ରାଉରକେଲା, ୧୧/୧୧ : ରାଉରକେଲାର ଜଗଦା ସ୍ଥିତ ଏମଜିଏମ ସ୍କୁଲରେ ଚାଲିଥିଲା ସର୍ବ ଭାରତୀୟ ଏମଜିଏମ ଫେଷ୍ଟ। ଉଦଯାପନୀ ଦିବସରେ ମଞ୍ଚରେ ଟଳି ପଡିଲେ ସ୍କୁଲ ଅଧ୍ୟକ୍ଷ। ଡ. ଜର୍ଜ ସି ଭର୍ଗିସଙ୍କ ୫୩ ବର୍ଷରେ ପରଲୋକ ଘଟିଛି। ସ୍କୁଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୂଚନାନୁସାରେ, ଗତ ୮ ତାରିଖରୁ ଜଗଦା ସ୍ଥିତ ଏମଜିଏମ ସ୍କୁଲରେ ସର୍ବଭାରତୀୟ ଏମଜିଏମ ଫେଷ୍ଟ ଚାଲିଥିଲା। ଏହି ଫେଷ୍ଟର ଆଜି ଶେଷ ଦିବସରେ ଡିଆଇଜି ବ୍ରିଜେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚରେ ଅତିଥି ଉପସ୍ଥିତ ଥିବା ବେଳେ ହଠାତ୍ ସ୍କୁଲ ଅଧ୍ୟକ୍ଷ ଟଳି ପଡ଼ିଥିଲେ। ତାଙ୍କୁ ଡିଆଇଜି ଓ ସ୍କୁଲ କର୍ମଚାରୀ ତୁରନ୍ତ ଚିକିତ୍ସା ଲାଗି ସିଡବ୍ଲୁଏସ୍ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍କୁଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।