ନୂଆଦିଲ୍ଲୀ,୨୦।୯: ଦିଲ୍ଲୀ-ଏନ୍ସିଆର ଆକାଶରେ ଶୁକ୍ରବାର ରାତିରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ। ଦିଲ୍ଲୀ, ନୋଏଡା ଏବଂ ଗୁରୁଗ୍ରାମ ଉପର ଆକାଶରେ ଛୋଟ, ଜଳୁଥିବା ଉଲ୍କାପିଣ୍ଡ ଭଳି ଚମକଦାର ଲାଇଟ୍ ଦେଖିବାକୁ ମିଳିଥିଲା। ଏହା ଏତେ ଅଧିକ ଉଜ୍ଜ୍ୱଳ ଏବଂ ତୀବ୍ର ଥିଲା ଯେ ଅନେକ ଲୋକ ଚକିତ ହୋଇଯାଇଥିଲେ। ଏହି ଘଟଣାକୁ ଲାେକେ ନିଜ ମୋବାଇଲ୍ ଫୋନ୍ ଏବଂ କ୍ୟାମେରାରେ କଏଦ କରିଥିଲେ।
ଏହି ଭିଡିଓଗୁଡ଼ିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ବିତର୍କ ମଧ୍ୟ ଆରମ୍ଭ ହୋଇଯାଇଛି। କେହି କେହି ଏହାକୁ ଉଲକାପିଣ୍ଡ କହୁଥିବା ବେଳେ ଆଉ କେହି କେହି ଚାଇନିଜ ରକେଟ୍ର ଆବର୍ଜନା ବୋଲି କୁହାଯାଉଛି। ଦୁଇଟି ସମ୍ଭାବନା ଉପରେ ଏବେ କିଛି ସ୍ପଷ୍ଟ ହୋଇପାରିନି। ଦିଲ୍ଲୀ ଏନ୍ସିଆରରେ ଏହାକୁ ରାତି ୧ଟା ୨୦ ମିନିଟ୍ରେ ଦେଖିବାକୁ ମିଳିଛି। ଯାହାକୁ ଲୋକମାନେ କ୍ୟାମେରାରେ କ୍ୟାପଚର କରିଛନ୍ତି।
ଲୋକଙ୍କ ଚର୍ଚ୍ଚା ଭିତରେ ଏକ୍ସରେ ‘ଗ୍ରୋକ୍’ କହିଛି ଏହା ଚାଇନିଜ ରକେଟ୍ CZ-3B ର ଆବର୍ଜନା ଥିଲା, ଯାହାକି ବାୟୁମଣ୍ଡଳକୁ ପୁଣିଥରେ ପ୍ରବେଶ କରୁଥିଲା। କିଛି ବିଶେଷଜ୍ଞଙ୍କ ମତରେ ଏହା ହେଉଛି ବୋଲାଇଡ୍। ଏହାର ଅର୍ଥ ‘ବାୟୁମଣ୍ଡଳ’ରେ ପ୍ରବେଶ ପରେ ବିସ୍ଫୋରଣ ହେଉଥିବା ଉଲକାପିଣ୍ଡ। ତେବେ ମହାକାଶର ଆବର୍ଜନା ହେବାର ସମ୍ଭାବନା ଅଧିକ ରହିଛି।