ଭୁବନେଶ୍ୱର,୨୫/୧୧ : ପରିଣତ ବୟସରେ ତୀର୍ଥଯାତ୍ରା ଓ ଭଗବାନଙ୍କ ସାନିଧ୍ୟ ଲାଭ ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । ଏହି ଇଚ୍ଛାକୁ ପୂରଣ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କଠାରୁ ଉଜ୍ଜୟିନୀ ପୀଠକୁ ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରା ମଙ୍ଗଳମୟ ହେଉ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି । ୬ଟି ଜିଲ୍ଲାରୁ ୭୭୫ଜଣ ବରିଷ୍ଠ ନାଗରିକମାନେ ଉଜ୍ଜୟିନୀ ଓ ଓଁକାରେଶ୍ୱର ଦର୍ଶନ କରିବାର ସୁଯୋଗ ପାଇବା ସହ ଭାରତର ପ୍ରସିଦ୍ଧ ଶୈବପୀଠ ଦର୍ଶନ କରିପାରିବେ । ୨୦୨୫ - ୨୬ଆର୍ଥିକ ବର୍ଷରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଅଧୀନରେ ୧୦ଟି ପର୍ଯ୍ୟାୟରେ ପ୍ରାୟ ୮୦୦୦ବରିଷ୍ଠ ନାଗରିକମାନଙ୍କୁ ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରିବାର ସୁଯୋଗ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ଆଜି ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଇଣ୍ଡିଆନ ରେଲେୱ କ୍ୟାଟରିଙ୍ଗ, ଟୁରିଜିମ କର୍ପୋରେସନ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ସହଭାଗିତାରେ ୨୦୨୫-୨୬ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ ଆଜି ଭୁବନେଶ୍ୱର ରେଳ ଷ୍ଟେସନଠାରୁ ଉଜ୍ଜୟିନୀ-ଓଁକାରେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏହି ଯାତ୍ରାରେ ଖୋର୍ଦ୍ଧା ଜିଲ୍ଲାରୁ ୧୬୯ଜଣ, ପୁରୀରୁ ୧୨୭ଜଣ, କଟକରୁ ୧୯୭ଜଣ, ଜଗତସିଂହପୁରରୁ ୮୫ଜଣ, କେନ୍ଦ୍ରାପଡ଼ାରୁ ୮୯ଜଣ, ଢେଙ୍କାନାଳରୁ ୧୦୮ଜଣ ଏହିପରି ସମୁଦାୟ ୭୭୫ଜଣ ବରିଷ୍ଠ ନାଗରିକଙ୍କ ସହ ସେମାନଙ୍କ ଦେଖାଶୁଣା କରିବାକୁ ୨୫ଜଣ ସହାୟକ (ଏସ୍କର୍ଟ) ଅଧିକାରୀ ଏହି ଯାତ୍ରାରେ ସାମିଲ ଅଛନ୍ତି । ତୀର୍ଥଯାତ୍ରା ଶେଷ ପରେ ଆସନ୍ତା ୩୦ତାରିଖରେ ତୀର୍ଥଯାତ୍ରୀମାନେ ଭୁବନେଶ୍ୱରରେ ପହଞ୍ଚିବେ ।
ଆଜିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଭୁବନେଶ୍ୱର-ଏକାମ୍ର ବିଧାୟକ ବାବୁ ସିଂ, ପୁରୀ ବିଧାୟକ ସୁନିଲ ମହାନ୍ତି, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରମୁଖ ତାଙ୍କର ବକ୍ତବ୍ୟ ପ୍ରଦାନ କରିବା ସହ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଡିଆର୍ଏମ୍ ପ୍ରଦୀପ କୁମାର ବେହେରା, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଭୁବନେଶ୍ୱର ଉପ ଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।