ଭୁବନେଶ୍ୱର ୧୪/୦୧: ଚନ୍ଦ୍ରଶେଖରପୁରରେ ଅଘଟଣ। ଡମଣା ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ବିଏମ୍‌ସି ସଫେଇ ଗାଡ଼ି। ରାସ୍ତାରୁ ବାଲି ସଫା ବେଳେ ଲାଗିଲା ନିଆଁ। ପୋଡି ପାଉଁଶ ହୋଇଗଲା ସଂପୂର୍ଣ୍ଣ ଗାଡ଼ି । ୧୫ ଫୁଟ ଉପରକୁ ଉଠିଲା କଳାଧୂଆଁ। ମୋବିଲ ଲିକ୍‌ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥରେ ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।  ସଫେଇ ଗାଡ଼ିକୁ ଫୋମ ସାହାର୍ଯ୍ୟରେ ନିଆଁ ଲିଭିଇବାକୁ ଉଦ୍ୟମ କରୁଛନ୍ତି ଅଗ୍ନିଶମ କର୍ମଚାରୀ। ଅଗ୍ନିକାଣ୍ଡ ପରେ ଡମଣା ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା। ଫଳରେ ଗୋଟିଏ ପାର୍ଶ୍ବରେ ଯାନବାହନ ଯାତାୟାତ କରୁଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି। 


ସୂଚନା ଅନୁଯାଇ, ମଙ୍ଗଳବାର ଦିନ  ପ୍ରାୟ ୧୧ଟା ବେଳେ ବିଏମ୍‌ସିର ଏକ ସଫେଇ ଗାଡ଼ି ରାସ୍ତାକୁ କଡ଼ରୁ ବାଲି ସଫା କରୁଥିଲେ। ସେହି ସମୟରେ ସଫେଇ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ସଂପୂର୍ଣ୍ଣ ଗାଡ଼ିକୁ ଗ୍ରାସ କରି ନେଇଥିଲା। ନିଆଁ ଲାଗିଥିବା ଦେଖି ଗାଡ଼ି ଚାଳକ ଏବଂ ସଫେଇ କର୍ମଚାରୀ ଗାଡିରୁ ଡ଼େଇଁପଡ଼ି ବାହାରକୁ ଚାଲି ଆସିଥିଲେ। ସ୍ଥାନୀୟଲୋକ ଏନେଇ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ପ୍ରଥମେ ଗୋଟିଏ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଗାଡ଼ିକୁ ଫୋମ୍ ଏବଂ ପାଣି ମାଡ଼ କରିଥିଲେ। ତଥା ନିଆଁ ଆୟତ୍ତକୁ ଆସିନଥିଲା। ପରେ ଆଉ ଏକ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ତେବେ ସେତେ ବେଳେ ସଫେଇ ଗାଡ଼ିରୁ ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଯାଇଥିଲା। ତେବେ ସଫେଇ ଗାଡ଼ିରେ କେଉଁ କାରଣ ଅଗ୍ନିକାଣ୍ଡ ଘଟିଛି ତାହ ଜଣାପଡିନାହିଁ। ଗାଡ଼ିରେ ମେଣ୍ଟେନାନ୍ସ ଅଭାବ କିମ୍ବା ମୋବିଲ ଲିକ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ସୋମବାର ଜୟଦେବ ବିହାରରୁ ଡମଣା ଆଡକୁ ଏକ ସ୍କୁଟି ଯାଉଥିଲା ।  ସମାନ ଦିଗରେ ୩ଟି କାର ମଧ୍ୟ ନିଜ ଗନ୍ତବ୍ୟସ୍ଥଳକୁ  ଯାଉଥିଲେ । ଡମଣା ଛକ ନିକଟ କଲ୍ୟାଣ ମଣ୍ଡପ  ସାମ୍ନାରେ ଏକ ଗାଡ଼ି ଆସିଯିବାରୁ ସ୍କୁଟି ଚାଳକ ବ୍ରେକ୍‌  ମାରି ଦେଇଥିଲେ । ଫଳରେ ପଛରୁ ଆସୁଥିବା କାର୍‌ ଚାଳକ  ସ୍କୁଟି ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବ୍ରେକ୍‌  ମାରିଥିଲେ । ଏହିପରି ତିନୋଟି କାର୍‌ ପଛକୁ  ପଛ ପିଟି ହୋଇଥିଲେ । ଯେଉଁଥିରେ ପଛ  ଦୁଇଟି କାରର ବନେଟ୍‌ ଭାଙ୍ଗି ଯାଇଥିଲା ।  ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା  ଦେଖା ଦେଇଥିଲା । ପଛକୁ ପଛ ଗାଡ଼ି  ଜାମ୍‌ ହୋଇ ଯାଇଥିଲା । କିଛି ସମୟ ପାଇଁ ଏହି ରୁଟରେ  ଯିବା ଆସିବା ଠପ୍‌ ହୋଇଯାଇଥିଲା । ଦୁର୍ଘଟଣାରେ କେହି  ଆହତ ହୋଇନଥିବା ଜଣାପଡିଛି ।