ଫିରିଙ୍ଗିଆ,୧୨/୧୧ : କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ତରଫରୁ ଅପରେସନ ନୀଳ ଜହର ବା ଗଞ୍ଜେଇ ଗଛକଟା ଅଭିଯାନ ଆରମ୍ଭ ହୋଇଛି । ଏହିକ୍ରମରେ ଫିରିଙ୍ଗିଆ ପୁଲିସ ତରଫରୁ ମଧ୍ୟ ଆରମ୍ଭ ହୋଇଛି ଏହି ଗଞ୍ଜେଇ କଟା ଅଭିଯାନ I ଫିରିଙ୍ଗିଆ ପୁଲିସ ବୁଧବାର ଥାନା ଅଧୀନରେ ଥିବା ଡ଼ିମିରିଗୁଡା ପଞ୍ଚାୟତର କପାବୃଡି ଓ କେକ୍ରିଙ୍ଗିଆ ଗାଁ ନିକଟରେ ଥିବା ପ୍ରାୟ ୭୩ଏକର ପରିମିତ ଜଙ୍ଗଲ ଜମିମାନଙ୍କରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡ଼ିକୁ କାଟି ନଷ୍ଟ କରିଦିଆଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି I
ଅନ୍ୟପଟେ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଏହି ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ ହୋଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଫିରିଙ୍ଗିଆ ତହସିଲଦାର ଜ୍ୟୋତିପ୍ରକାଶ ସେଠି, ଅବକାରୀ ବିଭାଗର କର୍ମଚାରୀ ଓ ଥାନାରେ କାର୍ଯ୍ୟରତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଦୁଇ ପ୍ଲାଟୁନ ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ହୋଇଥିଲା I ଅନ୍ୟପଟେ ବୁଧବାର ଅନୁଷ୍ଠିତ ହୋଇଥିବା ଏହି ଅଭିଯାନକୁ ନେଇ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି I