ନୂଆଦିଲ୍ଲୀ, ୧୭/୧୧ : ଦିଲ୍ଲୀ ବ୍ଲାଷ୍ଟକୁ ନେଇ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ। କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ମେହବୁବା ମୁଫ୍ତି। କହିଲେ ଲାଲକିଲ୍ଲାରେ ଗୁଞ୍ଜି ଉଠିଲା କାଶ୍ମୀର ସମସ୍ୟା। ଦିଲ୍ଲୀ ବିସ୍ଫୋରଣ ହେଉଛି ଦେଶରେ ବଢୁଥିବା ଅରାଜକତାର ପ୍ରମାଣ। ଜାମ୍ମୁ କାଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ନୀତି ଫେଲ୍ ମାରିଛି। ଏବେ କାଶ୍ମୀର ସମସ୍ୟା ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିଯାଇଛି।
ସୂଚନା ଥାଉକି, ଦିଲ୍ଲୀରେ ହୋଇଥିବା ଆତଙ୍କୀ ବିସ୍ଫୋରଣରେ ୧୨ ଜଣ ନୀରିହ ଲୋକଙ୍କ ଜୀବନ ଯାଇଛି। ବହୁ ଲୋକ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଶ୍ରୀନଗରରେ ହୋଇଥିବା ଏକ ବୈଠକରେ ଯୋଗ ଦେଇ ମେହବୁବା ମୁଫ୍ତି କହିଛନ୍ତି ଯେ, ଜାମ୍ମୁ କାଶ୍ମୀରରେ ସବୁ କିଛି ଠିକ୍ ଚାଲିଛି ବୋଲି କେନ୍ଦ୍ର ସରକାର ସାରା ଦୁନିଆକୁ କହୁଛନ୍ତି। ହେଲେ କାଶ୍ମୀର ସମସ୍ୟା ଲାଲକିଲ୍ଲା ପର୍ଯ୍ୟନ୍ତ ପହଞ୍ଚି ଗଲାଣି। ଜାମ୍ମୁ କାଶ୍ମୀରକୁ ସୁରକ୍ଷିତ ରଖିବେ ବୋଲି ସରକାର ପ୍ରତିଶୃତି ଦେଇଥିଲେ। ହେଲେ ତାଙ୍କ ନୀତି ଦିଲ୍ଲୀକୁ ବି ସୁରକ୍ଷା ଦେବାରେ ଫେଲ୍ ମାରିଛି। ଯଦି ଜଣେ ଶିକ୍ଷିତ ବ୍ୟକ୍ତି, ଜଣେ ଡାକ୍ତର ନିଜକୁ ଏବଂ ଅନ୍ୟକୁ ମାରିବାକୁ ଆରଡିଏକ୍ସର ବ୍ୟବହାର କରୁଛି ତାହେଲେ ଏହା ଦେଶର ଦୁର୍ବଳ ସୁରକ୍ଷା ବ୍ୟବସ୍ଥାକୁ ଉଜାଗର କରୁଛି। ଦେଶରେ ହିନ୍ଦୁ-ମୁସଲମାନ ରାଜନୀତି ରାଷ୍ଟ୍ରୀୟ ସୁରକ୍ଷା ଉପରେ ଭାରି ପଡ଼ୁଛି।
ମୁଫ୍ତି ପୁଣି କହିଛନ୍ତି ଯେ, ସରକାର ଚଳାଉଥିବା ବ୍ୟକ୍ତି ମାନି ସାରିଲେଣି ଯେ, ଯେତେ ଅଧିକ ଲୋକଙ୍କୁ ଭାଗ ବଣ୍ଟା କରାଯିବ ସେତିକି ଧ୍ରୁବୀକରଣ ବଢିବ। ସେତିକି ଅଧିକ ରାଜନୈତିକ ଲାଭ ବି ମିଳିବ। ଏହି ରାଜନୀତି ଦେଶକୁ ଭୁଲ୍ ଦିଗରେ ନେଉଛି। କାଶ୍ମୀରର ଯୁବକମାନେ ହିଂସା ଓ ଘୃଣାର ରାସ୍ତା ନଆପଣାନ୍ତୁ। ଏହାଦ୍ଵାରା ନିଜର, ପରିବାରର, ଜାମ୍ମୁ କାଶ୍ମୀରର ଓ ପୁରା ଦେଶର କ୍ଷତି ହେବ।