ୱାଶିଂଟନ୍,୦୧/୦୨: ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସାର ଆକ୍ସିଓମ୍ ମିଶନ୍ ୪(ଏଏକ୍ସ-୪) ଲାଗି ଚୟନ ହୋଇଛନ୍ତି । ନାସା ପକ୍ଷରୁ ଗୁରୁବାର ଏହା ଘୋଷଣା କରାଯାଇଛି । ଏକ ଘରୋଇ ମିଶନ୍ରେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)କୁ ଯିବାରେ ଶୁଭାଂଶୁ ପ୍ରଥମ ଭାରତୀୟ ମହାକାଶଚାରୀ ହେବେ । ଏହି ମିଶନ୍କୁ ଆମେରିକାର ମହାକାଶ ଅଭିଯାନ ସହ ଜଡିତ କଂପାନି ଆକ୍ସିଓମ୍ ସ୍ପେସ୍ ଓ ନାସା ସହଯୋଗରେ ରୂପରେଖ ଦିଆଯାଉଛି ।
ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ଏକ ସ୍ପେସ୍ ଏକ୍ସ ଡ୍ରାଗନ୍ ସ୍ପେସକ୍ରାଫ୍ଟ ମାଧ୍ୟମରେ ନାସା ଏହି ମିଶନକୁ ଲଞ୍ଚ କରିପାରେ । ଚଳିତବର୍ଷ ଏପ୍ରିଲ କିମ୍ବା ଜୁନ୍ରେ ମିଶନ୍ ଲଞ୍ଚ ହେବାର ଯୋଜନା ରହିଛି । ୧୪ ଦିନ ଚାଲିବାକୁ ଥିବା ମିଶନ୍ରେ ବିଭିନ୍ନ ପ୍ରକାର ବୈଜ୍ଞାନିକ ଗବେଷଣା କରାଯିବ । ଶୁଭାଂଶୁଙ୍କ ସହିତ ଏଥିରେ ୩ ମହାକାଶ ଯାତ୍ରୀ ସାମିଲ ରହିବେ । ମିଶନ୍ର କମାଣ୍ଡ କାନାଡାର ପେଗୀ ହ୍ୱିଟସନ୍ ସମ୍ଭାଳିବେ । ଶୁଭାଂଶୁ ପାଇଲଟ ହେବେ । ସେମାନଙ୍କ ସହିତ ମିଶନ୍ ସ୍ପେଶାଲିଷ୍ଟ ଭାବେ ପୋଲାଣ୍ଡର ସ୍ଲାଭୋଜ ଉଜ୍ନାନସ୍କି ଓ ମିଶନ୍ ସ୍ପେଶାଲିଷ୍ଟ ହଙ୍ଗେରୀର ତିବୋର କାପୁ ଆକ୍ସିଓମ୍ ମିଶନ୍-୪ରେ ଯିବେ ।
ଲକ୍ଷ୍ନୌରେ ଜନ୍ମିତ ଶୁଭାଂଶୁ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ପାଠ୍ୟକ୍ରମ ଶେଷ କରିବା ପରେ ୨୦୦୬ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । ସେ ଜଣେ ଫାଇଟର କମ୍ବାଟ୍ ଲିଡର ହୋଇଥିବାବେଳେ ତାଙ୍କ ନିକଟରେ ୨ ହଜାର ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି । ସେ ସୁଖୋଇ-୩୦, ମିଗ୍-୨୯, ଜାଗୁଆର, ହକ୍, ଏଏନ୍-୩୨ ଭଳି ବିମାନ ଉଡ଼ାଇ ସାରିଛନ୍ତି । ଇସ୍ରୋର ଗଗନଯାନ ମିଶନ ଲାଗି ତାଲିମ ନେଉଛନ୍ତି । ଶୁଭାଂଶୁ କହିଛନ୍ତି, ମାଇକ୍ରୋଗ୍ରାଭିଟିକୁ ଯିବା ଓ ନିଜ ଦମ୍ର ଅନ୍ତରୀକ୍ଷ ଉଡ଼ାଣର ଅନୁଭବ କରିବା ଲାଗି ବାସ୍ତବରେ ବହୁତ ଉତ୍ସାହିତ । ମହାକାଶରେ ଯୋଗ କରିବା ସହ ସେଠାକାର ଫଟୋକୁ ଦେଶବାସୀଙ୍କ ସହ ସେୟାର କରିବା କଥା ବି ସେ ପ୍ରକାଶ କରିଛନ୍ତି ।