ନୂଆଦିଲ୍ଲୀ,୦୮/୧୧; ଭୟଙ୍କର ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଗଲା ଏକାଧିକ ଘର । ଦିଲ୍ଲୀ ରୋହିଣୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ରିଥାଲା ମୋଟ୍ରୋ ଷ୍ଟେସନ ନିକଟ ବସ୍ତିରେ ଅଗ୍ନିକାଣ୍ଡ ଘଟି ଏକାଧିକ ଘର ଜଳି ପୋଡି ପାଉଁଶ ହୋଇଛି । ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି । ଅଘଟଣରେ ଜଣେ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି ।ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ୬ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି ଅଗ୍ନିଶମ ଟିମ୍ । ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।
ପ୍ରାଥମିକ ସୂଚନା ଅନୁଯାୟୀ ଅନେକ ଘର ଜଳି ଯାଇଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅନେକ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଆହୁରି ବଢିଥିଲା । ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଅଗ୍ନିଶମ ଅଧିକାରୀ ଏସକେ ଦୁଆ କହିଛନ୍ତି ଯେ, ରିଥାଲା ମେଟ୍ରୋ ଷ୍ଟେସନ ଏବଂ ଦିଲ୍ଲୀ ୱାର୍ଟର ବୋର୍ଡ ମଧ୍ୟରେ ଅବସ୍ଥିତ ବଙ୍ଗାଳୀ ବସ୍ତିର କୁଡ଼ିଆରେ ନିଆଁ ଲାଗିଥିବା ସୂଚନା ପାଇଥିଲେ । ଘଟଣାସ୍ଥଳକୁ ଅଗ୍ନିଶମ ଗାଡି ପଠାଯାଇଥିଲା । ଘଟଣାସ୍ଥଳରେ ମୋଟ ୨୯ଟି ଦମକଳ ଗାଡି ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରାଯାଇଛି । ଜଣେ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି ଏବଂ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଛି ।
କୁଡ଼ିଆ ଜଳି ପୋଡ଼ି ପାଉଁଶ- ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନିଆଁରେ ଏକାଧିକ ଝୁପୁଡି ଘର ପୋଡ଼ି ଜଳି ପାଉଁଶ ହୋଇଛି । ବସ୍ତି ଲୋକମାନେ ସେମାନଙ୍କର ଜିନିଷପତ୍ରକୁ ବଞ୍ଚାଇବା ପାଇଁ ଦୌଡ଼ୁଥିବା ଦେଖି ବାକୁ ମିଳିଥିଲା ।ପୁଲିସ ତୁରନ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା ଏବଂ ନିଆଁକୁ ଆହୁରି ବ୍ୟାପିବାକୁ ରୋକିବା ପାଇଁ ଅତିରିକ୍ତ ଦମକଳ ଗାଡିକୁ ସଜାଗ ରଖାଯାଇଥିଲା । ଜଣେ ଡିଏଫଏସ୍ ଅଧିକାରୀ କହିଛନ୍ତି, "ଆମର ଦଳଗୁଡ଼ିକ ନିଆଁକୁ ଆୟତ କରିବାକୁ ସବୁ ଚେଷ୍ଟା କରିଛନ୍ତି । ପୁଲିସ ସହାୟତାରେ, ଭିଡ଼କୁ ଦୂରରେ ରଖାଯାଉଥିଲା ଯାହାଦ୍ୱାରା ଉଦ୍ଧାର କାର୍ଯ୍ୟ ସୁଗମ ହୋଇଥିଲା ।"