ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ମୁଖ୍ୟ ମାୟାବତୀ ପୁଣିଥରେ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ କରିଛନ୍ତି। ଆକାଶ ଆନନ୍ଦ ଦଳରେ ତାଙ୍କର ପ୍ରତିଷ୍ଠା ଏବଂ ସ୍ଥାନ ଫେରି ପାଇଛନ୍ତି। ଆଜି ଦଳର ଅନେକ ବରିଷ୍ଠ ନେତାଙ୍କ ଏକ ବୈଠକରେ ମାୟାବତୀ ଆକାଶଙ୍କ ନୂତନ ନିଯୁକ୍ତି ଘୋଷଣା କରିଛନ୍ତି। ସେ ପ୍ରାୟ ଗୋଟିଏ ମାସ ପୂର୍ବରୁ ମାୟାବତୀଙ୍କୁ କ୍ଷମା ମାଗି ପୁଣି ଥରେ ଦଳକୁ ଫେରିଥିଲେ । 

ଆକାଶ ଆନନ୍ଦ ଏପ୍ରିଲ ୧୩ରେ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ କରି ମାୟାବତୀଙ୍କୁ କ୍ଷମା ମାଗିଥିଲେ । ତାଙ୍କର ଭୁଲକୁ କ୍ଷମା କରି ମାୟାବତୀ ପୁଣି ତରେ ଆକାଶ ଆନନ୍ଦଙ୍କୁ ଦଳକୁ ଫେରାଇ ଆଣିଥିଲେ । ସେବେ ମାୟାବତୀ କହିଥିଲେ ଯେ, ଆକାଶଙ୍କ ଜୀବନ ବିଏସପି ପ୍ରତି ସମର୍ପିତ ଥିବାରୁ, ତାଙ୍କୁ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଛି। ସେ ଏହା ମଧ୍ୟ କହିଥିଲେ ଯେ, ମୁଁ କାହାକୁ ଦଳର ଉତ୍ତରାଧିକାରୀ କରିବାର ପ୍ରଶ୍ନ ଉଠୁନାହିଁ।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ମାୟାବତୀ ଲେଖିଛନ୍ତି ଯେ, ପାର୍ଟି ବୈଠକରେ ସାରା ଦେଶରୁ ଆସିଥିବା ଲୋକଙ୍କ ସମ୍ମତିରେ ଆକାଶ ଆନନ୍ଦଙ୍କୁ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ କରାଯାଉଛି। ଏହା ସହିତ ତାଙ୍କୁ ଦେଶରେ ଦଳକୁ ଆଗକୁ ନେବା ପାଇଁ ଦାୟିତ୍ବ ମଧ୍ୟ ଦିଆଯାଇଛି। ଆକାଶଙ୍କୁ ନୂଆ ଦାୟିତ୍ବ ଦେବା ସମୟରେ ସେ କହିଥିଲେ ଯେ, ଏଥର ଦଳ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରି ଦେଶରେ ନିଜର ସ୍ଥିତି ମଜଭୁତ କରିବ ।




ଗତ କିଛି ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ଦଳ ବହୁଜନ ସମାଜ ପାର୍ଟିର ଲୋକପ୍ରିୟତା କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି। ଏହାରି ମଧ୍ୟରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ମାୟାବତୀ ନିଜ ପୁତୁରା ଆକାଶ ଆନନ୍ଦଙ୍କଚ ଦଳରୁ ବାହାର କ ରିଦେଇଥି‌ଲେ । ପରେ ଆକାଶ ସୋସିଆଲ ମିଡିଆ ମାଧ୍ୟମରେ କ୍ଷମା ମାଗିବା ପରେ, ତାଙ୍କୁ ମାୟାବତୀ ଦଳକୁ ଫେରାଇ ଆଣିଥିଲେ କିନ୍ତୁ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇ ନଥିଲା । ହେଲେ ଆଜି (ରବିବାର) ଦିଲ୍ଲୀରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆକାଶ ଆନନ୍ଦଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି ମାୟାବତୀ ।