ଭୁବନେଶ୍ବର,୧୬।୧୦ : ଯାନ୍ତ୍ରିକ ପଦ୍ଧତିରେ ଧାଡ଼ିରେ ଧାନ ବିହନ ବୁଣି ଚାଷ କଲେ ଧାନଚାଷ ପାଇଁ ୪୦ ପ୍ରତିଶତ ଜଳ କମ୍ ଆବଶ୍ୟକ ପଡ଼ିବ । ଭୁବନେଶ୍ଵରରେ ଆୟୋଜିତ ଏକ କୃଷି କର୍ମଶାଳାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଆନ୍ତର୍ଜାତିକ ଧାନ ଗବେଷଣା ସଂସ୍ଥା ଇରିର ବୈଜ୍ଞାନିକ ଅଶୋକ କୁମାର ଯାଦବ କହିଛନ୍ତି।
ଇରିର ବୈଜ୍ଞାନିକ ଶ୍ରୀ ଯାଦବ କହିଛନ୍ତି ଯେ, ଯାନ୍ତ୍ରିକ ପଦ୍ଧତିରେ ଧାନ ବିହନ ବୁଣି ଚାଷ କଲେ କେବଳ କମ୍ ଜଳ ଆବଶ୍ୟକ ପଡିନଥାଏ ଏହା ଦ୍ୱାରା ଶ୍ରମିକ ଖର୍ଚ୍ଚ ମଧ୍ୟ ୪୦ ପ୍ରତିଶତ କମିଯାଏ। ଧାଡ଼ିରେ ବିହନ ବୁଣି ଚାଷ କରିବା ଦ୍ବାରା ଫସଲରେ ରୋଗ ପୋକ କମିବା ସହିତ ଅଧିକ ଫସଲ ଅମଳ ହୋଇଥାଏ। ଏହି ପ୍ରଣାଳୀରେ ଚାଷ କଲେ ଧାନ ଜମିରୁ ମିଥେନ ଗ୍ୟାସ ନିର୍ଗମନ କମିଥାଏ ଏବଂ ବାୟୁମଣ୍ଡଳ ପ୍ରଦୂଷଣମୁକ୍ତ ରୁହେ। ଧାନ ଚାଷ ସହିତ ଅନ୍ୟାନ୍ୟ ଡାଲି ଏବଂ ତୈଳ ବୀଜ ଜାତୀୟ ଚାଷ ଯାନ୍ତ୍ରିକ ପଦ୍ଧତିରେ ଧାଡ଼ିରେ ବୁଣି ଚାଷ କଲେ ଉତ୍ପାଦନ ଖର୍ଚ୍ଚ କମିବା ସହିତ ଫସଲରୁ ଅଧିକ ଅମଳ ମିଳିଥାଏ ବୋଲି ଯାଦବ କହିଛନ୍ତି। ଏହା ଦ୍ବାରା ମହିଳାମାନେ ନଇଁ କରି ଧାନ ରୁଆ ସମୟରେ ଭୋଗୁଥିବା ଶାରୀରିକ ଯନ୍ତ୍ରଣାରୁ ରକ୍ଷା ପାଇପାରିବେ।
ଆଗାମୀ ଦିନରେ ଓୟୁଏଟିର କୃଷି ବିଜ୍ଞାନ କେନ୍ଦ୍ର ଡିଏସଆରର ସମ୍ପ୍ରସାରଣ ପାଇଁ ସହାୟତା ଯୋଗାଇଦେବ ବୋଲି ମୁଖ୍ୟ ଅତିଥି ତଥା ଓୟୁଏଟିର ଡିନ୍ ରିସର୍ଚ୍ଚ ପ୍ରଶ୍ନଜିତ ମିଶ୍ର କହିଥିଲେ। ଚାଷୀର ଆୟ ବୃଦ୍ଧିରେ ଧାଡ଼ି ବୁଣା ଚାଷ ସହାୟକ ହେବ ବୋଲି ଆମନ୍ତ୍ରିତ ଅତିଥି ତଥା କୃଷି କର୍ମଣ ପୁରସ୍କାର ପ୍ରାପ୍ତ ଚାଷୀ ଦୀଲ୍ଲିପ ବରାଳ କହିଛନ୍ତି। ଆଗାମୀ ଦିନରେ ଅଧିକରୁ ଅଧିକ ଧାନ ଚାଷ ଧାଡ଼ି ବୁଣା ପଦ୍ଧତିରେ କରିବି ବୋଲି ଅନ୍ୟତମ ଅତିଥି ମୟୂରଭଞ୍ଜର ଅଗ୍ରଣୀ ମହିଳା ଚାଷୀ ମୋଲା ମାରାଣ୍ଡି କହିଥିଲେ। ଡିଏସଆର ର ବିଭିନ୍ନ ଉପାଦେୟତା ଉପରେ ଚାଷୀ ମାନେ ନିଜର ମତାମତ ଦେଇଥିଲେ।
ଏହି କର୍ମଶାଳାରେ ବରଗଡ଼, କଳାହାଣ୍ଡି,ପୁରୀ, କଟକ, ଖୋର୍ଦ୍ଧା,ଭଦ୍ରକ, ଗଞ୍ଜାମ ଓ ମୟୂରଭଞ୍ଜ ଭଳି ଆଠଟି ଜିଲ୍ଲା ର ୧୫୦ ରୁ ଅଧିକ ଚାଷୀ ମାନଙ୍କ ସହିତ , ବହୁ ସ୍ବେଛାସେବୀ ସଂଗଠନ, କୃଷି ବୈଜ୍ଞାନିକ ଏବଂ କୃଷି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଇରି ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୧୨ ହଜାର ହେକ୍ଟର ଜମିରେ ଡିଏସଆର ପଦ୍ଧତି ରେ ଧାନ ଚାଷ ପାଇଁ ଯାନ୍ତ୍ରିକ ସହାୟତା ସହିତ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଯୋଗାଇ ଦେଇଛି। ଓଡ଼ିଶାରେ ୫ ଲକ୍ଷ ହେକ୍ଟର ଜମିରେ ଡିଏସଆର ପଦ୍ଧତି ରେ ଚାଷ କରାଯାଇ ପାରିବ ବୋଲି ଇରି ସର୍ଭେ କରିଛି ।