ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୮ ତମ ସଂସ୍କରଣ ପାଇଁ ସବୁଠି ଚର୍ଚ୍ଚା । ଆଇପିଏଲ-୨୦୨୫କୁ ନେଇ ଖେଳପ୍ରେମୀ ଯେତିକି ଉତ୍ସାହିତ ତାଠୁ ଅଧିକ ବ୍ୟସ୍ତ ଫ୍ରାଞ୍ଚାଇଜ୍‌ । କାରଣ ଏଥର ମେଗା ଅକ୍ସନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ୨୪ ଓ ୨୫ ନଭେମ୍ବରରେ ସାଉଦି ଆରବର ଜେଦାରେ ହେବାକୁ ଥିବା ମେଗା ନିଲାମୀ ଉପରେ ସସମ୍ତଙ୍କ ନଜର । ମୋଟ ୧୫୭୫ ଖେଳାଳି ଅକ୍ସନରେ ସାମିଲ ହେବାକୁ ନିଜ ନାଁ ପଞ୍ଜିକୃତ କରିଥିଲେ । ସେଥିମଧ୍ୟରୁ ବିସିସିଆଇ କେବଳ ୫୭୪ ଜଣ ଖେଳାଳିଙ୍କୁ ନିଲାମୀରେ ସାମିଲ ହେବାକୁ ଚୟନ କରିଛି । ଏଥର ମେଗା ନିଲାମୀରେ ୩୬୬ ଜଣ ଭାରତୀୟ ଏବଂ ୨୦୮ ବିଦେଶୀ ଖେଳାଳି ସାମିଲ ଅଛନ୍ତି ।  

ସବୁଠୁ ବଡ଼ କଥା ହେଉଛି, ଆଇପିଏଲ ୨୦୨୫ ମେଗା ଅକ୍ସନ ଲାଗି ମାର୍କି ବା କୁଶଳୀ ଓ ଲୋକପ୍ରିୟ ଖେଳାଳି ତାଲିକା ଜାରି ହୋଇଛି । ଭାରତରୁ ୭ ଏବଂ ୫ ଜଣ ବିଦେଶୀ ଖେଳାଳିଙ୍କ ନେଇ ଏହି ତାଲିକା ପ୍ରସ୍ତୁତ କରିଛି ବିସିସିଆଇ । ଆଉ ଏହି ସବୁ ଖେଳାଳିଙ୍କ ବ୍ରେସ୍‌ ପ୍ରାଇସ୍‌ ରହିଛି ୨ କୋଟି ଟଙ୍କା । ମାର୍କି ତାଲିକାକୁ ଦୁଇଟି ସେଟ୍‌ରେ ଏମ-୧ ଏବଂ ଏମ-୨ ଜାରି କରାଯାଇଛି । ମାର୍କି ତାଲିକାରେ ଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ଋଷଭ ପନ୍ତ, ଶ୍ରେୟସ ଆୟର, ଅର୍ଶଦୀପ ସିଂହ, ୟୁଜବେନ୍ଦ୍ର ଚହଲ, କେଏଲ ରାହୁଲ, ମହମ୍ମଦ ସାମି ଏବଂ ମହମ୍ମଦ ସିରାଜ ରହିଛନ୍ତି ।  

୨ କୋଟି ଟଙ୍କାର ବେସ୍‌ ପ୍ରାଇସ୍‌ ସହ ସେମାନଙ୍କୁ ମାର୍କି ତାଲିକରେ ସାମିଲ କରାଯାଇଛି । ଶ୍ରେୟସ ଆୟରଙ୍କ ନେତୃତ୍ବରେ କୋଲକାତା ନାଇଟ ରାଇଡର୍ସ ଟ୍ରଫି ହାତେଇଥିଲେ ସୁଦ୍ଧା ଦଳ ଏଥର ତାଙ୍କୁ ରିଟେନ୍‌ କରିନାହିଁ ।  ତାଙ୍କ ବ୍ୟତୀତ ସମସ୍ତଙ୍କ ନଜର ଋଷଭ ପନ୍ତଙ୍କ ଉପରେ ମଧ୍ୟ ରହିବ । ସେ ଆଇପିଏଲ ମେଗା ଅକ୍ସନରେ ସାମିଲ ହେବାକୁ ଯାଉଛନ୍ତି । ସେପଟେ ମାର୍କି ତାଲିକାରେ ସାମିଲ ବିଦେଶୀ ଖେଳାଳିଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା, ଡେଭିଡ ମିଲରଙ୍କ ନାଁ ରହିଛି । ଏହା ବ୍ୟତୀତ ଇଂଲଣ୍ଡର ଲିୟାମ ଲିଭିଂଷ୍ଟୋନ୍‌ ଏବଂ ଜସ୍‌ ବଟଲର ସାମିଲ ଥିବା ବେଳେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ନାଁ ମାର୍କି ତାଲିକାରେ ଯୋଡ଼ା ଯାଇଛି । ଏହି ତାଲିକାରେ ସାମିଲ ଡେଭିଡ ମିଲର ନିଜର ବେସ୍‌ ପ୍ରାଇସ୍‌କୁ ଦେଢ଼ କୋଟି ଟଙ୍କା ରଖିଥିବା ବେଳେ ଅନ୍ୟମାନଙ୍କ ବେସ୍‌ ପ୍ରାଇସ୍‌ ରହିଛି ୨ କୋଟି ଟଙ୍କା । 

ମାର୍କି- M1 ତାଲିକା

୧. ଜସ୍‌ ବଟଲର (ଇଂଲଣ୍ଡ)

୨.ଶ୍ରେୟସ ଆୟର (ଭାରତ)

୩. ଋଷଭ ପନ୍ତ (ଭାରତ)

୪. କାଜିସୋ ରାବାଡା (ଦକ୍ଷିଣ ଆଫ୍ରିକା)

୫. ଅର୍ଶଦୀପ ସିଂହ (ଭାରତ)

୬. ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ)

ମାର୍କି- M2 ତାଲିକା

୭.ୟୁଜବେନ୍ଦ୍ର ଚହଲ (ଭାରତ)

୮. ଲିୟାମ ଲିଭିଂଷ୍ଟୋନ୍‌ (ଇଂଲଣ୍ଡ)

୯. କେଏଲ୍‌ ରାହୁଲ (ଭାରତ)

୧୦. ମହମ୍ମଦ ସାମି (ଭାରତ)

୧୧. ମହମ୍ମଦ ସିରାଜ (ଭାରତ)

୧୨. ଡେଭିଡ ମିଲର (ଦକ୍ଷିଣ ଆଫ୍ରିକା)