ନୂଆଦିଲ୍ଲୀ ୧୭/୦୧: ୧୯୮୫ରେ ନାଗପୁରରେ ଜଣେ ଅବିବାହିତ ମା’ ନିଜର ୩ ଦିନର ନବଜାତକକୁ ଆଶ୍ରୟ ଗୃହରେ ଛାଡ଼ି ଚାଲିଯାଇଥିଲେ । ମାସେ ପରେ ନେଦରଲାଣ୍ଡରୁ ଭାରତ ଭ୍ରମଣରେ ଆସିଥିବା ଜଣେ ଦମ୍ପତି ସେହି ନବଜାତକକୁ ପୋଷ୍ୟ ସନ୍ତାନ କରି ସାଙ୍ଗରେ ନେଇଗଲେ । ଏହି ଘଟଣାକୁ ୧୪ ବର୍ଷ ବିତିଯାଇଛି । ସେହି ଶିଶୁ ଏବେ ନେଦରଲାଣ୍ଡର ରାଜଧାନୀ ଆମ୍‌ଷ୍ଟର୍ଡମ୍‌ ନିକଟସ୍ଥ ଏକ ସହର ହିମଷ୍ଟେଡ୍‌ର ମେୟର । ମେୟର ଫାଲ୍‌ଗୁନ ବିନ୍‌ନେଣ୍ଡିଜ୍‌କ ଏବେ ନିଜ ମା’ଙ୍କୁ ଖୋଜିବାକୁ ଭାରତ ଆସିଛନ୍ତି । ଡିସେମ୍ବର ୨୦୨୫ରେ ସେ ଶେଷ ଥର ଭାରତ ଆସିଥିଲେ । ଫାଲ୍‌ଗୁନ କହନ୍ତି, ମୁଁ ମହାଭାରତ ପଢ଼ିଛି । ମୋ ମତରେ ପ୍ରତ୍ୟେକ କର୍ଣ୍ଣର କୁନ୍ତୀ ସହ ସାକ୍ଷାତ କରିବାର ଅଧିକାର ଅଛି । ମୁଁ ମୋ ମା’ଙ୍କୁ କେବଳ ଥରେ ମାତ୍ର ସାକ୍ଷାତ କରିବାକୁ ଚାହୁଁଛି ଏବଂ କହିବାକୁ ଚାହୁଁଛି ଯେ ମୋତେ ଅତି ଯତ୍ନର ସହ ବଡ଼ କରାଯାଇଛି ।

​​​​​​​

ଫାଲ୍‌ଗୁନ ୧୯୮୫, ଫେବ୍ରୁଆରୀ ୧୦ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମା’ ନାଗପୁରର ମାତୃ ସେବା ସଂଘ ନାମକ ଏକ ଆଶ୍ରୟ ଗୃହରେ ତାଙ୍କୁ ଛାଡ଼ି ଯାଇଥିଲେ । ସେଠାରେ ସେ ପ୍ରାୟ ମାସେ ରହିଲେ । ଆଶ୍ରୟ ଗୃହର ନର୍ସ ତାଙ୍କ ନାଁ ଦେଇଥିଲେ ଫାଲ୍‌ଗୁନ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଫାଲ୍‌ଗୁନ ମାସରେ ହିଁ ସେ ଜନ୍ମ ହୋଇଥିଲେ । ଫାଲ୍‌ଗୁନ ୨୦୨୫ରେ ଭାରତ ଆସିଥିଲେ । ଜଣେ ଅଧିକାରୀଙ୍କ ସାହାଯ୍ୟରେ ସେ ଆଶ୍ରୟ ଗୃହର ସେହି ନର୍ସଙ୍କ ଠିକଣା ପାଇଲେ । ଏବେ ସେ ଅବସରପ୍ରାପ୍ତ । ନାଗପୁର ଜିଲ୍ଲାପାଳ ବିପିନ ଇଟାନ୍‌କରଙ୍କ ସାହାଯ୍ୟରେ ସେ ନର୍ସଙ୍କ ଘରକୁ ଗଲେ । ତାଙ୍କୁ ପରିଚୟ ଦେଇଥିବା ନର୍ସଙ୍କୁ ଭେଟିବା ସବୁଠୁ ସ୍ମରଣୀୟ ମୁହୂର୍ତ୍ତ ଥିଲା ବୋଲି ଫାଲ୍‌ଗୁନ କହିଛନ୍ତି । ନାଗପୁର ନଗର ପାଳିକା ଆୟୁକ୍ତ ଫାଲ୍‌ଗୁନଙ୍କ ଜନ୍ମ ସହ ଜଡ଼ିତ ଦସ୍ତାବିଜ ଖୋଜିବାରେ ସାହାଯ୍ୟ କଲେ । ସେଥିରୁ ଜଣାପଡ଼ିଲା, ତାଙ୍କ ମା’ ଜଣେ ୨୧ ବର୍ଷୀୟା ଅବିବାହିତା ଯୁବତୀ ଥିଲେ । ସମାଜ ଭୟରେ ସେ ଶିଶୁର ପ୍ରତିପାଳନ କରି ପାରିନଥିଲେ । ସେଥିପାଇଁ ସେ ଶିଶୁକୁ ଆଶ୍ରୟ ଗୃହରେ ଛାଡ଼ିଥିଲେ । ଦସ୍ତାବିଜରେ ଫାଲ୍‌ଗୁନ ଓ ତାଙ୍କ ମା’ଙ୍କ ନାଁ ରହିଛି । କିନ୍ତୁ ଫାଲ୍‌ଗୁନ ମା’ଙ୍କ ନାଁ ସାର୍ବଜନୀନ କରିନାହାନ୍ତି ।