କରଞ୍ଜିଆ ୦୨/୦୮: ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା ଏବଂ ବଳଙ୍ଗା ନାବାଳିକାଙ୍କୁ ପୋଡ଼ି ଦେବା ଘଟଣା ମନରୁ ନଲିଭୁଣୁ ପୁଣି ଏକ ଆତ୍ମାହୁତି ଘଟଣା। ବିଲ ମଝିରେ ପେଟ୍ରୋଲ ଢ଼ାଳି ମହିଳା ଓ ପୁରୁଷ ଆତ୍ମାହୁତି ଉଦ୍ୟମ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରରୁଆଁ ଥାନା ଖିଚିଂ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶୁକୃଳୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଲେ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି।
ସୂଚନ ଆନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ସାଢେ଼ ୮ଟା ବେଳେ ଖିଚି° ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରୁ ୨୦୦ ମିଟର ଦୂରରେ ବିଲ ମଝିରେ ଅଘଟଣ ଘଟିଥିଲା। ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଜଣେ ମହିଳା ଓ ଜଣେ ପୁରୁଷ। ମହିଳାଙ୍କ ଗାଁ ଲୋକେ ଦୁଇ ଜଣ ଜଳୁଥିବା ଓ ପାଟି କରୁଥିବା ଦୃଶ୍ୟ ଦେଖି ଦୌଡ଼ି ଯାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ବିଲ ମଝିରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ଶୁକୃଳି ଗୋଷ୍ଠୀ ଚିକିତ୍ସାଳୟକୁ ଭର୍ତ୍ତି କରିଥିଲେ ହେଲେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମହିଳା ଜଣ ଖିଚି° ଗ୍ରାମର ଭାରତୀ ପାତ୍ର ବୋଲି ଜଣାପଡିଛି। ପୁରୁଷ ଜଣକ ରାଇରଙ୍ଗପୁର ଗ୍ରାମର ହରି ଶଙ୍କର ଆଚାର୍ଯ୍ୟ ବୋଲି ପରିଚୟ ମିଳିଛି। ଶୁକୃଳି ଗୋଷ୍ଠୀ ଚିକିତ୍ସାଳୟ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ଶଙ୍କରଙ୍କୁ କେନ୍ଦୁଝର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଏନେଇ ଦାୟିତ୍ଵରେ ଥିବା ଡ଼ାକ୍ତରଙ୍କ ସୂଚନା ଦେଇଛନ୍ତି। ରରୁଆଁ ଥାନା ଭାରପ୍ରାପ୍ତ ଅଧିକାରୀ ଅନାଦି ପଟ୍ଟାୟତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ଏବଂ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି। ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଓ ପୁରୁଷ ବିବାହିତ ଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀ ନୁହଁନ୍ତି। ଆତ୍ମହତ୍ୟା ଉଦ୍ୟମ ସନ୍ଦେହ ଘେରରେ ଥିବା ଶୁଣିବାକୁ ମିଳୁଛି। ରରୁଆଁ ଥାନାରେ ୧୪/୨୫-୨୬ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।