ନୂଆଦିଲ୍ଲୀ,୨୯।୧୦: ଭାରତର ଏକଦିବସୀୟ ଉପ-ଅଧିନାୟକ ଶ୍ରେୟସ ଆୟରଙ୍କୁ ସିଡନୀ ହସ୍ପିଟାଲର   ଆଇସିୟରୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ସୁଧୁରୁଛି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ମ୍ୟାଚ୍‌ରେ କ୍ୟାଚ୍ ନେବାକୁ ଚେଷ୍ଟା କରି ଶେୟସ୍‌ଙ୍କ ବାମ ପଟ ପଞ୍ଜରା ହାଡ଼ରେ ଆଘାତ ଲାଗିଥିଲା। ରାଣାଙ୍କ ବୋଲିଂରେ ଆଲେକ୍ସ କ୍ୟାରିଙ୍କୁ କ୍ୟାଚ୍ ନେବାକୁ ଚେଷ୍ଟା କରିବା ସମୟରେ ଆୟର ଏହି ଆଘାତ ପାଇଥିଲେ। ସେ ପ୍ରଥମେ ଫିଜିଓ ଆସିଷ୍ଟାଣ୍ଟଙ୍କ ସହାୟତାରେ ପଡ଼ିଆ ବାହାରକୁ ଚାଲିକି ଯାଇଥିଲେ, କିନ୍ତୁ ଭାଇଟାଲ ପାରାମିଟର ହ୍ରାସ ପାଇବାରୁ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା, ଯାହା ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଟେଷ୍ଟ ପରେ ଜଣାପଡିଥିଲା ଇଣ୍ଟରନାଲ ବ୍ଲିଡିଂ ହେଉଛି। ତେଣୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ବିସିସିଆଇ ହେଡ୍ ଅଫ୍ ମେଡିକାଲ ସର୍ଭିସ ଡାକ୍ତର ଦିନେଶ ପାରଦିୱାଲା ଓ ତାଙ୍କ ଟିମ୍‌ର ଡାକ୍ତର ରିଜଓ୍ବାନ ଖାନ୍ ଶ୍ରେୟସ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।ଡାକ୍ତର ରିଜଓ୍ବାନ୍ ଏବେ ସିଡନୀରେ ଶେୟସ୍‌ଙ୍କ ପାଖରେ ଅଛନ୍ତି। ସେ ସିଡନୀ ଓ ଭାରତର ସ୍ପେଶାଲିଷ୍ଟ ଡାକ୍ତରଙ୍କ ଲଗାତାର ସମ୍ପର୍କରେ ରହିଛନ୍ତି। ମୁମ୍ବାଇର ଡାକ୍ତର ରିଜଓ୍ବାନ ଖାନ୍‌ଙ୍କ ମୁଖ୍ୟ କାମ ହେଲା ଆହତ ହୋଇଥିବା ଖେଳାଳିଙ୍କ ଚିକିତ୍ସା କରିବା। ଯାହାକି ଏବେ ସେ ସିଡନୀରେ ଆୟରଙ୍କ ପାଇଁ କରୁଛନ୍ତି। ରିଜଓ୍ବାନ୍ ଖାନ୍‌ ବିସିସିଆଇର ସ୍ପୋର୍ଟସ ମେଡିସିନ୍‌ ଫିଜିସିଆନ୍ ଅଛନ୍ତି।ଏହାଛଡା ରିଜଓ୍ବାନ ବିସିସିଆଇ ପାଇଁ ଡୋପିଂ କନଟ୍ରୋଲ ଅଫିସର ଭାବରେ କାମ ମଧ୍ୟ କରୁଛନ୍ତି। 

ଡାକ୍ତର ପାରଦିୱାଲା ଫିଲ୍ଡ ମେଡିକାଲ୍ ଷ୍ଟାଫଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ତାଙ୍କ ଯୋଗୁଁ ଏକ ସମ୍ଭାବ୍ୟ ଜଟିଳ ପରିସ୍ଥିତିକୁ ରୋକିବାରେ ସାହାଯ୍ୟ ମିଳିଥିଲା। ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଥିଲା ​​ଯେ ପଞ୍ଜରା ହାଡ଼ରେ ଆଘାତ ପରେ  ଇଣ୍ଟରନାଲ ବ୍ଲିଡିଂ ହେଉଛି, ଯାହା ଫଳରେ ତାଙ୍କୁ ICUରେ ଭର୍ତ୍ତି କରିବାକୁ ପଡ଼ିଥିଲା। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଡାକ୍ତର ପାରଦିୱାଲା ବର୍ତ୍ତମାନ ମୁମ୍ବାଇରେ ଥିବା ବେଳେ ଡାକ୍ତର ରିଜଓ୍ବାନ ସିଡନୀରେ ଶ୍ରେୟସ୍‌ଙ୍କ ପାଖରେ ରହିଛନ୍ତି। ଆଘାତ ସ୍ଥାନକୁ ତୁରନ୍ତ ଚିହ୍ନଟ କରି ଚିକିତ୍ସାକରାଯାଇଥିଲା।ବର୍ତ୍ତମାନ ଇଣ୍ଟରନାଲ ବ୍ଲିଡିଂ ବନ୍ଦ ହୋଇଯାଇଛି। ଏହା ଜାଣିବାକୁ ଗତକାଲି ରିପିଟ୍ ସ୍କାନ କରାଯାଇଥିଲା। ଏଥିରେ ଜଣାପଡିଥିଲା ଶ୍ରେୟସ୍‌ଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଛି।

​​​​​​​

ଶ୍ରେୟସ୍‌ଙ୍କ ପାଖରେ ଥିବା ଡାକ୍ତର ରିଜଓ୍ବାନ ମହାରାଷ୍ଟ୍ର ୟୁନିଭର୍ସିଟି ଅଫ୍ ହେଲଥ୍ ସାଇନ୍ସରୁ ଏମ୍‌ବିବିଏସ୍ କରିଛନ୍ତି। ସେ ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲ ର ଅଂଶ ରହିସାରିଛନ୍ତି। ଡାକ୍ତର ରିଜୱାନ  ଲଣ୍ଡନ ସ୍କୁଲ ଅଫ୍ ମେଡିସିନ୍ ଆଣ୍ଡ ଡେଣ୍ଟିଷ୍ଟ୍ରିରୁ ସ୍ପୋର୍ଟସ୍ ଏବଂ ଏକ୍ସରସାଇଜ୍ ମେଡିସିନରେ ଏମ୍‌ଏସ୍‌ସି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି, ସେ ଲଣ୍ଡନ ଅଲିମ୍ପିକ୍ସ-୨୦୧୨ ର ଡାକ୍ତରୀ ଦଳର ମଧ୍ୟ ଅଂଶ ଥିଲେ। ପ୍ରସିଦ୍ଧ ଫୁଟବଲ୍ କ୍ଲବ୍ ଚେଲସି ​​ସହିତ ମଧ୍ୟ ଜଡିତ ଥିବା ଡକ୍ଟର ରିଜୱାନ ଆଡଭାନ୍ସଡ୍ ଟ୍ରମା ଲାଇଫ୍ ସପୋର୍ଟ ଏବଂ ଇମିଡିଏଟ୍ ଲାଇଫ୍ ସପୋର୍ଟରେ ସାର୍ଟିଫିକେସନ୍ କୋର୍ସ ମଧ୍ୟ କରିଛନ୍ତି।