ନୂଆଦିଲ୍ଲୀ,୧୬।୯: ଭାରତର ‘ଅପରେସନ୍ ସିନ୍ଦୂର’ ରେ ମାସୁଦ ଆଝାରର ପୁରା ପରିବାର ଶେଷ ହୋଇଯାଇଥିଲା। ଏ ସମ୍ପର୍କରେ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦର ଟପ୍ କମାଣ୍ଡର ମସୁଦ ଇଲିୟାନ କଶ୍ମୀରି ନିଜେ ସ୍ବୀକାର କରିଛି। ସେ କହିଛି ବହାବଲପୁରରେ ଥିବା ଆତଙ୍କୀ ଆଡ୍ଡା ଉପରେ ୭ ମଇରେ ଭାରତ ଆକ୍ରମଣ କରିଥିଲା। ଏଥିରେ ଆଝାରର ପରିବାର ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏହା ଏତେ ଭୟଙ୍କର ଥିଲା ଯେ, ସେମାନେ ଖଣ୍ଡଖଣ୍ଡ ହୋଇଯାଇଥିଲେ।
ଜୈଶ କମାଣ୍ଡର ମସୁଦ ଇଲିୟାସ୍ କହିଛି, ଭାରତର ଆକ୍ରମଣରେ ତା‘ର ପରିବାରର ପ୍ରବଳ କ୍ଷୟକ୍ଷତି ହୋଇଥିଲା। ପରିବାରର ସଦସ୍ୟଙ୍କ ମୃତ୍ୟୁ ହେବା ସହ ଅନେକ ଆତଙ୍କୀଙ୍କ ମୃତ୍ୟୁ ବି ହୋଇଛି। ଭାଇରାଲ ଭିଡିଓରେ ଆତଙ୍କୀ ଜଣକ ଉର୍ଦ୍ଧୁ ଭାଷାରେ କହୁଛି। ସେ କହୁଛି ଆମ ଦେଶର ସୀମା ରକ୍ଷା ପାଇଁ ଦିଲ୍ଲୀ, କାବୁଲ ଓ କାନ୍ଦାହାର ସହ ଲଢେଇ ହେଉଛି। ସବୁକିଛି ବଳିଦାନ ପରେ ୭ ମଇରେ ମୌଲାନା ମସୁଦ ଆଝାର ପରିବାରକୁ ବାହାବଲପୁରରେ ଭାରତୀୟ ସୁରକ୍ଷା ବଳକୁ ନଷ୍ଟ କରିଦେଇଥିଲା। ଆତଙ୍କୀ କମାଣ୍ଡର ଯେଉଁ ମଞ୍ଚରୁ ଏହା ସ୍ବୀକାର କରିଥିଲା, ସେହି ମଞ୍ଚରେ ତା ପଛରେ ବହୁ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଘେରି ରହିଥିଲେ।
ଉଲ୍ଲେଖନୀୟ ଯେ, ୨୨ ଏପ୍ରିଲରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ୭ ମେରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅପରେସନ ଅନ୍ତର୍ଗତ ଭାରତ ପାକ୍ ଅଧିକୃତ ଜମ୍ମୁ ଓ କାଶ୍ମୀର ଏବଂ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ୭ ରୁ ୧୦ ମେ ପର୍ଯ୍ୟନ୍ତ ଚାଲିଥିବା ଏହି ଅପରେସନରେ ଭାରତ କେବଳ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ୱଂସ କରିନଥିଲା ବରଂ ପାକିସ୍ତାନର ନୁର ଖାନ ଏୟାରବେସ୍, ରହିମ ଖାନ ଏୟାରବେସ୍ ସମେତ ୧୦-୧୨ ସାମରିକ ଘାଟିକୁ ମଧ୍ୟ ଧ୍ୱଂସ କରିଥିଲା।