କୋଲକାତା/ନୂଆଦିଲ୍ଲୀ, ୨୭।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ କଡ଼ା ଚେତାବନୀ ପରେ ଭାରତ-ବାଂଲାଦେଶ ସୀମାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବେଆଇନ ଭାବେ ଅନୁପ୍ରବେଶ କରିଥିବା ଶତାଧିକ ବାଂଲାଦେଶୀ ନାଗରିକ ଏବେ ନିଜ ଦେଶକୁ ଫେରିଯିବା ପାଇଁ ସୀମାନ୍ତରେ ପ୍ରବଳ ଭିଡ଼ ଜମାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ 'ଡିଟେକ୍ଟ, ଡିଲିଟ୍ ଏବଂ ଡିପୋର୍ଟ' (ଚିହ୍ନଟ କର, ବାଦ୍ ଦିଅ ଏବଂ ବାହାର କର) ନୀତିର ଘୋଷଣା ପରେ ଅନୁପ୍ରବେଶକାରୀଙ୍କ ମଧ୍ୟରେ କାଳବୈଶାଖୀର ଆତଙ୍କ ଖେଳିଯାଇଛି । ରାଜ୍ୟର ବିଜେପି ସରକାର ଏହି ଅନୁପ୍ରବେଶ ବିରୋଧୀ ଅଭିଯାନକୁ କେବଳ ରାଜନୈତିକ ବୟାନବାଜିରେ ସୀମିତ ନରଖି, ଏହାକୁ ଏକ ବ୍ୟାପକ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନର ରୂପ ଦେଇଛନ୍ତି । ଚିହ୍ନଟ ହେଉଥିବା ଅନୁପ୍ରବେଶକାରୀଙ୍କୁ ସରକାର ସିଧାସଳଖ ବର୍ଡର ସିକ୍ୟୁରିଟି ଫୋର୍ସ (BSF) ହାତରେ ସମର୍ପଣ କରି ଦେଶାନ୍ତର ବା ଡିପୋର୍ଟ କରୁଛନ୍ତି । 

ସୀମାନ୍ତରେ ଆତଙ୍କିତ ଭିଡ଼: ହକିମପୁର ଚେକପଏଣ୍ଟରେ ବିଏସଏଫକୁ ଘେରିଲେ ଅନୁପ୍ରବେଶକାରୀ

ମଙ୍ଗଳବାର ପଶ୍ଚିମବଙ୍ଗର ଭାରତ-ବାଂଲାଦେଶ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ କରି ଉତ୍ତର ୨୪ ପ୍ରଗଣା ଏବଂ ମାଲଦା ଜିଲ୍ଲାରୁ ଆସିଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଉତ୍ତର ୨୪ ପ୍ରଗଣାର ବସିରହାଟ ସବ୍ଡିଭିଜନ ଅନ୍ତର୍ଗତ ହକିମପୁର ଚେକପଏଣ୍ଟରେ ଶତାଧିକ ବାଂଲାଦେଶୀ ପୁରୁଷ ଓ ମହିଳା ଏକାଠି ହୋଇ ବିଏସଏଫ ଅଧିକାରୀମାନଙ୍କୁ ଘେରି ଯାଇଥିଲେ । ସେମାନେ ନିଜ ନିଜର ବାଂଲାଦେଶୀ ନାଗରିକତ୍ୱର ପ୍ରମାଣପତ୍ର ଓ ଦସ୍ତାବେଜ ଦେଖାଇ ଯଥାଶୀଘ୍ର ସୀମା ପାର୍ କରିବାକୁ ଅନୁରୋଧ କରୁଥିବା ଦେଖାଯାଇଛି ।

"ମୁଁ ସୋସିଆଲ ମିଡିଆ ଏବଂ ୟୁଟ୍ୟୁବ୍ରେ ଦେଖିଥିଲି ଯେ ବାଂଲାଦେଶୀ ପ୍ରବକ୍ତା କହିଛନ୍ତି— ଯେଉଁମାନେ ବାଂଲାଦେଶୀ ନାଗରିକ, ଆମେ ସେମାନଙ୍କୁ ଦେଶକୁ ଫେରାଇ ନେବୁ । ସେଥିପାଇଁ ଆମେ ଫେରିଯିବାକୁ ଚାହୁଁଛୁ ।" ବୋଲି ଜଣେ ଅନୁପ୍ରବେଶକାରୀ କହିଛନ୍ତି । ଏହି ଲୋକମାନଙ୍କୁ ସୀମା ପାର୍ କରାଇବା ପୂର୍ବରୁ ପ୍ରଥମେ ବିଏସଏଫ ସେମାନଙ୍କର ସମସ୍ତ ଦସ୍ତାବେଜ ଯାଞ୍ଚ କରୁଛି । ଏହା ପରେ ବାଂଲାଦେଶ ପଟେ ମୁତୟନ ଥିବା 'ବର୍ଡର ଗାର୍ଡ ବାଂଲାଦେଶ' (BGB) ସେମାନଙ୍କର ପରିଚୟ ସ୍ପଷ୍ଟ କରିବା ପରେ ହିଁ ସେମାନଙ୍କୁ ସୀମା ପାର୍ ହେବାର ଅନୁମତି ମିଳୁଛି ।

"ଏମାନେ କ’ଣ ଆମ ଜ୍ୱାଇଁ?" ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ କଡ଼ା ଆଭିମୁଖ୍ୟ

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ପ୍ରତ୍ୟେକ ନାଗରିକଙ୍କୁ ନିଜ ଦେଶକୁ ଫେରିବାକୁ ହିଁ ହେବ । ଦେଶର ଇମିଗ୍ରେସନ ଆଣ୍ଡ ଫରେନର୍ସ ଆକ୍ଟ, ୨୦୨୫ ଅନୁଯାୟୀ ଏହି ବେଆଇନ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ସମସ୍ତ ଆଇନଗତ ବ୍ୟବସ୍ଥା ରହିଛି । "ଆମେ ପୋଲିସକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛୁ ଯେ ଏହି ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜେଲ୍ରେ ରଖିବାର କୌଣସି ଆବଶ୍ୟକତା ନାହିଁ । ଜେଲ୍‌ରେ ରହି ଏମାନେ ଭାରତ ସରକାରଙ୍କ ପଇସାରେ ଖାଇବେ, ପିନ୍ଧିବେ ଓ ମାଗଣାଔଷଧ ନେବେ । ଏମାନେ କ’ଣ ଆମର ଜ୍ୱାଇଁ ? ଶୀଘ୍ର ଏଠାରୁ ନିଜ ଦେଶକୁ ଭାଗ, ନଚେତ୍ ସରକାର ଯାହା କରିବା କଥା ଆଗକୁ କରିବେ ।"

ବେଆଇନ ଅନୁପ୍ରବେଶକାରୀଙ୍କ ପାଇଁ ବେଙ୍ଗଲରେ ପ୍ରସ୍ତୁତ ହେଉଛି 'ହୋଲ୍ଡିଂ ସେଣ୍ଟର'

ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀକୁ ଆଧାର କରି ପଶ୍ଚିମବଙ୍ଗର 'ହୋମ୍ ଆଣ୍ଡ ହିଲ୍ ଆଫେୟାର୍ସ ଡିପାର୍ଟମେଣ୍ଟ'ର ଫରେନର୍ସ ବ୍ରାଞ୍ଚ ପକ୍ଷରୁ ବିଭିନ୍ନ ସୀମାନ୍ତ ଜିଲ୍ଲାରେ 'ହୋଲ୍ଡିଂ ସେଣ୍ଟର' ନିର୍ମାଣ କାର୍ଯ୍ୟ ଜୋରଦାର କରାଯାଇଛି । ବେଆଇନ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ନାଗରିକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ନିଜ ଦେଶକୁ ଡିପୋର୍ଟ କରାଯିବା ପୂର୍ବରୁ ଏହି କେନ୍ଦ୍ରଗୁଡ଼ିକରେ ଅସ୍ଥାୟୀ ଭାବେ ରଖାଯିବ । ରାଜ୍ୟର ମାଲଦା ଜିଲ୍ଲାରେ ଏହିପରି ଏକ ହୋଲ୍ଡିଂ ସେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇସାରିଛି ଏବଂ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଏହାକୁ ଖୁବ୍ ଶୀଘ୍ର ଖୋଲାଯାଉଛି । କେନ୍ଦ୍ର ସରକାରଙ୍କ କଡ଼ା ନିୟମ ଏବଂ ରାଜ୍ୟର ନୂତନ ବିଜେପି ସରକାରଙ୍କ ବ୍ୟାପକ ପ୍ରଶାସନିକ ତତ୍ପରତା ଯୋଗୁଁ ବର୍ତ୍ତମାନ ପଶ୍ଚିମବଙ୍ଗରେ ବେଆଇନ ଅନୁପ୍ରବେଶ ଉପରେ ଏକ ବଡ଼ ଧରଣର ଅଙ୍କୁଶ ଲାଗିଥିବା ଦେଖିବାକୁ ମିଳୁଛି । ପଶ୍ଚିମବଙ୍ଗ ରାଜନୀତି ଏବଂ ସୀମାନ୍ତ ସୁରକ୍ଷା ସମ୍ବନ୍ଧୀୟ ସଦ୍ୟତମ ଅପଡେଟ୍ ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । 

ଆହୁରି ପଢ଼ନ୍ତୁ... ​​​​​​​Cyber Crime : ‘କକ୍ରୋଚ ଜନତା ପାର୍ଟି’ ନାଁରେ ମେସେଜ୍ ଆସୁଛି କି ? ସାବଧାନ୍ ! ଏପିକେ ଫାଇଲ୍ ପଠାଇ ସବୁ ଫୋଛିନେବେ...