ନୂଆଦିଲ୍ଲୀ,୧୬।୧୨: ସଂସଦ ଓ ବିଧାନସଭାରେ ଶାସକ ଏବଂ ବିରୋଧିଙ୍କ ଭିତରେ ତର୍କ-ବିତର୍କ ବେଳେ ବେଳେ ଭୟଙ୍କର ରୂପ ନିଏ। ଏଇ ଯେଭଳି ନିକଟରେ ମେକ୍ସିକାନ୍ ସିଟି ବିଧାନସଭାର ଏକ ଏଭଳି ଭିଡିଓ ସାମନାକୁ ଆସିଛି,ଯାହାକୁ ଦେଖି ଆପଣ ଚକିତ ହୋଇଯିବେ। ଗୃହରେ ବିବାଦ ଏଭଳି ବଢିଯାଇଥିଲା ଯେ, ବିଧାୟକମାନେ ପରସ୍ପରକୁ ଧକ୍କା-ମୁକ୍କା ମାରିବା ଆରମ୍ଭ କରିଦେଇଥିଲେ। ଏଭଳି ମହିଳା ବିଧାୟକମାନେ ନିଜର ସୀମା ପାର କରିଦେଇଥିଲେ। ପୁରା ଘଟଣାକ୍ରମ ଲାଇଭ କ୍ୟାମେରାରେ ରେକର୍ଡ ହୋଇଯାଇଛି। ଯେଉଁଥିରେ ସେମାନେ ପରସ୍ପରର ଚୁଟି ଟାଣିବା ସହ ଚାପୁଡା ମାରୁଥିବାର ଦେଖିବାକୁ ମିଳୁଛନ୍ତି।

ରିପୋର୍ଟ ଅନୁସାରେ, ମେକ୍ସିକୋ ସିଟିର ବିଧାନସଭାରେ ଏହି ଘଟଣା ୧୫ ଡିସେମ୍ବରରେ ଘଟିଛି। କଥିତ ଭାବରେ ଗୃହରେ ହଙ୍ଗାମା ଦେଖିବାକୁ ମିଳିଥିଲା। ବିରୋଧି ଦକ୍ଷିଣପନ୍ଥୀ ନ୍ୟାସନାଲ ଆକ୍ସନ ପାର୍ଟିର ଜଣେ ମହିଳା ବିଧାୟକ ନିୟମ ଉଲଂଘନର ଅଭିଯୋଗ କରି ବିଧାନସଭାର ମୁଖ୍ୟ ପୋଡିୟମ ନିକଟକୁ ପହଁଞ୍ଚି ଯାଇଥିଲେ। ଅଭିଯୋଗ ରହିଥିଲା ଯେ, ବାମପନ୍ଥୀ ମୋରନ ପାର୍ଟି,ଯାହା ପାଖରେ ବିଧାନସଭାର ସଂଖ୍ୟା ଗରିଷ୍ଠତା ରହିଛି, ସେ ଗୃହର ନିୟମ ଭାଙ୍ଗିଛି। ଦେଖୁ ଦେଖୁ ଦୁଇ ପକ୍ଷ ଭିତରେ ଆରମ୍ଭ ହୋଇଯାଇଥିଲା ଲଢେଇ। ମାମଲା ଠେଲାପେଲାରୁ ମାରପିଟ୍ ପର୍ଯ୍ୟନ୍ତ ବଢିଯାଇଥିଲା।

ଘଟଣା ସମୟରେ ବହୁ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓରେ ଅତି କମ୍ରେ ୫ ଜଣ ମହିଳା ବିଧାୟକ ପରସ୍ପର ଭିତରେ ହାତହାତି ହୋଇଥିବାର ଦେଖିବାକୁ ମିଳିଥିଲେ। ଜଣେ ଅନ୍ୟଜଣକୁ କହୁଣୀ ଓ ଚାପୁଡା ମରାମରି ହେଉଥିଲେ। ଏହି ସମୟରେ କିଛି ସଦସ୍ୟ ଚୁଟି ଟାଣୁଥିବା ମହିଳା ବିଧାୟକଙ୍କୁ ଅଲଗା କରିବାର ଚେଷ୍ଟା କରିଥିଲେ। ଏହି ସମୟରେ ଅନ୍ୟମାନେ ମୋବାଇଲ ବାହାର କରି ରେକର୍ଡିଂ କରିଥିବା ଆରମ୍ଭ କରିଦେଇଥିଲେ। ଘଟଣା ପରେ ବିରୋଧି ଦଳ ବିଧାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସେମାନେ ଶାନ୍ତିପୂର୍ଣ୍ଣ ବିରୋଧ ପାଇଁ ପୋଡିୟମକୁ ଚଢିଥିଲେ। ଶାସକ ଦଳ ତାଙ୍କ ସହ ମାରପିଟ୍ କରିଥିଲେ ଓ ପୋଡିୟମ ଉପରେ ପୁଣିଥରେ କବଜା କରିବାକୁ ଚେଷ୍ଟା କରିଥିଲେ।

ଆହୁରି ପଢନ୍ତୁ :‘ନାଟୋ’ରେ ଏବେ ଏଣ୍ଟ୍ରି ଚାହୁଁ ନାହାଁନ୍ତି ଜେଲେନସ୍କି, ଚୁକ୍ତି ପାଇଁ ରଖିଲେ ଦୁଇଟି ସର୍ତ୍ତ