ଭୁବନେଶ୍ୱର,୦୪/୦୧: ଡିଆର୍‌ଆଇ ପଞ୍ଝାରେ ମାରିଜୁଆନା ମାଷ୍ଟରମାଇଣ୍ଡ୍। କେରଳରୁ ଜଣେ ଅଭିଯୁକ୍ତକୁ ଉଠାଇ ଆଣିଲା DRI। ଅନ୍ୟତମ ମାଷ୍ଟରମାଇଣ୍ଡ ଜଣେ ଯୁବତୀ ଫେରାର ଅ। ଶନିବାର ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର ୮ କୋଟି ଟଙ୍କା ମୂଲ୍ୟର ମାରିଜୁଆନା ଜବତ ହୋଇଥିଲା।  ଜଣେ ସ୍ମଗଲରକୁ ଅଟକ ରଖିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ) । ଏତେ ପରିମାଣର ମାରିଜୁଆନା ସେ କାହାକୁ ଯୋଗାଇବାକୁ ଆଣୁଥିଲେ, ସେନେଇ ତାଙ୍କୁ ମାରାଥନ୍ ଜେରା କରାଯାଉଛି ।

ଡିଆର୍‌ଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନରେ ବ୍ୟାଙ୍ଗ୍‌କକ୍‌ରୁ ଭୁବନେଶ୍ୱର ଆସୁଥିବା ବିମାନରେ ଜଣେ ଯାତ୍ରୀଙ୍କ ଲଗେଜ୍‌ରେ ମାରିଜୁଆନା ଥିବା ଗୁଇନ୍ଦା ସୂଚନା ମିଳିଥିଲା । କଷ୍ଟମସ୍ ବିଭାଗର ଅଧିକାରୀମାନେ ସମ୍ପୃକ୍ତ ଯାତ୍ରୀଙ୍କୁ ଅଟକ ରଖିଥିଲେ । ତାଙ୍କ ଲଗେଜ ଯାଞ୍ଚ କରିବା ବେଳେ ସେଥିରୁ ପ୍ରାୟ ୮ କିଲୋ ଓଜନର ମାରିଜୁଆନା ମିଳିଥିଲା । ଯାହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ ୮ କୋଟି ଟଙ୍କା ହେବ । ଉକ୍ତ ଯାତ୍ରୀ ଜଣକ ବ୍ୟାଙ୍ଗ୍‌କକ୍‌ରୁ ମାରିଜୁଆନା ଚୋରାରେ ଆଣି ଆସୁଥିବା ସ୍ୱୀକାର କରିଥିଲେ । ତେବେ ସେ କାହାକୁ ଚାଲାଣ କରିଥାନ୍ତେ ସେନେଇ ମୁହଁ ଖୋଲି ନାହାନ୍ତି । ତେଣୁ ତାଙ୍କୁ ଅଟକ ରଖାଯାଇ ଅଧିକ ପଚରାଉଚରା କରାଯାଉଛି ।

ସୂଚନା ଥାଉକି, ଗତ ଡିସେମ୍ବର ୩୦ରେ ମଧ୍ୟ ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟି ଟଙ୍କା ମୂଲ୍ୟର ବ୍ରାଉନ୍ସୁଗର ଜବତ ହେବା ସହ ଜଣେ ସ୍ମଗଲରଙ୍କୁ ଗିରଫ କରାଯାଇଥିଲା । ସେହିପରି ଗତ ଅକ୍ଟୋବର ୧୦ରେ ମଧ୍ୟ କେରଳର ଜଣେ ସ୍ମଗଲରଙ୍କଠାରୁ ୩ କୋଟି ଟଙ୍କା ମୂଲ୍ୟର ମାରିଜୁଆନା ଜବତ ହୋଇଥିଲା । ଜୁଲାଇ ୨୯ରେ ୩୦ କୋଟି ଟଙ୍କା ମୂଲ୍ୟର ହାଇଡ୍ରୋଫୋନିକ୍ ଗଞ୍ଜେଇ ଜବତ ହୋଇଥିବା ବେଳେ ଜାନୁଆରୀ ମାସରେ ୭ କୋଟି ଟଙ୍କା ମୂଲ୍ୟର ମାରିଜୁଆନା ଜବତ ହୋଇଥିଲା । ବ୍ୟାଙ୍ଗ୍କକ୍ ଓ ମାଲେସିଆରେ ଅତି କମ୍ ମୂଲ୍ୟରେ ମାରିଜୁଆନା ମିଳୁଛି । ଭାରତରେ ଏହାର ମୂଲ୍ୟ ଯଥେଷ୍ଟ ଅଧିକ । ତେଣୁ ସ୍ମଗଲରମାନେ ସେଠାକାର କଷ୍ଟମସ୍ ବିଭାଗ ଅଧିକାରୀଙ୍କୁ ହାତକରି ମାରିଜୁଆନା ଭାରତକୁ ଆଣୁଛନ୍ତି । ଦେଶର ବିଭିନ୍ନ ବିମାନବନ୍ଦରରେ ଯାଞ୍ଚ କଡ଼ାକଡ଼ି ହେଉଥିବା ବେଳେ ଭୁବନେଶ୍ୱର ବିମାନବନ୍ଦର ସେମାନଙ୍କ ପାଇଁ ପାଲଟିଛି ଗଳାବାଟ । ତେଣୁ ସ୍ମଗଲରମାନେ ବ୍ୟାଙ୍ଗ୍କକ୍ ଓ ମାଲେସିଆରୁ ମାରିଜୁଆନା ଆଣି ଭୁବନେଶ୍ୱର ବିମାନବନ୍ଦର ଦେଇ ଦେଶର ବିଭିନ୍ନ ସହରକୁ ଚାଲାଣ କରୁଥିବା ଜଣାପଡ଼ିଛି ।