ଢେଙ୍କାନାଳ, ୦୬/୦୬ : କାମାକ୍ଷାନଗରର ନାବାଳିକାଙ୍କୁ ଝାନ୍ସିରେ ବିକ୍ରି ଓ ଦୁଷ୍କର୍ମ ମାମଲା। ପୀଡ଼ିତାଙ୍କୁ ଫୋନ୍ କରି ଧମକ ଦେଉଥିଲେ ଅଭିଯୁକ୍ତ। ପ୍ରମେୟରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ତତ୍ପରତା। ପୀଡ଼ିତାଙ୍କୁ ହେପାଜତକୁ ନେଇଛି ଜିଲ୍ଲା ଶିଶୁ ମଙ୍ଗଳ କମିଟି(ସିଡବ୍ଲୁସି) । ପୀଡ଼ିତାଙ୍କୁ ଏବେ ସୁରକ୍ଷିତ ସ୍ଥାନରେ ନେଇ ରଖାଯାଇ କାଉନସେଲିଂ କରାଯାଉଛି। ସେପଟେ ଝାନ୍ସୀରୁ ଅଭିଯୁକ୍ତ ଚନ୍ଦ୍ରପାଳକୁ ପୁଲିସ ଉଠାଇ ଆଣିଛି। କାମାକ୍ଷାନଗର ଥାନାରେ ଚନ୍ଦ୍ରପାଳକୁ ମାରାଥନ୍ ଜେରା କରାଯାଉଛି। 

ମାନବ ଚାଲାଣ, ବିକ୍ରି ଓ ଦୁଷ୍କର୍ମ ଭଳି ଏହି ସମ୍ବେଦନଶୀଳ ଘଟଣାର ନାବାଳିକା ପୀଡ଼ିତାଙ୍କ ସୁରକ୍ଷାରେ ଢିଲା କରାଯାଇଥିଲା । ଯାହାର ଫାଇଦା ନେଇ ଝାନ୍ସୀର ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଫୋନ୍ କରି ଧମକ ଦେଉଥିଲେ। ପୀଡ଼ିତା ଥାନାରେ ଅଭିଯୋଗ କରିଥିବା ଓ ପୁଲିସ୍ ଟିମ୍ ସେମାନଙ୍କୁ ଗିରଫ କରିବାକୁ ଖୋଜୁଥିବା କୌଣସି ସୂତ୍ରରୁ ଅଭିଯୁକ୍ତମାନେ ଜାଣିପାରିଥିଲେ । ପୀଡ଼ିତା ସେଠାରେ ବ୍ୟବହାର କରୁଥିବା ନମ୍ବର ତଥା ସିମ୍ କାର୍ଡ ନଷ୍ଟ କରିଦେଇଥିବା ବେଳେ କୌଣସି ସୂତ୍ରରୁ ତାଙ୍କ ନୂଆ ନମ୍ବର ସଂଗ୍ରହ କରି ଅଭିଯୁକ୍ତ ଧମକଚମକ ଦେଉଥିଲେ । ଏନେଇ ଗତ ୩ ତାରିଖରେ ‘ପ୍ରମେୟ’ରେ ‘ପୀଡ଼ିତାଙ୍କୁ ଫୋନ୍ କରି ଧମକାଉଛନ୍ତି ଅଭିଯୁକ୍ତ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା । ଏହାପରେ ସିଡବ୍ଲୁସି ପୀଡ଼ିତାଙ୍କୁ ନିଜ ହେପାଜତକୁ ନେଇ ସୁରକ୍ଷିତ ସ୍ଥାନରେ ରଖିବା ସହ ତାଙ୍କୁ କାଉନସେଲିଂ କରାଯାଉଥିବା ଜଣାଯାଇଛି ।

ସେପଟେ କାମାକ୍ଷାନଗର ଥାନା ପୁଲିସକୁ ଆଉ ଏକ ସଫଳତା ମିଳିଛି । ନାବାଳିକାଙ୍କୁ ୧ ଲକ୍ଷ ଟଙ୍କାରେ କିଣି ବାହା ହୋଇଥିବା କହି ପରିବାର ସଦସ୍ୟଙ୍କ ସହ ମିଶି ୩ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଚନ୍ଦ୍ରପାଳ କୁସୱାସକୁ ପୁଲିସ୍ ଝାନ୍ସୀରୁ ଉଠାଇ ଆଣିଛି । କାମାକ୍ଷାନଗରରେ ପହଞ୍ଚିବା ପରେ ଶୁକ୍ରବାର ତାକୁ ମାରାଥନ୍ ଜେରା କରାଯାଇଛି । ପୀଡ଼ିତାଙ୍କ ସହ ମଧ୍ୟ ମୁହାଁମୁହିଁ ଜେରା କରାଯାଇଛି । ପୀଡ଼ିତା ତାକୁ ଚିହ୍ନଟ କରିଛନ୍ତି । ଏହି ମାମଲାରେ ପୁଲିସ୍ ପ୍ରଥମେ ଦଲାଲ୍ କଙ୍କଡ଼ାହାଡ଼ ଶଶାପଶି ଗାଁର ବିନୟ ପାତ୍ର(୪୬)କୁ ବିଶାଖାପାଟଣାରୁ ଗିରଫ କରିଥିଲା । ବିନୟ ହିଁ ପୀଡ଼ିତାଙ୍କୁ ଗାଁରୁ ଚାକିରି ଲୋଭ ଦେଖାଇ ଭୁବନେଶ୍ୱର ନେଇ ସେଠାରୁ ଝାନ୍ସୀକୁ ଚାଲାଣ କରିଥିଲା । ପୀଡ଼ିତାଙ୍କୁ ପ୍ରଥମେ କିଣିଥିବା ଆଶିଷ ଯାଦବ, ତାର ବାପା, ଚନ୍ଦ୍ରପାଳର ବଡ଼ ଭାଇ ଓ ଦୁଇ ଦାଦା ଆଦି ସମ୍ପୃକ୍ତ ରହିଛନ୍ତି । ସୂତ୍ର ଅନୁସାରେ, ପୁଲିସ୍ ଟିମ୍ ତିନିଦିନ ହେଲା ଏକାଧିକ ବ୍ୟକ୍ତିଙ୍କୁ ଝାନ୍ସୀ ଥାନାକୁ ଆଣି ପଚରାଉଚରା କରିବା ସହ ଛାଡ଼ିଥିଲା । ଶେଷରେ ଚନ୍ଦ୍ରପାଳକୁ କାବୁ କରିଥିଲା । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଏବେ ବି ପୁଲିସ୍ ଟିମ୍ ଝାନ୍ସୀରେ ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ପୀଡ଼ିତାଙ୍କ ସହ ଝାନ୍ସୀ ଚାଲାଣ ହୋଇଥିବା ଅନ୍ୟ ୫ ଯୁବତୀଙ୍କୁ କିଭଳି ଉଦ୍ଧାର କରାଯିବ ସେନେଇ ପୁଲିସ୍ ଉଦ୍ୟମ କରିବାକୁ ଦାବି ଉଠିଛି ।

ଆହୁରି ପଢନ୍ତୁନାବାଳିକାଙ୍କୁ ବାରମ୍ବାର ବିକ୍ରି-ବଳାତ୍କାର, ଝାନ୍ସିରେ ଡେରା ପକାଇଛି ପୁଲିସ, ଗିରଫ ଭୟରେ ପୀଡ଼ିତାଙ୍କୁ ଧମକ ଦେଉଛନ୍ତି ଅଭିଯୁକ୍ତ

ସୂଚନାଯୋଗ୍ୟ, କାମାକ୍ଷାନଗର ଅଞ୍ଚଳର ୧୭ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଭୁବନେଶ୍ୱରରେ ଚାକିରି ଲୋଭ ଦେଖାଇ ଘରୁ ନେଇ ଝାନ୍ସୀର ଆଶିଷ ଯାଦବଙ୍କୁ ପ୍ରଥମେ ୧ ଲକ୍ଷ ଟଙ୍କାରେ ବିକ୍ରି କରିଦିଆଯାଇଥିଲା । ପରେ ବାରମ୍ବାର ବିକ୍ରି ସହ ବଳାତ୍କାର କରାଯାଇଥିଲା । ୨ ବର୍ଷ ପରେ ପୀଡ଼ିତା ବହୁ କଷ୍ଟରେ ଖସି ଆସିବା ପରେ ଘଟଣା ସାମ୍ନାକୁ ଆସିଛି ।