ଭୁବନେଶ୍ବର, ୭।୭ : ଜୁଲାଇ ୧୬ରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା-୨୦୨୬ ଅନୁଷ୍ଠିତ ହେବ। ଏହାକୁ ସୁରକ୍ଷିତ, ଶୃଙ୍ଖଳିତ, ତ୍ରୁଟିଶୂନ୍ୟ ଏବଂ ବିଭିନ୍ନ ସୁରକ୍ଷା ସଂସ୍ଥା ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀମାନଙ୍କ ସହିତ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (CRPF), ସୀମା ସୁରକ୍ଷା ବଳ (BSF), ରେଳ ସୁରକ୍ଷା ବଳ (RPF), ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ଭଳି ଗୁରୁତ୍ଵପୂର୍ଣ୍ଣ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ରଥଯାତ୍ରାର ସମସ୍ତ ସୁରକ୍ଷା ପ୍ରସଙ୍ଗ ଉପରେ ବିସ୍ତୃତ ସମୀକ୍ଷା କରିଥିଲେ।

ରଥଯାତ୍ରା ସମୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPF), ଏନଏସଜି ଟିମ୍ (NSG Teams) ଏବଂ ଏନଏସଜି କ୍ଵିକ୍ ରେସପନ୍ସ ଟିମ୍ (NSG QRTs) ଗୁଡ଼ିକର ମୁତୟନ ଓ ରଣନୀତି ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶା ପୋଲିସ, ରେଳ ସୁରକ୍ଷା ବଳ (RPF) ଏବଂ ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ମିଳିତ ଭାବେ କାର୍ଯ୍ୟ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ଜଳ, ସ୍ଥଳ ଏବଂ ଆକାଶମାର୍ଗରୁ ନଜର ରଖିବା, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

ଏହା ସହ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା ନିମନ୍ତେ ସମୁଦ୍ର ମଧ୍ୟରେ ଭାରତୀୟ ନୌସେନା, ଭାରତୀୟ ତଟରକ୍ଷୀ ଓ ଓଡ଼ିଶା ପୋଲିସ ସାମୁଦ୍ରିକ ଥାନାର ମିଳିତ ପାଟ୍ରୋଲିଂ ବ୍ୟବସ୍ଥା ସହ ଜାହାଜରେ QRT ମୁତୟନ, ଆକାଶ ମାର୍ଗରୁ ଆକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଡ୍ରୋନ ଏଵଂ Anti Drone System ର ବ୍ୟବସ୍ଥା କରା ଯାଇଛି ।

ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଣ୍ଟି-ସାବୋଟାଜ୍ ଯାଞ୍ଚକୁ କଡ଼ାକଡ଼ି କରାଯିବା ସହ ସନ୍ଦେହଜନକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ। ଆକାଶମାର୍ଗରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ ମୁତୟନ କରାଯିବ, ଯାହା ଦ୍ୱାରା ବେଆଇନ ଡ୍ରୋନ୍ ଉଡ଼ାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇପାରିବ। ଏହାସହ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ସଫଳ ମୁକାବିଲା ପାଇଁ ବୋମା ନିଷ୍କ୍ରିୟକାରୀ ଦଳ ବା ବମ୍ ଡିସପୋଜାଲ୍ ସ୍କ୍ୱାଡ୍ (Bomb Disposal Squad) ଏବଂ ସ୍ନିଫର୍ ଡଗ୍ ଟିମ୍କୁ ସର୍ବଦା ହାଇ-ଆଲର୍ଟରେ ରଖାଯିବା ନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି।

ଏହାସହ ମନ୍ଦିର ନିକଟରେ ରକ୍ଷକ ଯାନ ମୁତୟନ, K-9 ସ୍କ୍ୱାଡ୍ ନିୟୋଜନ, ଏନଏସଜି ତାଲିମପ୍ରାପ୍ତ ଏସଓଜି ଟିମ ମୁତୟନ, ଏସଟିୟୁ ଟିମ ନିୟୋଜିତ, ଦଳାଚକଟା ପରି ପରିସ୍ଥିତିକୁ ଏଡାଇବା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବ। ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ୍ ବ୍ୟବସ୍ଥା, ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ଆଶୁ ସମସ୍ୟାର ସମାଧାନ ଏବଂ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନେଇ ଡିଜିପି ବିସ୍ତୃତ ଆଲୋଚନା କରିଥିଲେ।

ରଥଯାତ୍ରା ସମୟରେ ଅପରାଧ ନିୟନ୍ତ୍ରଣ ଓ ଯାତ୍ରୀ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ଚଳନ୍ତା ଟ୍ରେନ୍ ଓ ଷ୍ଟେସନଗୁଡ଼ିକରେ ପକେଟ୍ମାର୍, ଚୋରି ଓ ଲୁଟ୍ପାଟ୍ କରୁଥିବା ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଚିହ୍ନଟ ଅପରାଧୀଙ୍କ ଫଟୋ ବିଭିନ୍ନ ପ୍ରମୁଖ ସର୍ବସାଧାରଣ ସ୍ଥାନ, ରେଳ ଷ୍ଟେସନ ଓ ରେଳବାଇ ଥାନା ସମ୍ମୁଖରେ ପ୍ରଦର୍ଶନ କରାଯିବ ଏବଂ ଏହି ସମସ୍ତ ଫଟୋଗ୍ରାଫ୍ ଆରପିଏଫ୍ (RPF)କୁ ମଧ୍ୟ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୁରୀ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ସମସ୍ତ ଥାନା ଅଞ୍ଚଳରେ ସ୍ଵତନ୍ତ୍ର ଡ୍ରାଇଭ ଆରମ୍ଭ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ହୋଟେଲ, ଲଜ, ମଠ, ମନ୍ଦିର, ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ଶ୍ରମିକଙ୍କ ରହଣି ସ୍ଥଳ, ଧର୍ମଶାଳା ଆଦି ସ୍ଥାନ ଗୁଡିକରେ ତନ୍ନ ତନ୍ନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ସମୟରେ ସମସ୍ତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ଡିଜିପି ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଥିଲେ। କୌଣସି ପରିସ୍ଥିତିରେ ଯେପରି ତ୍ରୁଟିବିଚ୍ୟୁତି ନ ଘଟେ, ସେଥିପାଇଁ ପ୍ରତ୍ୟେକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ସେ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଧୁନିକୀକରଣ) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ନିର୍ଦ୍ଦେଶକ (ଏସଆଇବି) ରାଜେଶ ସୁବର୍ଣ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର, ଆଇଜିପି (ସିଆରପିଏଫ) ଅମିତେନ୍ଦ୍ର ନାଥ ସିହ୍ନା, ଆଇଜିପି (ଅପରେସନ) ଡଃ ଦୀପକ କୁମାର, ଆଇଜିପି (ଆରପିଏଫ) ଆଲୋକ ଭୋରା ଉପସ୍ଥିତ ଥିଲେ। ଆଇଜି (କେନ୍ଦ୍ରାଞ୍ଚଳ) ସତ୍ୟଜିତ ନାୟକ, ପୁରୀ ଏସପି ଶ୍ରୀ ପ୍ରତୀକ ସିଂ ଆଭାସୀ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ।