧ୍ୟରେ  ଗୁଳି ବିନିମୟରେ ୩ ଜଣ ଯବାନ ସହିଦ ହୋଇଥିଲେ । ନିକଟରେ  ମେ ୧୪ ତାରିଖରେ  ହୋଇଥିବା କରେଗୁଟ୍ଟା  ଏନ୍‌କାଉଣ୍ଟର ପରେ ସୁରକ୍ଷାବଳ ପ୍ରଥମ  ଥର ପାଇଁ ମାଓବାଦୀଙ୍କ କାରଖାନାରେ ପ୍ରସ୍ତୁତ  ହୋଇଥିବା ସ୍ନାଇପର  ଗନ୍‌ ଓ ଫୁଲ ବିଜିଏଲ୍‌ (ବ୍ୟାରେଲ ଗ୍ରେନେଡ୍‌ ଲଞ୍ଚର) ଉଦ୍ଧାର  କରିଥିଲେ । ଏହାପରେ ଯବାନମାନେ କରେଗୁଟ୍ଟା ପାହାଡ଼ରେ ୪ଟି କାରଖାନାକୁ ନଷ୍ଟ କରିଥିଲେ । 

ଦେଶୀ ସ୍ନାଇପର ବନାଇବା ଲାଗି  ପାଇପ୍‌, କାଠ ସମେତ ଅନ୍ୟ ସାମଗ୍ରୀ ଆବଶ୍ୟକ ହୋଇଥାଏ ।  ଲେଦ ମେସିନ୍‌ରେ ପାଇପ୍‌କୁ ସାଇଜ୍‌ ହିସାବରେ କଟାଯାଇଥାଏ ।  ବଟ୍‌ ଲାଗି କାଠ ବ୍ୟବହୃତ ହୁଏ । ଏସବୁ ବଜାରରେ ସହଜରେ  ମିଳିଯାଏ । ଗୋଟିଏ ସ୍ନାଇପର ବନାଇବା ଲାଗି ସବୁ ଖର୍ଚ୍ଚକୁ ମିଶାଇ  ୨୦-୨୫ ହଜାର ଟଙ୍କା ଲାଗେ । ମାଓବାଦୀଙ୍କ ନିକଟରେ ସ୍ନାଇପର  ଗନ୍‌ ବନାଇବାର ପୂରା ବହି ବି ରହିଛି । ତାକୁ ଏନ୍‌କାଉଣ୍ଟର  ପରେ ପୁଲିସ ଉଦ୍ଧାର କରିଥିଲା । ସ୍ନାଇପର ଗନ୍‌ ବ୍ୟତୀତ ନିଜ  କାରଖାନାରେ ମାଓବାଦୀମାନେ ବନ୍ଧୁକର ଗୁଳି, ତୀର ବୋମା,  ଦେଶୀ ବନ୍ଧୁକ, ବିଜିଏଲ୍‌ ସେଲ୍‌, ଆଇଇଡି ବି ତିଆରି କରୁଛନ୍ତି ।