ନୂଆଦିଲ୍ଲୀ,୧୧/୧୧; ଦିଲ୍ଲୀ ଲାଲ୍ଲକିଲ୍ଲାର ମେଟ୍ରୋ ରେଳ ଷ୍ଟେସନ୍ ନିକଟରେ ସୋମବାର ହୋଇଥିବା ଭୟଙ୍କର ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୩୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣାରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ମାମଲାରେ ସନ୍ଦିଗ୍ଧ ଯୁବକର ଫଟୋ ସାମ୍ନାକୁ ଆସିଛି । ବ୍ଲାଷ୍ଟ ହେବା କିଛି ସମୟ ପୂର୍ବରୁ ଉକ୍ତ ଯୁବକ ମାସ୍କ ପିନ୍ଧି ହୁଣ୍ଡାଇ i20 ଚଳାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ସନ୍ଦିଗ୍ଧ କଳାରଙ୍ଗର ଟି-ସାର୍ଟ ପିନ୍ଧିଥିବା ସିସିଟିଭିରେ ଦେଖାଯାଉଛି । ବିସ୍ଫୋରଣର ୩ ଘଣ୍ଟା ପୂର୍ବରୁ ଲାଲ୍‌କିଲ୍ଲା ନିକଟରେ ପାର୍କିଂ ହୋଇଥିଲା । ଅପରାହ୍ନ ୩ଟା ୧୯ରେ ପାର୍କିଂ ହେଲା କାର୍ । ପାର୍କିଁଂରେ ପ୍ରାୟ ୩ ଘଣ୍ଟା ଛିଡ଼ା ହୋଇ ରହିଥିଲା କାର୍ । ୬ଟା ୪୮ରେ ବାହାରିଥିଲା । ସଂଧ୍ୟା ୬ଟା ୫୨ ମିନିଟ୍‌ରେ ଲାଲ୍‌କିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିଲା ।

ହଠାତ୍‌ ଉକ୍ତ କାର୍‌ରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଯୋଗୁ ସେହି କାର୍‌ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇଯିବା ସହ ଆଖପାଖରେ ଥିବା ଆହୁରି ୬ଟା କାର, ୨ଟି ଇ-ରିକ୍ସା ଏବଂ ଗୋଟିଏ ଅଟୋରେ ନିଆଁ ଲାଗିଯାଇଥିଲା । ୨୬/୧୧ ମୁମ୍ବାଇ ତାଜ ହୋଟେଲ୍‌ ବିସ୍ଫୋରଣ ପରେ ୧୦/୧୧ ଘଟଣା ଦେଶକୁ ଦୋହଲାଇ ଦେଇଛି  ସେପଟେ ଘଟଣାରେ UAPA ଆଧାରରେ କୋଟୱାଲି ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ସେପଟେ ଲାଲକିଲ୍ଲୀ ବ୍ଲାଷ୍ଟକୁ ନେଇ କାଶ୍ମୀରରେ ଲାଗିଥିବା ପୋଷ୍ଟରରୁ ସୁରାଗ ମିଳିଛି । ଟାର୍ଗେଟରେ ଥିଲା ଦିଲ୍ଲୀ । ସୋମବାର ରାତି ତମାମ ପୁଲିସ୍‌ ସର୍ଚ୍ଚ ଅପରେସନ୍‌ ଚଳାଇଥିଲା । ପାହାରଗଞ୍ଜ, ଦରିଆଗଞ୍ଜ ଏବଂ ଆଖପାଖ ଅଞ୍ଚଳର ହୋଟେଲଗୁଡ଼ିକରେ ରାତିସାରା ପୁଲିସ ତଲାସୀ ନେଇଥିଲା। ପୁଲିସ ଟିମ୍‌ ହୋଟେଲ ରେଜିଷ୍ଟର ଯାଞ୍ଚ କରିଥିଲା । ତଲାସୀ ସମୟରେ, ୪ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି । ବିସ୍ଫୋରଣ ଯାଞ୍ଚରେ ଏନ୍‌ଏସ୍‌ଜି, ଏନ୍‌ଆଇଏ, କ୍ରାଇମବ୍ରାଞ୍ଚ ସାମିଲ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ । ଆଜି ଗୃହମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।

​​​​​​​UAPA ଆଧାରରେ ମାମଲା ରୁଜୁ- ଦିଲ୍ଲୀ ଲାଲ୍‌କିଲ୍ଲା ବିସ୍ଫୋରଣ ଘଟଣାରେ ମାମଲା ରୁଜୁ କୋଟୱାଲି ପୋଲିସ ଷ୍ଟେସନରେ UAPA ଆଧାରରେ ଦିଲ୍ଲୀ ପୋଲିସର ମାମଲା ରୁଜୁ କରିଛି । ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ୍‌ UAPAର ଧାରା ୧୬, ୧୮ରେ ମାମଲା ଦାୟର ହୋଇଛି । ବିସ୍ଫୋରକ ଆଇନ ଓ ବିଏନ୍‌ଏସର ବିଭିନ୍ନ ଧାରା ଅନୁଯାୟୀ ବି ମାମଲା ରୁଜୁ ହୋଇଛି । ଡିସିପି ରାଜା ଭାଟିଆ କହିଛନ୍ତି, ୟୁଏପିଏ ଆଧାରରେ ମାମଲା ରୁଜୁ ହୋଇଛି । ତଦନ୍ତ ଆରମ୍ଭ ହୋଇଛି ।  ଦିଲ୍ଲୀ ପୁଲିସ, FSL, NSGର ଅନେକ ଏକ୍ସପର୍ଟ ଟିମ୍ ଦଳ ଘଟଣାସ୍ଥଳରେ ଅଛନ୍ତି । ତଦନ୍ତରେ ସାହାଯ୍ୟ କରିବା ପାଇଁ ସେମାନେ ସମ୍ଭବ ପ୍ରମାଣ ସଂଗ୍ରହ କରୁଛନ୍ତି । ତଦନ୍ତ ବହୁତ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ଏହା ଉପରେ କୌଣସି ମତାମତ ଦେବା ଠିକ୍ ହେବ ନାହିଁ ।  ଏଲଏନ୍‌ଜିପିରେ ପୋଷ୍ଟମର୍ଟମ ଚାଲିଛି। ୫ଟି ପୋଷ୍ଟମର୍ଟମ ପୂର୍ବରୁ ହୋଇସାରିଛି । ଗୋଟିଏ କିମ୍ବା ଦୁଇଟି ଅଚିହ୍ନା ମୃତଦେହ ଅଛି । ପୂର୍ବରୁ ୬ଟି ମୃତଦେହ ଚିହ୍ନଟ କରିସାରିଛୁ ।"
​​​​​​​