ନୂଆଦିଲ୍ଲୀ, ୧/୧୨ : ଏଣିକି ମୋବାଇଲରେ ଆକ୍ଟିଭ ସିମ୍‌ ନ ଥିଲେ ଚାଲିବ ନାହିଁ ମେସେଜିଂ ଆପ୍। ସାଇବର୍ ଠକେଇର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାନାମା। ମେସେଜିଂ ଆପ୍ ସହ ହେବ ସିମ୍ ବାଇଣ୍ଡିଂ। ଶନିବାର ଏଭଳି ନିର୍ଦ୍ଦେଶାନାମା ଜାରି କରିଛନ୍ତି କେନ୍ଦ୍ର ସରକାର। ହ୍ୱାଟ୍‌ସଆପ୍‌, ଟେଲିଗ୍ରାମ, ସିଗ୍‌ନାଲ୍‌, ସ୍ନାପ୍‌ଚାଟ, ସେୟାର୍‌ଚାଟ ଏବଂ ଜୋସ୍‌ ଭଳି ମେସେଜିଂ ପ୍ଲାଟଫର୍ମ ଗୁଡ଼ିକ ଏଣିକି ମୋବାଇଲରେ ଆକ୍ଟିଭ ସିମ୍‌ ନ ଥିଲେ ଚାଲିବ ନାହିଁ । ଏଥି ସହିତ ୱେବ୍ ଆଧାରିତ ସେବାକୁ ପ୍ରତି ୬ ଘଣ୍ଟାରେ ଆପେ ଲଗଆଉଟ୍ କରିବା ପାଇଁ ବ୍ୟବସ୍ଥା କରିବାକୁ କମ୍ପାନୀଗୁଡ଼ିକୁ କୁହାଯାଇଛି। 

ଟେଲିକମ ବିଭାଗର ନିର୍ଦ୍ଦେଶ :-
-ମୋବାଇଲରେ ପଞ୍ଜୀକୃତ ସିମ୍‌ ସକ୍ରିୟ ଥିବା ମେସେଜିଂ ପ୍ଲାଟଫର୍ମ ଗୁଡ଼ିକ ନିର୍ଦ୍ଧାରିତ କରିବେ 
-ସିମ୍‌ ବାଇଣ୍ଡିଂ ଜରିଆରେ ମୋବାଇଲରୁ ସିମ୍‌ ବାହାର କଲେ ହ୍ୱାଟ୍‌ସଆପ୍‌ ଏବଂ ଅନ୍ୟ ଆପ୍ଲିକେସନ ବନ୍ଦ ହୋଇଯିବ 
-ୱେବ୍‌ବ୍ରାଉଜର ବା ଲ୍ୟାପଟପ୍‌ କିମ୍ବା ଡେକ୍ସଟପ୍‌ ଜରିଆରେ ଲଗ୍‌ଇନ କରୁଥିବା ୟୁଜରଙ୍କ ଲାଗି ମଧ୍ୟ ବଡ ପରିବର୍ତ୍ତନ ହେବ 
-ମେସେଜିଂ ପ୍ଲାଟଫର୍ମ ଗୁଡ଼ିକୁ ନିର୍ଦ୍ଧିଷ୍ଟ ବ୍ୟବଧାନରେ ଲଗ୍‌ଆଉଟ କରିବାକୁ ହେବ
-କ୍ୟୁଆର୍‌ କୋଡ ଜରିଆରେ ମଧ୍ୟ ଲଗ୍‌ଇନ ସୁବିଧା ମିଳିବ

ଏବେ କେବଳ ଆପ୍‌ ଇନଷ୍ଟାଲ କରିବା ବେଳେ ମୋବାଇଲ ନମ୍ବର ଜରିଆରେ ଯାଞ୍ଚ କରାଇବାକୁ ପଡୁଛି । ଏହା ପରେ ସିମ୍‌ ହଟାଇଦେଲେ କିମ୍ବା ନମ୍ବର ବନ୍ଦ ହୋଇଗଲେ ମଧ୍ୟ ଆପ୍‌ଗୁଡ଼ିକ ଚାଲୁ ରହୁଛି । ଇଣ୍ଟରନେଟ ସଂଯୋଗ ରହିଥିଲେ ଏଥିରେ ସମସ୍ୟା ରହୁନି । ବର୍ତ୍ତମାନର ନିୟମ ଯୋଗୁ ସିମ୍‌ ବନ୍ଦ ହୋଇଗଲେ ଆପ୍‌ ଚାଲୁ କରିହେବନି । ଆପ୍‌ଗୁଡ଼ିକୁ ଚାଲୁ ରଖିବାକୁ ହେଲେ ନମ୍ବର ଚାଲୁ ରହିଥିବା ଜରୁରି । ଏହାକୁ ସିମ୍‌ ବାଇଣ୍ଡିଂ ନିୟମ ମଧ୍ୟ କୁହାଯାଇଥାଏ । ସରକାରଙ୍କ ଏହି ନିର୍ଦ୍ଦେଶ ଏକାଧିକ ଡିଭାଇସ୍ ବ୍ୟବହାର କରୁଥିବା ଓ ନିୟମିତ ବିଦେଶ ଭ୍ରମଣ କରୁଥିବା ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ସିମ୍ ବାଇଣ୍ଡିଂ ହେଲେ ଏକାଧିକ ଫୋନ୍ ଓ ଟାବଲେଟ୍‌ରେ ଗୋଟିଏ ନମ୍ଵରରେ ଆକାଉଣ୍ଟ ବ୍ୟବହାର କରୁଥିବା ଲୋକମାନେ ଆଉ ସୁବିଧା ଉଠାଇପାରିବେ ନାହିଁ।