ଫିରିଙ୍ଗିଆ,୧୬/୧୧ : କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ଥାନା ତରଫରୁ ଅପରେସନ ନୀଳ ଜହର ବା ଗଞ୍ଜେଇ ଗଛକଟା ଅଭିଯାନ ଆରମ୍ଭ ହୋଇଛି । ଅନୁରୂପ ଭାବେ ଫିରିଙ୍ଗିଆ ପୁଲିସ ତରଫରୁ ମଧ୍ୟ ଆରମ୍ଭ ହୋଇଥିବା ଏହି ଗଞ୍ଜେଇ କଟା ଅଭିଯାନ ଦ୍ଵିତୀୟ ଦିନରେ ପହଞ୍ଚିଛି I ତେବେ ଫିରିଙ୍ଗିଆ ପୁଲିସ ରବିବାର ଥାନା ଅଧୀନରେ ଥିବା ଡିଣ୍ଡିରା ଗାଁ ପଞ୍ଚାୟତର କୁଡ଼କି, ଟେଲାପାଲି ଓ ଗଞ୍ଜଖୋଲ ଗାଁ ନିକଟରେ ଥିବା ପ୍ରାୟ ୧୧୩ ଏକର ପରିମିତ ଜଙ୍ଗଲ ଜମିମାନଙ୍କରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦିଆଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି I

ଅନ୍ୟପଟେ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ତତ୍ତ୍ବାବଧାନରେ ଥାନାରେ କାର୍ଯ୍ୟରତ ଏସଆଇ ଅଜୟ ସାହୁଙ୍କ ନେତୃତ୍ୱରେ ଏହି ଗଞ୍ଜେଇ ଗଛ କଟା ଅଭିଯାନ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଫିରିଙ୍ଗିଆ ତହସିଲଦାର ଜ୍ୟୋତିପ୍ରକାଶ ସେଠି, ଅବକାରୀ ବିଭାଗର କର୍ମଚାରୀ ଓ ଥାନାରେ କାର୍ଯ୍ୟରତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିବାବେଳେ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଦୁଇ ପ୍ଲାଟୁନ ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ହୋଇଥିଲା I ଅନ୍ୟପଟେ ବୁଧବାର ଅନୁଷ୍ଠିତ ହୋଇଥିବା ଏହି ଅଭିଯାନକୁ ନେଇ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି I