ଭୁବନେଶ୍ୱର, ୨୦/୦୭ : ଚଳିତବର୍ଷ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଖାତା ଦେଖାରେ ବିଭ୍ରାଟ ଦେଖିବାକୁ ମିଳିଛି । ପ୍ରଥମଥର ପାଇଁ ବିନା ପୂର୍ବ ପ୍ରସ୍ତୁତି ଓ ବିନା ପ୍ରଶିକ୍ଷଣରେ ଅନ୍‌ଲାଇନ୍‌ ମାଧ୍ୟମରେ ଖାତା ଦେଖାଯାଉଛି । ଏଥିରେ ଅନେକ ପ୍ରକାରର ବୈଷୟିକ ସମସ୍ୟା ଦେଖିବାକୁ ମିଳୁଛି । ଶିକ୍ଷକଙ୍କ ୟୁଜର ଆଇଡି ଖୋଲୁନି । ଗଣିତ ଶିକ୍ଷକଙ୍କ ଆଇଡିରେ ଭୂଗୋଳ, ଇତିହାସ ଖାତା ଦେଖାଯାଉଛି । ବିଷୟ ଅସଙ୍ଗତ ରହୁଛି । ଜଣେ ଶିକ୍ଷକଙ୍କ ଆଇଡିରେ ଅନ୍ୟ ଜଣଙ୍କ ନାମ ପ୍ରଦର୍ଶିତ ହେଉଛି । ମୂଲ୍ୟାଙ୍କନ ପରେ ସେଭ୍‌ କିମ୍ବା ସବ୍‌ମିଟ୍‌ ମଧ୍ୟ ହେଉନି । ଏପରି ଅଭିଯୋଗ ଆଣିଛି ନୂତନ ପେନସନ ଭୁକ୍ତ (ଏନ୍‌ପିଏସ୍‌) ମାଧ୍ୟମିକ ଶିକ୍ଷକ ସଂଘ ।

ସଂଘର ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି, ଗତ ୧୭ ତାରିଖରୁ କ୍ୟାପିଟାଲ ହାଇସ୍କୁଲରେ ମାଟ୍ରିକ ସପ୍ଲିମେଣ୍ଟାରୀ ଖାତା ଦେଖା ଆରମ୍ଭ ହୋଇଛି । ଦୁଇ ଦିନ ବିତିଯାଇଥିଲେ ମଧ୍ୟ ବିଭିନ୍ନ ସମସ୍ୟା କାରଣରୁ ଏହା ସୁଚାରୁଭାବେ କରାଯାଇ ପାରୁନି । ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇନାହିଁ । ସିଧାସଳଖ ଅନ୍‌ଲାଇନ୍‌ରେ ଖାତା ଦେଖିବାକୁ ବାଧ୍ୟ କରାଯାଉଛି । ଏନେଇ କୌଣସି ଭିଡିଓ, ପିଡିଏଫ୍‌, ଗୁଗଲ୍‌ ମିଟ୍‌ କିମ୍ବା ଜୁମ୍‌ରେ ପ୍ରଶିକ୍ଷଣ ମଧ୍ୟ ଦିଆଯାଇନାହିଁ ।ସେ ଆହୁରି ଅଭିଯୋଗ ଆଣିଛନ୍ତି, ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ୨୦୦ରୁ ଅଧିକ ଶିକ୍ଷକଙ୍କୁ ମୂଲ୍ୟାଙ୍କନ ପାଇଁ ନିୟୋଜିତ କରାଯାଇଛି । ରବିବାର ମଧ୍ୟ ଶିକ୍ଷକଙ୍କୁ ଖାତା ଦେଖିବାକୁ ଡକାଯାଉଛି । କିନ୍ତୁ ବୈଷୟିକ ତ୍ରୁଟି ପାଇଁ ଖାତାଦେଖା ସମ୍ଭବ ହେଉନଥିବାରୁ ଏହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପଡ଼ିବା ସହ ଫଳ ପ୍ରକାଶରେ ମଧ୍ୟ ବିଳମ୍ବ ହୋଇପାରେ । ଏଥିରେ ସରକାର, ଗଣଶିକ୍ଷା ବିଭାଗ ହସ୍ତକ୍ଷେପ କରିବାକୁ ସଂଘ ଅନୁରୋଧ କରିଛି।

ଆହୁରି ପଢନ୍ତୁ- Forest destruction : ବିକାଶ ନାଁରେ ବିନାଶ... କୋଇଲା ଖଣି ପାଇଁ ଅନୁଗୁଳରେ ଛାରଖାର ହେବ ଜଙ୍ଗଲ, ସଙ୍କଟରେ ବାଘ, ହାତୀ

ରାସ୍ତାକଡ଼ରୁ ଶସ୍ତା ଚଷମା କିଣି ପିନ୍ଧୁଥିଲେ ହୋଇଯାଆନ୍ତୁ ସାବଧାନ !​​​​​​​