ନୂଆଦିଲ୍ଲୀ,୧୬।୧୨: ମନରେଗା ନାମ ପରିବର୍ତ୍ତନ ନେଇ ଆଜି ଲୋକସଭାରେ ବିଲ୍ ଆଗତ ହୋଇଛି । ମନରେଗା ବଦଳରେ ଏହାର ନାଁ ରହିବ ‘ଭିବି-ଜି ରାମ ଜି’ ବିଲ୍ । ‘ବିକଶିତ ଭାରତ-ଗ୍ୟାରେଣ୍ଚି ଫର୍ ଆଣ୍ଡ୍ ଆଜୀବିକା ମିଶନ-ଗ୍ରାମୀଣ’ ଉପସ୍ଥାପନ କରିଛନ୍ତି କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଏହି ବିଲକୁ କଂଗ୍ରେସ ଏବଂ ଟିଏମସି ପକ୍ଷରୁ ଗୃହରେ ଜୋରଦାର ବିରୋଧ କରାଯାଇଛି ।
କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ସଂସଦରେ ଏହାକୁ କଡ଼ା ବିରୋଧ କରିଛନ୍ତି। ସେ କହିଛନ୍ତି, ଏହି ବିଲ୍ ଜରିଆରେ କେନ୍ଦ୍ରସରକାର ଅଧିକାର ବଢାଇବାକୁ ଚାହୁଁଛନ୍ତି, କିନ୍ତୁ ଏହାର ଫଣ୍ଡିଂ କମ୍ କରାଯାଉଛି। ନୂଆ ବିଲ୍ ସମ୍ବିଧାନର ମୂଳ ଭାବନାର ବିରୋଧରେ ରହିଛି। ଯୋଜନାର ନାମ ପରିବର୍ତ୍ତନ କରିବା ଆଳରେ ସେମାନେ ଏହାକୁ ବାତିଲ କରିବାକୁ ଚାହୁଛନ୍ତି । ମନରେଗା ଆଇନକୁ ବଦଳାଇବା ଯେଉଁ ନୂତନ ବିଲ୍ ଆସିଛି , ତାହା ଗ୍ରାମୀଣ ଶ୍ରମିକଙ୍କ କାମ କରିବାର ଅଧିକାରକୁ ଦୁର୍ବଳ କରିବ । ସରକାର ଯୋଜନାଗୁଡ଼ିକର ନାମ ପରିବର୍ତ୍ତନ କରିବାରେ ଅଧିକ ଆଗ୍ରହୀ, କିନ୍ତୁ ତୃଣମୂଳ ସ୍ତରରେ ସେମାନଙ୍କର ପାଣ୍ଠି ହ୍ରାସ କରାଯାଉଛି। ପ୍ରତ୍ୟେକ ନାମ ପରିବର୍ତ୍ତନ ପାଇଁ ନୂତନ ବୋର୍ଡ, ଡକ୍ୟୁମେଣ୍ଟ ଏବଂ ପ୍ରଚାର ପାଇଁ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶ୍ରମିକଙ୍କ ମଜୁରୀ ବୃଦ୍ଧି ଉପରେ କାହିଁକି ନୀରବ ବୋଲି ସେ ପ୍ରଶ୍ନ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ବିଲ୍ କାର୍ଯ୍ୟ ଦିବସକୁ ୧୦୦ ରୁ ୧୨୫ କୁ ବୃଦ୍ଧି କରିବାକୁ କହୁଥିବା ବେଳେ, ଦୈନିକ ମଜୁରୀ ବୃଦ୍ଧି ବିଷୟରେ କୌଣସି ଉଲ୍ଲେଖ ନାହିଁ। ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ନେଇ ପ୍ରିୟଙ୍କା କଡ଼ା ବିରୋଧ କରିଛନ୍ତି। ସେ କହିଛନ୍ତି ମହାତ୍ମା ଗାନ୍ଧୀ ମୋ ପରିବାରର ସଦସ୍ୟ ନ ଥାଇପାରନ୍ତି, କିନ୍ତୁ ସେ ସମଗ୍ର ଦେଶର ପରିବାର ଭଳି ଥିଲେ। କୌଣସି ଜଣେ ବ୍ୟକ୍ତିଙ୍କ ମତାମତ କିମ୍ବା ପସନ୍ଦ ଉପରେ ଆଧାର କରି ଏତେ ବଡ଼ ଯୋଜନାକୁ ପରିବର୍ତ୍ତନ କରିବା ଠିକ୍ ନୁହେଁ। ପ୍ରିୟଙ୍କା ଦାବି କରିଥିଲେ ,ବିଲ୍ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଉ। ତା ପରେ ଏହାକୁ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଇବା ଦରକାର। ଯେଉଁଠି ସବୁ ପକ୍ଷର ପରାମର୍ଶ ରହିବା ଉଚିତ।’
ସେଭଳି କଂଗ୍ରେସ ସାଂସଦ ଶଶି ଥରରୁ ଦୀର୍ଘ ସମୟ ପରେ ପାର୍ଟି ସମର୍ଥନରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମନରେଗା ସ୍କିମ୍ ଦ୍ବାରା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ ବଦଳାଇବା ବିରୋଧରେ ମୁଁ ରହିଛି। ଏହି କାରଣ ଉପରେ ବିସ୍ତାର ଭାବରେ ଯିବନି, କାରଣ ପୂର୍ବ ବକ୍ତାମାନେ ଏହା ଉପରେ ବହୁତ କିଛି କହିସାରିଛନ୍ତି। ମୁଁ କିନ୍ତୁ ଏହି ବିଲ୍କୁ ବିରୋଧ କରୁଛି। ମୋର ପ୍ରଥମ ଅଭିଯୋଗ ଯେ, ଏହାର ନାଁ ବଦଳା ଯାଉଛି,ଯାହାକି ପୂର୍ବରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନାଁରେ ଥିଲା। ମହାତ୍ମା ଗାନ୍ଧୀଙ୍କ ରାମ ରାଜ୍ୟର ଭିଜନ୍ ରାଜନୈତିକ ଆୟୋଜନ ନଥିଲା କିନ୍ତୁ ସାମାଜିକ ସୁଧାର ଥିଲା। ସେ ଚାହୁଁଥିଲେ ପ୍ରତି ଗାଁ ସଶକ୍ତ ହେଉ ଓ ରାମ ରାଜ୍ୟ ଭଳି ସ୍ଥିତି ହେଉ। ତାଙ୍କ ନାଁକୁ ହଟାଇବା ଭୁଲ ଓ ନୈତିକତା ବିରୋଧରେ ରହିଛି। ମୋର ୪୦% ବଜେଟ୍ ସିଧା ରାଜ୍ୟ ସରକାରଙ୍କ ଉପରେ ପକାଇବା ଭୁଲ। ଏହାଦ୍ବାରା ସେହି ରାଜ୍ୟ ଗୁଡିକ ପାଇଁ ସଙ୍କଟ ସୃଷ୍ଟି ହେବ, ଯାହାଙ୍କ ପାଖରେ ରାଜସ୍ବ ସଂଗ୍ରହ କମ୍ ରହିଛି। ଏହା ସହ ସେ କହିଥିଲେ ରାମଙ୍କ ନାଁଙ୍କୁ ଏଭଳି କରି ବଦନାମ୍ କରାନଯାଉ।
ଆହୁରି ପଢନ୍ତୁ: ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡ୍ରାଇଭର ହେଲେ କ୍ରାଉନ୍ ପ୍ରିନ୍ସ, ନିଜେ ଗାଡି ଚଳାଇ ନେଇଗଲେ ଏହି ସ୍ଥାନକୁ
ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରାୟ ମଧ୍ୟ ଏହି ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ। ସେ କହିଥିଲେ ଯେ ପ୍ରଭୁ ରାମ ସମସ୍ତଙ୍କ ଦ୍ୱାରା ପୂଜିତ, କିନ୍ତୁ ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିକୋଣ ଏବଂ ଐତିହ୍ୟ ଆଜିର ସମୟରେ ଆହୁରି ପ୍ରାସଙ୍ଗିକ। ସେ ଏହା ମଧ୍ୟ ଚେତାବନୀ ଦେଇଥିଲେ ଯେ ନୂତନ ବ୍ୟବସ୍ଥା ଅନୁସାରେ, ଯୋଜନାର ପାଣ୍ଠିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରାଜ୍ୟଗୁଡ଼ିକୁ ଉପରେ ପକାଇ ଦିଆଯିବ। ଯାହାଫଳରେ ତାଙ୍କ ଉପରେ ଅତିରିକ୍ତ ଆର୍ଥିକ ଚାପ ପଡିବ।