ଜଗତସିଂହପୁର, ୨୦/୧୨ : ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ । ଜଗତସିଂହପୁର ବନବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ରାଜେନ୍ଦ୍ରଙ୍କ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ସମେତ ଏକାସାଙ୍ଗରେ ୪ଟି ସ୍ଥାନରେ ରେଡ୍ ହୋଇଛି। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , ବ୍ୟାଙ୍କ ପାସବୁକ୍, ସୁନା ଗହଣା ଓ ନଗଦ ଟଙ୍କା,ଏଟିଏମ କାର୍ଡ ଜବତ ହୋଇଥିବାର ଜଣାପଡିଛି।

ସକାଳ ୬ ଟା ରୁ ଦିନ ୧୨ ଟା ସୁଦ୍ଧା ୨୦୦ ଗ୍ରାମ ସୁନା, ୩ଲକ୍ଷ ୫୦ ହଜାରର ନଗଦ ଟଙ୍କା, ଜଗତସିଂହପୁରରେ ୨ ଟା ପ୍ଲଟ ଓ କଟକରେ ଗୋଟିଏ ପ୍ଲଟ ଠାବ କରାଯାଇଛି । ସେହିପରି ବିଭିନ୍ନ ବ୍ୟାଙ୍କରେ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ବ୍ୟାଙ୍କ ଜମାରାଶି ଥିବାର ମଧ୍ୟ ଠାବ କରାଯାଇଛି । ସେହିପରି ମୋଟ ସ୍ଥାବର, ଅସ୍ଥାବର ସମ୍ପତି ମୂଲ୍ୟ ପ୍ରାୟ ୩କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଆଉ ଅଧିକ ତଦନ୍ତ ପରେ ଆଉ କେତେ ସମ୍ପତି ରହିଛି ତାହା ଆଗକୁ ଜଣାପଡିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି । ଚଢ଼ାଉ ସମୟରେ ଭିଜିଲାନ୍ସ ଦ୍ୱାରା ଅଟକ ଥିବା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ କଟକ ନିଆଯାଇ ଅଧିକ ଜେରା କରାଯିବ ବୋଲି ସୂଚନା ମିଳିଛି ।

ପ୍ରକାଶ ଥାଉକି, ପ୍ରତିମାସ ୧୫୦୦/- ଟଙ୍କା ଦରମା ସହିତ ଫରେଷ୍ଟର ଭାବରେ ସରକାରୀ ଚାକିରିରେ ପ୍ରବେଶ କରିଥିଲେ ରାଜେନ୍ଦ୍ର । ତା’ପରେ ୧୫.୯.୨୦୨୧ ରେ ଡେପୁଟି ରେଞ୍ଜର ଭାବରେ ପଦୋନ୍ନତି ପାଇ ସେ ଜଙ୍ଗଲ ବିଭାଗ ଅନୁଗୁଳ ଅଧୀନରେ ଯୋଗ ଦେଇଥିଲେ। ପୁନର୍ବାର ୩୧.୦୮.୨୦୨୩ ରେ ସାମନ୍ତରାୟଙ୍କୁ ରେଞ୍ଜର ପଦବୀକୁ ପଦୋନ୍ନତି ଦିଆଯାଇଥିଲା, ଏବଂ ସେ ଜଗତସିଂପୁରର ରାହାମା ବନାଞ୍ଚଳରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ପର୍ଯ୍ୟନ୍ତ ଜଗତସିଂପୁରରେ ଏହି ପଦବୀରେ କାର୍ଯ୍ୟ କରିଆସୁଛନ୍ତି।