ଉଦୟପୁର: ରାଜସ୍ଥାନର ଉଦୟପୁରସ୍ଥିତ ପାସିଫିକ୍ ଡେଣ୍ଟାଲ କଲେଜରେ ଜଣେ MBBS ଛାତ୍ରୀ ଗୁରୁବାର ରାତିରେ ନିଜ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରୁ ମିଳିଥିବା ଏକ ହାତଲେଖା ସୁଇସାଇଡ ନୋଟରେ ଛାତ୍ରୀ କଲେଜ ଷ୍ଟାଫଙ୍କ ଦ୍ୱାରା ମାନସିକ ନିର୍ଯାତନ ଓ ଅନିୟମିତ ପରୀକ୍ଷା ବ୍ୟବସ୍ଥା ସମେତ ଅର୍ଥ ଦାବି ନେଇ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଲେଜ ପ୍ରଶାସନ ବିରୋଧରେ ନାରାବାଜି କରି ସରକାରଙ୍କଠୁ ନ୍ୟାୟ ଦାବି କରିଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ଛାତ୍ରୀଙ୍କୁ ତାଙ୍କ ରୁମମେଟ ରାତି ପ୍ରାୟ ୧୧ଟା ବେଳେ ଫାଶୀରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ତୁରନ୍ତ ତାଙ୍କୁ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁଇସାଇଡ ନୋଟରେ ଛାତ୍ରୀ କଲେଜ ଷ୍ଟାଫଙ୍କ ଦ୍ୱାରା ମାନସିକ ନିର୍ଯାତନ, ଅନିୟମିତ ପରୀକ୍ଷା ଓ ଅର୍ଥ ଦାବି ଯୋଗୁଁ ଚାପରେ ଥିବା ଉଲ୍ଲେଖ କରିଛନ୍ତି। ନୋଟରେ ଦାବି କରାଯାଇଛି ଯେ ଯେଉଁ ଛାତ୍ରୀମାନେ ଅର୍ଥ ଦେଇ ପାରୁନଥିଲେ, ସେମାନଙ୍କୁ ପ୍ରଶାସନ ଟାର୍ଗେଟ କରୁଥିଲା।
ଘଟଣା ପରେ ଶୁକ୍ରବାର ସକାଳୁ ଛାତ୍ରଛାତ୍ରୀମାନେ କଲେଜ ଗେଟ ସମ୍ମୁଖରେ ଧାରଣା ଦେଇ ପ୍ରଶାସନ ବିରୋଧରେ ବିକ୍ଷୋଭ କରିଥିଲେ। ସେମାନେ ସୁଇସାଇଡ ନୋଟରେ ଉଲ୍ଲେଖିତ ଷ୍ଟାଫଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୁଖେର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଛାତ୍ରମାନେ ନ୍ୟାୟ ପାଇଁ ଜିଦ ଧରି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିଲେ।
ପୁଲିସ ଅଧିକାରୀମାନେ ଜଣାଇଛନ୍ତି ଯେ ଅଭିଯୋଗର ତଦନ୍ତ ଚାଲିଛି ଏବଂ କଲେଜ ପ୍ରଶାସନର ଅବହେଳା ସମେତ ସମସ୍ତ ଦିଗକୁ ଯାଞ୍ଚ କରାଯିବ। ଏହି ଘଟଣା ଚିକିତ୍ସା ଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଛାତ୍ରମାନଙ୍କ ମାନସିକ ନିର୍ଯାତନା ଓ ପ୍ରଶାସନିକ ଅନିୟମିତତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।