ନୂଆଦିଲ୍ଲୀ, ୧୧।୫: ସ୍ମାର୍ଟୱାଚ୍ ବ୍ୟବହାର କରୁଛନ୍ତି କି ? ଆପଣ ହାତରେ ପିନ୍ଧିଥିବା ସେହି ସ୍ମାର୍ଟୱାଚ୍ ସ୍କିନ୍ ସହିତ ଟଚ୍ ହେଉଛି । ନିକଟରେ ଏହି ସ୍ମାର୍ଟୱାଟ୍ ସହ କ୍ୟାନ୍ସର ସମ୍ୱନ୍ଧିତ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି । ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଆମ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି । କେବଳ ସମୟ ଦେଖିବା ପାଇଁ ନୁହେଁ, ବରଂ ହାର୍ଟ ରେଟ୍, ରକ୍ତରେ ଅମ୍ଳଜାନ ସ୍ତର, ଏବଂ ଦିନସାରା ଆମେ କେତେ ପାଦ ଚାଲିଲେ, ସେସବୁର ହିସାବ ରଖିବା ପାଇଁ ଲୋକେ ଏହାକୁ ୨୪ ଘଣ୍ଟା ହାତରେ ବାନ୍ଧି ରଖୁଛନ୍ତି । କିନ୍ତୁ ଏହି ସୁବିଧାଜନକ ଗ୍ୟାଜେଟ୍ ଆପଣଙ୍କ ପାଇଁ କାଳ ବି ସାଜିପାରେ ? ଇଣ୍ଟରନେଟରେ ଏବେ ଏକ ଚର୍ଚ୍ଚା ଜୋର ଧରିଛି ଯେ, ସ୍ମାର୍ଟୱାଚ୍ ପିନ୍ଧିବା ଦ୍ୱାରା କ୍ୟାନ୍ସର ହେବାର ଭୟ ରହିଛି । ଆସନ୍ତୁ ଜାଣିବା ଏହି ଦାବିରେ କେତେ ସତ୍ୟତା ଅଛି ଏବଂ ବିଜ୍ଞାନ ଏହା ଉପରେ କ’ଣ କହୁଛି ।

ସ୍ମାର୍ଟୱାଚ୍ ମୁଖ୍ୟତଃ ସ୍ମାର୍ଟଫୋନ୍ ସହ କନେକ୍ଟ ହେବା ପାଇଁ ବ୍ଲୁଟୁଥ୍ ଏବଂ ୱାଇ-ଫାଇ ଭଳି ୱାୟରଲେସ୍ ସିଗନାଲ୍ ବ୍ୟବହାର କରିଥାଏ । ଏଥିରୁ ବାହାରୁଥିବା ତରଙ୍ଗକୁ 'ନନ୍-ଆୟୋନାଇଜିଂ ରେଡିଏସନ୍' କୁହାଯାଏ । ବିଶେଷଜ୍ଞଙ୍କ ମତରେ, ଏହି ରେଡିଏସନ୍ ଏତେ ଶକ୍ତିଶାଳୀ ନୁହେଁ ଯେ ଏହା ଆମ ଶରୀରର DNAକୁ ନଷ୍ଟ କରି କ୍ୟାନ୍ସର ସୃଷ୍ଟି କରିପାରିବ । ସ୍ମାର୍ଟୱାଚରୁ ନିର୍ଗତ ହେଉଥିବା ରେଡିଏସନ୍ ସ୍ତର ମୋବାଇଲ୍ ଫୋନ୍ ତୁଳନାରେ ମଧ୍ୟ ଯଥେଷ୍ଟ କମ୍ । ତେଣୁ କେବଳ ସିଗନାଲ୍ ଯୋଗୁଁ କ୍ୟାନ୍ସର ହେବାର କୌଣସି ଠୋସ୍ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ । ସାମ୍ପ୍ରତିକ ଗବେଷଣା ଅନୁଯାୟୀ, କ୍ୟାନ୍ସର ଭୟ ସ୍ମାର୍ଟୱାଚର 'ଟେକ୍ନୋଲୋଜି' ପାଇଁ ନୁହେଁ, ବରଂ ଏହାର 'ଷ୍ଟ୍ରାପ୍'କୁ ନେଇ ଦେଖାଦେଇଛି । ଅନେକ ନାମୀଦାମୀ ବ୍ରାଣ୍ଡ ସେମାନଙ୍କ ୱାଚ୍ ଷ୍ଟ୍ରାପରେ ସିନ୍ଥେଟିକ୍ ରବର ବା 'ଫ୍ଲୁରୋଏଲାଷ୍ଟୋମର୍ସ' ବ୍ୟବହାର କରନ୍ତି ।

ଏହି ସାମଗ୍ରୀରେ PFAS (Per- and polyfluoroalkyl substances) ନାମକ ଏକ କେମିକାଲ୍ ଗ୍ରୁପ୍ ରହିଥାଏ । ଏହାକୁ 'ଫରେଭର୍ କେମିକାଲ୍ସ' ମଧ୍ୟ କୁହାଯାଏ, କାରଣ ଏହା ପରିବେଶରେ କିମ୍ବା ମଣିଷ ଶରୀରରେ ସହଜରେ ନଷ୍ଟ ହୁଏନାହିଁ । ଏହାର ଏକ ପ୍ରକାର ହେଉଛି PFHxA, ଯାହାକୁ ନେଇ ବର୍ତ୍ତମାନ ଚିନ୍ତା ପ୍ରକଟ କରାଯାଉଛି । କୁହାଯାଉଛି କି, ଦୀର୍ଘ ସମୟ ଧରି ଏହି କେମିକାଲ୍ ସଂସ୍ପର୍ଶରେ ଆସିଲେ ଶରୀରରେ ହର୍ମୋନ୍ ଅସନ୍ତୁଳନ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ, କିନ୍ତୁ କ୍ୟାନ୍ସର ସହ ଏହାର ସିଧାସଳଖ ସମ୍ପର୍କ ଏବେ ବି ଗବେଷଣା ସାପେକ୍ଷ । କ୍ୟାନ୍ସର ଏକ ବଡ଼ ରୋଗ ହୋଇଥିବା ବେଳେ, ଡାକ୍ତରମାନେ ସ୍ମାର୍ଟୱାଚ୍ ୟୁଜର୍ସଙ୍କ କ୍ଷେତ୍ରରେ କିଛି ସାଧାରଣ ସମସ୍ୟା ଲକ୍ଷ୍ୟ କରିଛନ୍ତି । ଷ୍ଟ୍ରାପ୍ର ସାମଗ୍ରୀ ଯୋଗୁଁ ସ୍କିନ୍ ଆଲର୍ଜ ଯେପରିକି କୁଣ୍ଡେଇ ହେବା ବା ଲାଲ୍ ପଡ଼ିଯିବା । ଷ୍ଟ୍ରାପ୍ ତଳେ ଝାଳ ଏବଂ ମଇଳା ଜମି ରହିବା ଦ୍ୱାରା ବ୍ୟାକ୍ଟେରିଆ ବଢ଼ିଥାନ୍ତି । ଅଧିକ ଟାଇଟ୍ କରି ପିନ୍ଧିବା ଦ୍ୱାରା ରକ୍ତ ସଞ୍ଚାଳନରେ ବାଧା ଏବଂ ଚର୍ମରେ ଦାଗ ପଡ଼ିବା । ଶେଷରେ ଏତିକି କୁହାଯାଇପାରିବ ଯେ, ବର୍ତ୍ତମାନ ସୁଦ୍ଧା ସ୍ମାର୍ଟୱାଚ୍ କ୍ୟାନ୍ସର କରେ ବୋଲି କୌଣସି ପ୍ରମାଣ ନାହିଁ । ତଥାପି ସୁରକ୍ଷିତ ରହିବା ପାଇଁ ସ୍ମାର୍ଟୱାଚ୍ ବ୍ୟବହାର ବେଳେ କିଛି ଦିଗ ପ୍ରତି ସତର୍କ ରୁହନ୍ତୁ । ଯଦି ରବର ଷ୍ଟ୍ରାପରୁ ଆଲର୍ଜି ହେଉଛି, ତେବେ କପଡ଼ା କିମ୍ବା ଚମଡ଼ା ଷ୍ଟ୍ରାପ୍ ବ୍ୟବହାର କରନ୍ତୁ । ପ୍ରତିଦିନ ନିଜ ସ୍ମାର୍ଟୱାଚ୍ ଏବଂ କଲାଇକୁ ସଫା କରନ୍ତୁ । ଘଣ୍ଟାକୁ ଅଧିକ ଟାଇଟ୍ କରି ପିନ୍ଧନ୍ତୁ ନାହିଁ । ଭୟଭୀତ ହୁଅନ୍ତୁ ନାହିଁ, ବରଂ ସଚେତନତାର ସହ ଏହାକୁ ବ୍ୟବହାର କରନ୍ତୁ ।

ଆହୁରି ପଢ଼ନ୍ତୁ... ଏସିରେ ବିସ୍ଫୋରଣ ପୂର୍ବରୁ ମିଳିଥାଏ ଏହି ସଂକେତ, ସତର୍କ ରୁହନ୍ତୁ...