ରାଉରକେଲା, ୨୯/୦୫ : ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ କେ. ବଲାଙ୍ଗ ଥାନା ଅନ୍ତର୍ଗତ ରେଲହାତୁ-ବାଙ୍କୋ ରାସ୍ତାରୁ ୪ ଟନ୍ ବିସ୍ଫୋରକ ଲୁଟିଛନ୍ତି ମାଓବାଦୀ। ପୁଲିସର ପ୍ରାଥମିକ ତଦନ୍ତରୁ ଏନେଇ ସ୍ପଷ୍ଟ ହୋଇଛି। ଏନେଇ ରାଉରକେଲା ପୁଲିସ ମୁଖ୍ୟାଳୟରେ ଓଡ଼ିଶା ଡିଜି ଯୋଗେଶ ବାହାଦୂର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ଆଇଜି ଅପରେସନ, ଉତ୍ତରାଞ୍ଚଳ ଆଇଜି, ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସମେତ ଝାଡ଼ଖଣ୍ଡର ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରାୟ ୩ ଘଣ୍ଟା ଧରି ବୈଠକ ଚାଲିଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମାଓବାଦୀମାନେ ବିସ୍ଫୋରକ ଲୁଟ୍ କରି ସରଣ୍ଡା ଜଙ୍ଗଲକୁ ନେଇ ଯାଇଛନ୍ତି। ସରଣ୍ଡା ଜଙ୍ଗଲରେ ଉଭୟ ରାଜ୍ୟର ପୁଲିସ, ସିଆରପିଏଫ୍ ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଗୁଇନ୍ଦା ରିପୋର୍ଟକୁ ଅଧିକ ଗୁରୁତ୍ଵ ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ସରଣ୍ଡା ଜଙ୍ଗଲରେ ଉଭୟ ରାଜ୍ୟର ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରି ଦେଇଛନ୍ତି। ସୀମାନ୍ତରେ ଥିବା ଥାନଗୁଡ଼ିକୁ ଆଲର୍ଟରେ ରଖାଯାଇଛି। ଓଡ଼ିଶା ସୀମାନ୍ତ ଜରେଇକେଲ, ମହିପାନି, ଭାଲୁଲତା, ଚାନ୍ଦିପୋଷ, ମହୁଲପଦା, ଗୁରୁଣ୍ଡିଆ, ଟିକାୟତପାଲି, ରକସି, ବିମଳାଗଡ, ରେଙ୍ଗଡା ଆଦି ଅଞ୍ଚଳ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ବୈଠକ ସାରି ଡିଜି ବିମାନ ଯୋଗେ ଭୁବନେଶ୍ୱର ଫେରି ଯାଇଛନ୍ତି।
ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ବଡ଼ଗାଁ ଇତ୍ମାରୁ ଟ୍ରକ୍ରେ ୨୦୦ ପେଟି ପ୍ରାଇମର ପାଉଡର (ପ୍ରାୟ ୪ ଟନ୍) କେ.ବଲାଙ୍ଗର ବାଙ୍କୋ ଅଞ୍ଚଳକୁ ଯାଉଥିଲା । ଏହି ପ୍ରାଇମର ପାଉଡର ଜିଲୋଟିନ୍ ଷ୍ଟିକ୍ରେ ମିଶ୍ରଣ ହେବା ପରେ ଏହାକୁ ପଥର ବ୍ଲାଷ୍ଟିଂରେ ବ୍ୟବହାର କରାଯାଏ । ରାତି ପ୍ରାୟ ୧୨ଟା ୫୪ରେ ଟ୍ରକ୍ଟି ରାଜାମୁଣ୍ଡା ଟୋଲଗେଟ୍ ଅତିକ୍ରମ କରିଥିଲା । ଏହାର ସିସିଟିଭି ଫୁଟେଜ୍ ପୁଲିସ୍ର ହସ୍ତଗତ ହୋଇଛି । ଗାଡ଼ି ଚାଳକ ଦେଓନାଥ କହିଛନ୍ତି, ସେ ଟ୍ରକ୍ ନେଇ ୨୮ ତାରିଖ ସକାଳ ସାଢ଼େ ୭ଟା ୫୦ ମିନିଟ୍ ସମୟରେ ବାଙ୍କୋରେ ପହଞ୍ଚିଥିଲେ । ବାଙ୍କୋସ୍ଥିତ ପଥର ଖାଦାନ ନିକଟରେ ଗାଡ଼ି ରଖିଥିବା ବେଳେ ୬ରୁ ୭ଜଣ ମୁଖାପିନ୍ଧା ଲୋକ ଆସିଥିଲେ । ସମସ୍ତଙ୍କ ହାତରେ ବନ୍ଧୁକ ଥିଲା । ଆମେ ଜଙ୍ଗଲରୁ ଆସିଛୁ, ବିସ୍ଫୋରକ ସାମଗ୍ରୀ ଆମେ ନେଇଯିବୁ କହି ପାଖରେ କାମ କରୁଥିବା କିଛି ଲୋକଙ୍କୁ ଡାକିଥିଲେ । ସେମାନଙ୍କୁ ଟ୍ରକ୍ରୁ ପେଟିଗୁଡ଼ିକ କାଢ଼ି ଅନ୍ୟ ଏକ ଗାଡ଼ିରେ ଲୋଡ୍ କରିବାକୁ କହିଥିଲେ । ଏହା ପରେ ଦେଓନାଥଙ୍କୁ ବନ୍ଧୁକଧାରୀ ଯୁବକମାନେ ଅନ୍ୟ ଏକ ସ୍ଥାନକୁ ନେଇ ଖରାରେ ବସାଇ ଦେଇଥିଲେ । ବନ୍ଧୁକଧାରୀ ଯୁବକମାନେ ଆଣିଥିବା ମିନି ଟ୍ରକ୍ରେ ପେଟିଗୁଡ଼ିକ ଲୋଡ୍ ହେବା ପରେ ଗାଡ଼ିଟି ସରଣ୍ଡା ଜଙ୍ଗଲ ଆଡ଼କୁ ପଳାଇ ଯାଇଥିଲା । ଏହି ଲୁଟ୍ ପଛରେ ମାଓବାଦୀଙ୍କ ହାତ ଥିବା ଏବେ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଝାଡ଼ଖଣ୍ଡ ସିଆରପିଏଫ୍ ସହ ମିଶି ଓଡ଼ିଶାର ଡିଭିଏଫ୍ ଯବାନମାନେ ସରଣ୍ଡାରେ କମ୍ବିଂ ଅପରେସନ ଚଳାଇଛନ୍ତି। ସେପଟେ ଏହି ଘଟଣାରେ NIA ଟିମ୍ ଖୋଳତାଡ୍ ଆରମ୍ଭ କରିଛି। କେ.ବଲାଙ୍ଗ ଥାନା ବାଙ୍କୋ ଅଞ୍ଚଳରେ ତନାଘନା ଜାରି ରହିଛି।