କଳିଙ୍ଗନଗର, ୧୯/୧୧ : ସାହାଡ଼ା ସୁନ୍ଦରୀ, ସାଧବ ପୁଅ ଓ ରାଜାପୁଅଙ୍କ କାହାଣୀ ପିଲା ବେଳେ ପ୍ରାୟତଃ ସମସ୍ତେ ଶୁଣିଥିବେ । ଆଧୁନିକତା ମଧ୍ୟରେ ଲୋକଙ୍କ ଭାବାବେଗ ସହ ଯୋଡ଼ି ହୋଇ ରହିଥିବା ଏହି ସାହାଡ଼ା ବୃକ୍ଷ ଧୀରେ ଧୀରେ ହଜି ଯିବାକୁ ବସିଛି । ପୂର୍ବରୁ ଗାଁ ଗଣ୍ଡାରେ ଭରି ରହିଥିବା ଏହି ଗଛକୁ କାଟିବା ପାଇଁ ମଧ୍ୟ ଲୋକେ ବାରଣ କରନ୍ତି । ଆଗରୁ ପ୍ରତି ଗ୍ରାମରେ ଭର୍ତ୍ତି ହୋଇ ରହିଥିବା ଏହି ଗଛ ଏବେ ଆଉ ଦେଖିବାକୁ ମିଳୁନାହିଁ । ପରିବେଶକୁ ସନ୍ତୁଳିତ କରି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉ ଥିବା ଏହି ବୃକ୍ଷର ସଂରକ୍ଷଣ ଅତ୍ୟନ୍ତ ଜରୁରି ହୋଇ ପଡ଼ିଛି । ପୂର୍ବ କାଳରେ ଗ୍ରହ ଦୋଷ ଖଣ୍ଡନ ପାଇଁ ଗ୍ରାମାଞ୍ଚଳରେ ସାହାଡ଼ା ବୃକ୍ଷ ସହିତ ବିବାହ କରାଯିବାର ଦୃଶ୍ୟ ଦେଖିବାକୁ ମିଳୁଥିଲା । ଖାଲି ଏତିକି ନୁହେଁ ସାହାଡ଼ା ଗଛକୁ ପୂଜା ମଧ୍ୟ କରାଯାଉଥିଲା । ଏଥିପାଇଁ ପ୍ରାୟତଃ ଗ୍ରାମ ମୁଣ୍ଡରେ ଅଥବା ଲୋକଙ୍କ ବାଡ଼ିରେ ଏହି ଗଛ ଶୋଭା ପାଉଥିଲା । ଅନ୍ୟ ଗଛ ଠାରୁ ଏହି ଗଛର ମନ୍ଥର ବୃଦ୍ଧି ହୋଇଥିବା ବେଳେ ଏହା ଆରମ୍ଭରୁ କିଛି ବର୍ଷ ପର୍ଯ୍ୟନ୍ତ ବୁଦାଳିଆ ହୋଇ ରହିଥାଏ । ଏହି ବୃକ୍ଷଟି ଦୀର୍ଘ ବର୍ଷ ବଞ୍ଚି ରହୁଥିଲେ ବି ସେତେ ବଡ଼ ହୋଇନଥାଏ । ଜନସଂଖ୍ୟା ବୃଦ୍ଧି ଯୋଗୁ ଲୋକେ ବାଧ୍ୟ ହୋଇ ଘର ତଥା ଅନ୍ୟାନ୍ୟ ନିର୍ମାଣ ନିମନ୍ତେ ଏହି ବୃକ୍ଷଟିକୁ କାଟି ଦେଉଛନ୍ତି । ଯାହା ଏହି ଗଛ ସଂଖ୍ୟା ହ୍ରାସ ପାଇବାର ଏକ ପ୍ରମୁଖ କାରଣ ବୋଲି କୁହାଯାଇପାରେ ।
ଏହି ସାହାଡ଼ା ଗଛ ଚୀରହରିତ୍ ପ୍ରଜାତିର । ବର୍ଷ ତମାମ୍ ଏଥିରେ ସବୁଜ ପତ୍ର ଭରି ରହିଥାଏ । ବସନ୍ତ ଋତୁରେ ଏହି ଗଛରେ ଫଳ ଧରିଥାଏ । ଏହି ଫଳର ରଙ୍ଗ ହଳଦୀଆ ଓ ଏହା ମିଠା ହୋଇଥିବାରୁ ଏହାକୁ ହଳଦୀବସନ୍ତ ନିଜର ଆହାର ରୂପେ ବ୍ୟବହାର କରିବାକୁ ଭଲ ପାଏ । ସେହିପରି ଗଛଟିରେ ଛୋଟ ଛୋଟ ପତ୍ର ହୋଇଥିବା ବେଳେ ଏହା ପତ୍ରଝଡ଼ା ଦେଉନଥିବାରୁ ହଳଦୀବସନ୍ତ ପ୍ରାୟତଃ ଏହି ଗଛରେ ବସା ବାନ୍ଧି ଅଣ୍ଡା ଦେଇଥାଏ । ଏବେ ଆଉ ସାହାଡ଼ା ଗଛ ଗ୍ରାମାଞ୍ଚଳରେ ଦେଖାଯାଉନଥିବାରୁ ହଳଦୀବସନ୍ତ ମଧ୍ୟ ଦେଖିବାକୁ ମିଳୁନଥିବା ପରିବେଶବିତ୍ ମାନେ ମତ ଦେଇଛନ୍ତି । କେବଳ ଏତିକି ନୁହେଁ, ପରିବେଶ ସନ୍ତୁଳନରେ ଏହା ମଧ୍ୟ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ଚୀରହରିତ ରହୁଥିବାରୁ ଏହି ବୃକ୍ଷ ଅନ୍ୟ ବୃକ୍ଷ ତୁଳନାରେ ଅଧିକ ଅମ୍ଳଜାନ ବାୟୁ ମଣ୍ଡଳକୁ ଛାଡ଼ିଥାଏ ବୋଲି ଉପଖଣ୍ଡ ବନ ଅଧିକାରୀ ସୌଭାଗ୍ୟ ରଂଜନ ସାହୁ ପ୍ରକାଶ କରିଛନ୍ତି । ଏହି ବୃକ୍ଷଟି ଜଙ୍ଗଲ ଜାତୀୟ ବୃକ୍ଷ ନୁହେଁ । ଯେଉଁଥି ପାଇଁ ଏହାର ସଂରକ୍ଷଣ ନାହିଁ । ବଢ଼ୁଥିବା ଜବରଦଖଲ ହେତୁ ଏହି ବୃକ୍ଷ ଧୀରେ ଧୀରେ ଲୋପ ପାଇଯିବାକୁ ବସିଛି ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଛନ୍ତି ।
ଏହି ବୃକ୍ଷଟିରେ ଔଷଧୀୟ ଗୁଣ ଭରି ରହିଛି । ଦାନ୍ତ, ଚର୍ମ, ଶ୍ୱାସ, ବାତ ପରି ରୋଗ ପାଇଁ ଏହି ଗଛର ପତ୍ର, ମଂଜି, ଚେର ଆଦି ବ୍ୟବହାର କରାଯାଇଥାଏ ବୋଲି ଆୟୁର୍ବେଦିକ ଡାକ୍ତର ଡ. ଦୟାନିଧି ଦ୍ୱିବେଦୀ ପ୍ରକାଶ କରିଛନ୍ତି । ସେହିପରି ଗାନ୍ଧାରୀ ଧ୍ରୁତରାଷ୍ଟ୍ରଙ୍କୁ ବିବାହ ପୂର୍ବରୁ ନିଜର ରିଷ୍ଟ ଖଣ୍ଟନ ପାଇଁ ସାହାଡ଼ା ବୃକ୍ଷକୁ ବିବାହ କରିଥିଲେ । ପରେ ସେ ଶହେ ପୁଅର ଜନନୀ ହୋଇଥିଲେ । ଏଣୁ ହିନ୍ଦୁ ଧର୍ମରେ ରିଷ୍ଟ ଥିଲେ ବିବାହ ପୂର୍ବରୁ ସାହାଡ଼ା ଗଛକୁ ବିବାହ କଲେ ସବୁ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ପଣ୍ଡିତ କେଶବ ରଂଜନ କର ପ୍ରକାଶ କରିଛନ୍ତି ।