ଭୁବନେଶ୍ୱର ୦୪/୧୦: ଅଣ୍ଟାବିନ୍ଧାକୁ ନେଇ ଆପଣ ଚିନ୍ତାରେ? ବ୍ୟସ୍ତ ହୁଅନ୍ତୁ ନାହିଁ । ସାମାନ୍ୟ ଧୈର୍ଯ୍ୟର ସହ ମାର୍ଜାରୀ ଆସନ କରନ୍ତୁ ଦେଖିବେ ଆରାମ ମିଳିବ । ଏହି ଆସନ ମେରୁଦଣ୍ଡ ହାଡ଼ର ନମନୀୟତା ବଢାଇଥାଏ । ପିଠି ଯନ୍ତ୍ରଣା ଆଜିକାଲିର ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇପଡିଲାଣି, ଯାହା ପ୍ରାୟ ଲୋକ ଅନୁଭବ କରୁଛନ୍ତି । ଯେଉଁମାନେ ସ୍ୱାଭାବିକ ଭାବେ ଶାରୀରିକ ପରିଶ୍ରମ କରୁଥାନ୍ତି, ସେମାନେ ବ୍ୟାୟାମ ନ କଲେ କୌଣସି ସମସ୍ୟା ଉପୁଜି ନଥାଏ । କିନ୍ତୁ ଯେଉଁମାନେ କମ୍‌ ଶାରିରୀକ ପରିଶ୍ରମ କରିଥାନ୍ତି, ସେମାନେ ନିୟମିତ ଯୋଗ କରିବା ଆବଶ୍ୟକ । ଯଦି ଆପଣଙ୍କର ଅଣ୍ଟାବିନ୍ଧା ହେଉଥାଏ, ତେବେ ମାର୍ଜାରୀ ଆସନ ବା କ୍ୟାଟ୍‌ କ୍ୟାମେଲ୍‌ ପୋଜ୍‌ କରିପାରିବେ । 

ଏହାର ଫାଇଦା :

-ମେରୁଦଣ୍ଡ ହାଡ଼ର ଯନ୍ତ୍ରଣାକୁ କମ୍‌ କରିବା ବ୍ୟତୀତ ଏହି ଆସନ ମନକୁ ଶାନ୍ତ କରିବା ସହ ଚିନ୍ତାରୁ ମୁକ୍ତି ଦେଇଥାଏ ।

-ମାସିକ ଧର୍ମ ସମୟରେ ହେଉଥିବା ଯନ୍ତ୍ରଣାରୁ ବି ମୁକ୍ତି ଦେଇଥାଏ । 

-ବେକ, କାନ୍ଧ ଓ ମେରୁଦଣ୍ଡର ନମନୀୟତା ବଢାଇଥାଏ । 

-ପେଟ, ପିଠି, ଛାତି, ଫୁସଫୁସ୍‌ ଓ ଅଣ୍ଟା ପାଖରେ ଥିବା ମାଂସପେଶୀକୁ ସଂପ୍ରସାରିତ କରିଥାଏ । 

-ଟେଲବୋନ୍‌କୁ ସକ୍ରିୟ କରି ମେରୁଦଣ୍ଡ ହାଡ଼ ଉପରେ ଗୁରୁତ୍ୱ ଦେଇଥାଏ । ଯାହା ଦ୍ୱାରା ଆଗକୁ ଓ ପଛକୁ ନଇଁବା ସମୟରେ ନମନୀୟତା ଆସିଥାଏ । 

ମାର୍ଜାରୀ ଆସନର ପ୍ରକ୍ରିୟା :

-ଆଣ୍ଠୁ ମୋଡିକି ବସି ଯାଆନ୍ତୁ । ଧୀରେ ଧୀରେ ଦୁଇ ହାତକୁ ଭୂଇଁ ଉପରେ ରଖନ୍ତୁ ଏବଂ ପୁଣି ହାତକୁ ଆଗକୁ ସଂପ୍ରସାରଣ କରନ୍ତୁ । ଏଥିସହିତ ନିଜ ଚାରିପଟକୁ ବିଲେଇ ପରି ଦେଖିବାକୁ ପ୍ରୟାସ କରନ୍ତୁ ।

-ଆଣ୍ଠୁ ଓ ନିତମ୍ବର ଚଉଡା କରି ରଖନ୍ତୁ । ମୁଣ୍ଡକୁ ସିଧା ଅବସ୍ଥାରେ ରଖନ୍ତୁ । 

-ଥୋଡ଼ି ଓ ଛାତିକୁ ଉପରକୁ ଉଠାଇ ଛାତ ଆଡ଼କୁ ଦେଖନ୍ତୁ ।

-କାନ୍ଧକୁ ଚଉଡ଼ା କରି ବିଲେଇ ପୋଜ୍‌ରେ ରୁହନ୍ତୁ । ନିଶ୍ୱାସ ଛାଡିବା ସହ ଆଗକୁ ବଢନ୍ତୁ । 

-ପେଟକୁ ମେରୁଦଣ୍ଡ ଆଡକୁ ଟାଣନ୍ତୁ । ସେହିପରି ପିଠିକୁ ଛାତ ଆଡ଼କୁ ରଖି ଗୋଲ ଗୋଲ କରି ବୁଲାନ୍ତୁ । 

-ଏବେ ଇନ୍‌ହେଲ କରି ଗାଈ ପୋଜ୍‌କୁ ଫେରିଆସନ୍ତୁ । ପୁଣି କ୍ୟାଟ୍‌ପୋଜ୍‌କୁ ଫେରିବା ସମୟରେ ନିଶ୍ୱାସ ଛାଡନ୍ତୁ । 

-ଏହି ପ୍ରକ୍ରିୟାକୁ ୫ରୁ ୨୦ ଥର ଯାଏ ଦୋହରାନ୍ତୁ । 

ଧ୍ୟାନ ଦିଅନ୍ତୁ :

-ଏହି ଆସନର ଲାଭ ପାଇବା ପାଇଁ ହେଲେ ଠିକ୍‌ ଶୈଳୀ ଅନୁସରଣ କରିବା ବହୁତ ଜରୁରି । 

-ବ୍ୟକ୍ତିର ଆଣ୍ଠୁ ସିଧା ଭାବେ ନିତମ୍ବ ତଳେ ଓ ହାତ କାନ୍ଧ ତଳେ ରଖିବା ଦରକାର ।