ଚନ୍ଦାହାଣ୍ଡି, ୧୦।୧୧: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦଣ୍ଡାମୁଣ୍ଡା କଲ୍ୟାଣ ମଣ୍ଡପଠାରେ ୨୫ତମ ଯାଦବ ମାଝୀ ସ୍ମାରକୀ ଆନ୍ତଃରାଜ୍ୟ କ୍ରିକେଟ୍ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨୪ବର୍ଷ ଧରି ପୂର୍ବତନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ତଥା ପାନାବେଡ଼ା ମାଟିର ବରପୁତ୍ର ସ୍ୱର୍ଗତ ଯାଦବ ମାଝୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ପଲ୍ଲିଶ୍ରୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଏହି ଲୋକପ୍ରିୟ ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି । ତେବେ ଚଳିତ ବର୍ଷ ଏହାର ରୋପ୍ୟ ଜୟନ୍ତୀ ବର୍ଷ ତଥା ରୋପ୍ୟ ମହୋତ୍ସବ ପାଳନ କରାଯିବ । ପୂର୍ବତନ ବିଧାୟକ ତଥା ପଲ୍ଲୀଶ୍ରୀ ଯୁବକ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ସମାଜସେବୀ ପ୍ରମୋଦ କୁମାର ପାଢ଼ୀ, ବ୍ଲକ ଉପାଧକ୍ଷ ବାସୁଦେବ ଗୌଡ଼, ସରପଞ୍ଚ ଦୁଲ୍ଲବ ପୂଜାରୀ, ସମାଜସେବୀ ବିସିକେଶନ ପାଢ଼ୀ, ମହମ୍ମଦ ହନିଫ୍, ନଳିନୀ ଦାସ, ପ୍ରଶାନ୍ତ ପାରି, ଶରତ ଚନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇଥିଲେ ।
ଚଳିତ ବର୍ଷ ରୋପ୍ୟ ଜୟନ୍ତୀ ଅବସରରେ ପ୍ରତିଯୋଗିତାକୁ କିଭଳି ଆକର୍ଷଣୀୟ ଓ ଶାନ୍ତିଶୃଙ୍ଖଳାରେ ଆୟୋଜନ କରାଯିବା ସହ ସ୍ମରଣିକା ପୁସ୍ତକ ପ୍ରକାଶ, ରକ୍ତଦାନ ଶିବିର, ଫାଇନାଲ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନେଇ ବିଷଦ ଆଲୋଚନା କରାଯାଇଥିଲା । ଏହି ପ୍ରତିଯୋଗତାରେ ୧୬ଟି ଦଳ ଭାଗ ନେବାକୁ ଥିବା ବେଳେ ଆସନ୍ତା ଜାନୁଆରୀ ୧୨ ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇ ଜାନୁଆରୀ ୨୫ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ଏହାସହ ବିଜେତା ଦଳକୁ ୬୫ ହଜାର ଓ ଉପବିଜେତା ଦଳକୁ ୪୫ ହଜାର ଟଙ୍କା ସହ ଟ୍ରଫି ପୁରଷ୍କାର ଦେବାକୁ ସ୍ଥିର କରାଯାଇଥିଲା । ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ଉମରକୋଟ, ରାଉରକେଲା, ଝାରସୁଗୁଡ଼ା, ବିଳାସପୁର, ଗଞ୍ଜାମ, ବୀରମହାରାଜପୁର, ଜଗଦଲପୁର, କୋରାପୁଟ, ବଲାଙ୍ଗୀର, ସମ୍ବଲପୁର, ରାୟଗଡ଼ା ପ୍ରମୁଖ ଦଳ ଭାଗ ନେବେ ବୋଲି ଜଣାପଡ଼ିଛି ।